ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା ଅମାବାସ୍ୟା। ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ହେଲେ ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ତେବେ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଅମାବାସ୍ୟା ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।
କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତ ଏଠାରେ ଶ୍ରାଦ୍ଧ ଦେଉଛନ୍ତି ।
ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି । ସେପଟେ ଏସ୍ଓପି ଆଧାରରେ ଶ୍ରୀମନ୍ଦିରକୁ କୌଣସି ଭକ୍ତଙ୍କ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ଉତ୍ତର ଦ୍ୱାର ବାହାରେ ମହାପ୍ରସାଦ ପାଇପାରିବେ ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହାଳୟା ପାଇଁ କଟକଣା ଲାଗୁ କରିଛି ବିଏମ୍ସି। ବିନ୍ଦୁସାଗରରେ ମହାଳୟା ପାଳନକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥିସହ ସେଠାରେ ବ୍ରାହ୍ମଣ ଭୋଜନ ସହ ମହାଳୟା ସଂପର୍କିତ ନୀତିକାନ୍ତି ପାଳନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଦେଇଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି ।
ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ତେବେ ଏଥର କରୋନା କଟକଣା ମଧ୍ୟରେ ମା’ଙ୍କର ଏହି ଦୁର୍ଲଭ ବେଶର ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପରେ ସାଢେ ୧୨ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।