‘ମୋ ସ୍ତ୍ରୀ ବାହାହେଲେ ମୁଁ ଏଇଠି ସୁଇସାଇଡ୍ କରିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋର ଜୀବନ ନଷ୍ଟ ହୋଇଛି। ସେ ମୋ ସ୍ତ୍ରୀ। ମୁଁ ତାକୁ ନେବାକୁ ଚାହେଁ। ସେ ଯଦି ଦ୍ୱିତୀୟ ବିବାହ କରେ ତାହେଲେ ମୁଁ ସୁଇସାଇଡ୍ କରିବି। ଆଜି ରାଜଧାନୀର ଏକ ହୋଟେଲରେ ଜଣେ ଯୁବକଙ୍କ ଏମିତି ହଙ୍ଗାମାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ପ୍ରେମିକାର ଦ୍ୱିତୀୟ ବିବାହ ବେଳେ ପ୍ରେମିକ କରିଥିଲା  ହଙ୍ଗାମା। ପ୍ରେମିକା ଆଉ ପ୍ରେମିକ ହେଲେ ମୁହାଁମୁହିଁ। ଆଉ ଅଧାରୁ ବନ୍ଦ ହେଲା ବାହାଘର। ହୋଟେଲରେ ଲୁଚାଇ ପରିବାର ଲୋକେ ଏହି ବାହାଘର କରୁଥିଲେ। ପଟିଆ ଇନଫୋସିଟିରୋଡ଼ ସ୍ଥିତ ଏକ ହୋଟେଲରେ ଏହି ବିବାହ ହେଉଥିଲା। ଉପସ୍ଥିତ ଥିଲେ ସାଙ୍ଗସାଥୀ ଓ ପରିବାର ଲୋକେ। ଏନେଇ ପ୍ରେମିକ ଚନ୍ଦ୍ରଶେଖରପୁର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।  ହୋଟେଲରେ ବିବାହ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ପ୍ରମିକ ପହଞ୍ଚି ହଙ୍ଗମା କରିଥିଲେ। ଆଉ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବାହାଘରକୁ ଅଟକାଇଥିଲା।

 

ସୂଚନା ଅନୁଯାୟୀ, କଲେଜରେ ପଢ଼ିଲା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଥିଲା। ଉଭୟେ ୨୦୧୨ରେ ମନ୍ଦିରରେ ବିବାହ କରି ନୋଟାରୀ ବିବାହ କରିଥିଲେ। କିଛି ବର୍ଷ ଉଭୟେ ଏକାଠି ରହୁଥିଲେ। ମାତ୍ର ପ୍ରେମିକା ଜୁନ ମାସ ପରଠୁ ନିଜ ଘରକୁ  ଯାଇ ଆଉ ଫେରି ନଥିଲେ। ଗତ ଡିସେମ୍ବର ମାସରେ ସ୍ତ୍ରୀ ତଥା ପ୍ରେମିକାକୁ ନିଜ ପାଖକୁ ଆଣିବାକୁ ଚାହିଁ କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟରେ କେସ କରିଥିଲେ ପ୍ରେମିକ।

ଆସନ୍ତା ୨୧ ଜୁଲାଇରେ ପ୍ରେମିକା ତଥା ସ୍ତ୍ରୀ କୋର୍ଟରେ ନିଜ ପକ୍ଷ ରଖିବାର ଥିଲା। ଏହା ପୂର୍ବରୁ ନିଜ ଘରେ ଲୋକେ ତାକୁ ଲୁଚାଇ ହୋଟେଲରେ ବାହାଘର କରୁଥିଲା ବେଳେ  ଖବର ପାଇ ପ୍ରେମିକ ଜାଣି ପାରିଥିଲେ। ଆଉ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବିରୋଧ କରିଥିଲେ। ପୁଲିସ ଉକ୍ତ ହୋଟେଲକୁ ଯାଇ ବାହାଘର ବନ୍ଦ କରିବାକୁ କହିବା ସହ ଘଟଣାର ତଦନ୍ତ କରିବ ବୋଲି କହିଛି। ତେବେ ଲୁଚାଛପାରେ ବାହାଘର ସଫଳ ହୋଇ ନପାରିବାରୁ ପ୍ରେମିକା ହଟହଟା ହୋଇ ଘରକୁ ପଳାଇଥିଲେ। ରାଜଧାନୀରେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।