ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ୪ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ମାଲକାନଗିରି ଜିଲ୍ଲା । ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।
ମାଲକାନଗିରିରୁ ଜୟପୁର, ବାଲିମେଳା, କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାରେ ଥିବା ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ଥିବା ବେଳେ କଚା ଘର ଭାଙ୍ଗି ଯାଇଛି।
ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି।
ମାଲକାନଗିରିରେ ଲଗାଣ ବର୍ଷା କ୍ଷତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ବ୍ଲକ୍ ମୁଖ୍ୟାଳୟଗୁଡ଼ିକୁ ସଂଯୋଗ କରୁଥିବା ପୋଲ ନଷ୍ଟ ହୋଇଛି। ଜିଲ୍ଲାରେ ଯାତାୟାତ ନେଇ ଅସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଛି। ପାଣି କମିବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ପାଇଁ କୌଣସି ଜୀବନହାନି ହୋଇନି।
ଏଥିସହ ଜିଲ୍ଲାପାଳ କହିଛନ୍ତି, ଚିତ୍ରକୋଣ୍ଡା ଓ କାଲିମେଳା ବ୍ଲକରେ କିଛି ଘର ଭାଙ୍ଗିଛି। କଙ୍କୋରକୋଣ୍ଡାରେ ଭାସିଯାଇଥିବା ଟ୍ରକ୍ରୁ ୨ ଜଣ ଉଦ୍ଧାର ହୋଇଛନ୍ତି। ୩୪ଟି ଗାଁ ଲୋକଙ୍କ ଫସଲ ବର୍ଷା ପାଇଁ କ୍ଷତି ହୋଇଛି। ଗୋଟିଏ MIP ଚେକ୍ ଡ୍ୟାମ ଭାଙ୍ଗିବା ଯୋଗୁ ମାଥିଲିରେ ଚାଷ କ୍ଷତି ହୋଇଛି।
ଫସି ରହିଥିବା ପ୍ରାୟ ୧୦୦ ଜଣଙ୍କ ରହିବା, ଖାଇବାର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସକାଳେ ଆନ୍ଧ୍ରରୁ ଏକ ମାଲ ବୋଝେଇ ଟ୍ରକ୍ ମାଲକାନଗିରି ଅଭିମୁଖେ ଯାଉଥିଲା। ତେବେ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବା ବେଳେ ଟ୍ରକ୍ଟି ପୋଲ ଅତିକ୍ରମ କରୁଥିବା ଚେଷ୍ଟା କରି ନଦୀକୁ ଖସି ପଡ଼ିଲା। ଡ୍ରାଇଭର ଓ ହେଲପରଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
ଏହି ଘଟଣାର ଯେପରି ପୁନରାବୃତ୍ତି ହୋଇ ଯେପରି ଧନଜୀବନ ନଷ୍ଟ ନ ହୁଏ, ସେଥି ନିମନ୍ତେ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ପାଣି ପ୍ରବାହିତ ହେଉଥିବା ସ୍ଥାନରେ ରଶି ବାନ୍ଧି ଯାତାୟତ ବନ୍ଦ କରାଯାଇଥିବା ବେଳେ ପୁଲିସ୍ ମୁତୟନ କରାଯାଇଛି।