ମହାନଦୀ ଜଳ ସମ୍ପର୍କିତ ତଥ୍ୟ ଆସିଲେ ଓଡ଼ିଶାର ମୁଖା ଖୋଲିଯିବ: ଛତିଶଗଡ଼

ଭୁବନେଶ୍ୱର: ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମହାନଦୀକୁ ନେଇ ଆଜି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ଦେଇଥିବା ବୟାନ ଏହି ବିବାଦକୁ ଆହୁରି ବଢାଇ ଦେଇଛି। ସେ କହିଛନ୍ତି,“ମହାନଦୀ ଜଳ ସମ୍ପର୍କିତ ତଥ୍ୟ ଆସିଲେ ଓଡ଼ିଶାର ମୁଖା ଖୋଲିଯିବ।” ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ହେଲେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇନାହିଁ। ନିକଟରେ ଦିଲ୍ଲୀରେ ହୋଇଥିବା […]

Mahanadi

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 08:49 PM IST

ଭୁବନେଶ୍ୱର: ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମହାନଦୀକୁ ନେଇ ଆଜି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ଦେଇଥିବା ବୟାନ ଏହି ବିବାଦକୁ ଆହୁରି ବଢାଇ ଦେଇଛି। ସେ କହିଛନ୍ତି,“ମହାନଦୀ ଜଳ ସମ୍ପର୍କିତ ତଥ୍ୟ ଆସିଲେ ଓଡ଼ିଶାର ମୁଖା ଖୋଲିଯିବ।”

ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ହେଲେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇନାହିଁ। ନିକଟରେ ଦିଲ୍ଲୀରେ ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବିଫଲ ହେବା ପରେ ରାଜ୍ୟ ସରକାର ଆଇନଗତ ପଦକ୍ଷେପ ନେବାକୁ ସଙ୍କେତ ଦେଇଥିଲେ ମଧ୍ୟ ଏ ଦିଗରେ ଏପର୍ଯ୍ୟନ୍ତ ଆଗେଇ ନାହାନ୍ତି। ଏପରି ସ୍ଥିତିରେ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀଙ୍କ ବୟାନ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି।

ଅଗ୍ରୱାଲ କହିଛନ୍ତି,“ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମ ନିର୍ମାଣ ହୋଇଥିଲା। ଏହାସହ ଡ୍ୟାମ ନିର୍ମାଣ ବେଳେ ହୋଇଥିବା ଚୁକ୍ତିଠାରୁ ଓଡ଼ିଶା ଅଧିକ ଜଳ ବ୍ୟବହାର କରୁଛି। ତଥ୍ୟ ସାମ୍ନାକୁ ଆସିଲେ ଓଡ଼ିଶାର ମୁଖା ଖୋଲିଯିବ। ମୋତେ ଲାଗୁଛି ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗକୁ ନେଇ କେବଳ ରାଜନୀତି କରୁଛନ୍ତି, ଏହାର ସମାଧାନ କରିବାକୁ ଚାହୁଁ ନାହାନ୍ତି।”

ତେବେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମହାନଦୀକୁ ନେଇ କୌଣସି ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ଚାହୁଁ ନାହାନ୍ତି। ଯଦି ମୁଖା ଖୋଲିବ ତେବେ ଛତିଶଗଡ଼ ସରକାରଙ୍କର ଖୋଲିବ। ମହାନଦୀ ଉପର ମୁଣ୍ଡରେ ୬ଟା ବ୍ୟାରେଜ କରି ହୀରାକୁଦଠାରୁ ଅଧିକ ପାଣି ନେଉଛନ୍ତି। ଏହି ୬ଟାକୁ ବାଦ ଦେଲେ ଅନ୍ୟ ବ୍ୟାରେଜ ଗୁଡିକ ଜରିଆରେ ଆପଣ କେତେ ପାଣି ନେଉଥିବେ ତାହା ଜଣାପଡି ଯାଉଛି।”

କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଓଡ଼ିଶା ସରକାର ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି ବୋଲି ଆମେ ମଧ୍ୟ କହୁଛୁ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏବଂ ଜଳସମ୍ପଦ ମନ୍ତ୍ରୀ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ବକ୍ତବ୍ୟ ଦେଉଥାଇ ପାରନ୍ତି। ହେଲେ ସେ କେଉଁ ଭିତ୍ତିରେ କହୁଛନ୍ତି ହୀରାକୁଦକୁ ପାଣି ଆସିବା କମିବ ନାହିଁ ? ହୀରାକୁଦକୁ ଅଣ ମୌସୁମୀ ସମୟରେ ଯେତିକି ପାଣି ଆସୁଥିଲା ତାହା ବାଧାପ୍ରାପ୍ତ ହେବ।”

ଅନ୍ୟପକ୍ଷରେ କେନ୍ଦ୍ର ଜଳ ଆୟୋଗ ବସନ୍ତପୁର ସାଇଟ୍‌ର ତଥ୍ୟ ଅନୁସାରେ ଅଣ ମୌସୁମୀ ସମୟରେ ହୀରାକୁଦକୁ ଜଳ ପ୍ରବାହ କମିଛି। ସିଡବ୍ଲ୍ୟୁସି ତଥ୍ୟ ଅନୁସାରେ ୧୯୯୧-୨୦୦୧ ମସିହା ମଧ୍ୟରେ ହୀରାକୁଦକୁ ହାରାହାରି ୨୨୯୬ ମିଲିୟନ କ୍ୟୁବିକ ମିଟର ଜଳ ପ୍ରବାହିତ ହୋଇଥିଲା। ୨୦୦୧ରୁ ୨୦୧୧ ମଧ୍ୟରେ ଏହା ୧୭୬୩ ମିଲିୟନ କ୍ୟୁବିକ ମିଟରକୁ ଖସି ଆସିଥିଲା। ୨୦୧୧-୧୫ ମଧ୍ୟରେ ହୀରାକୁଦକୁ ୧୩୦୨ ମିଲିୟନ କ୍ୟୁବିକ ଜଳ ପ୍ରବାହିତ ହୋଇଥିବା ଜଣାପଡିଛି। ଏହି ତଥ୍ୟରୁ ଜଣାପଡୁଛି ଅଣ ମୌସୁମୀ ସମୟରେ ହୀରାକୁଦକୁ ଜଳ ପ୍ରବାହ କମିଛି। ଛତିଶଗଡ଼ ନିର୍ମାଣ କରୁଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହୋଇଗଲେ ଏହାର ପ୍ରଭାବ ଆହୁରି ଅଧିକ ହୀରାକୁଦ ଉପରେ ପଡିବ।

Related story