‘ଗୋବିନ୍ଦ ସାହୁ ମୃତ୍ୟୁ, ମମିତା ପାଇଁ ଜନ୍ମଦିନର ଗିଫ୍‌ଟ’

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): “ସେ ଯାହା ବି ହେଉ, ଯାହା ଦଣ୍ଡ ଦେବା କଥା, ଉପରବାଲା ତ ଦେଇଦେଲା। ତା’ଆଗରୁ ଯଦି ମୃତ୍ୟୁଦଣ୍ଡ ଶୁଣାଇଥାନ୍ତେ ନ୍ୟାୟାଳୟ, ତା’ହେଲେ ଆମେ ଆହୁରି ଖୁସି ହୋଇଥାନ୍ତୁ।” ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେର ଏପରି ମନ୍ତବ୍ୟ ଦେଇଛନ୍ତି। ବାପା ସୁଚନ୍ଦ୍ର ଓ ମା’ ତୁଳସୀ ଚାହୁଥିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶିଦଣ୍ଡ ମିଳୁ। କିନ୍ତୁ ଝିଅ ମମିତାର ଜନ୍ମଦିନର ଦିନକ […]

Mamita

  • Published: Wednesday, 21 December 2022
  • , Updated: 21 December 2022, 08:12 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): “ସେ ଯାହା ବି ହେଉ, ଯାହା ଦଣ୍ଡ ଦେବା କଥା, ଉପରବାଲା ତ ଦେଇଦେଲା। ତା’ଆଗରୁ ଯଦି ମୃତ୍ୟୁଦଣ୍ଡ ଶୁଣାଇଥାନ୍ତେ ନ୍ୟାୟାଳୟ, ତା’ହେଲେ ଆମେ ଆହୁରି ଖୁସି ହୋଇଥାନ୍ତୁ।” ଆଜିକୁ ବର୍ଷେ ତଳେ ନିଜର ବଢ଼ିଲା ଝିଅ ମମିତାଙ୍କୁ ହରାଇଥିବା ଶୋକସନ୍ତପ୍ତ ବାପା ସୁଚନ୍ଦ୍ର ମେହେର ଏପରି ମନ୍ତବ୍ୟ ଦେଇଛନ୍ତି। ବାପା ସୁଚନ୍ଦ୍ର ଓ ମା’ ତୁଳସୀ ଚାହୁଥିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶିଦଣ୍ଡ ମିଳୁ। କିନ୍ତୁ ଝିଅ ମମିତାର ଜନ୍ମଦିନର ଦିନକ ଆଗରୁ ନିଜେ ଜୀବନ ହାରିଦେଲା ଗୋବିନ୍ଦ। ଏହା ମମିତା ପାଇଁ ଗିଫ୍ଟ ବୋଲି କହିଛନ୍ତି ପରିବାର ଲୋକେ।

ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ମମିତା ମେହେର। ତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ। ମାମଲାର ବିଚାର ଚାଲିଥିବା ବେଳେ ମଙ୍ଗଳବାର ସକାଳେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଜେଲ୍‌ର ସୁରକ୍ଷା ବଳୟ ଭିତରେ ଥିବା ଗୋବିନ୍ଦ କେମିତି ଆତ୍ମହତ୍ୟା କଲା? ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହା ପରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଟିମ୍‌ କଣ୍ଟାବାଞ୍ଜି ଜେଲ୍‌ରେ ପଶି ସୁଇସାଇଡ୍‌ ମିଷ୍ଟ୍ରିର ଖୋଳତାଡ଼ କରୁଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ୧୦ ଜଣିଆ ଟିମ୍‌ ଉପ କାରାଗାର ଯାଇ ଜେଲ୍‌ ଡିଆଇଜି ଅନୁସୂୟ ଜେନାଙ୍କ ଉପସ୍ଥିତିରେ ତଦନ୍ତ ଚଳାଇଛି। ଯେଉଁଥିରେ ସାମିଲ ଅଛନ୍ତି ଫରେନ୍ସିକ ଓ ସାଇବର ଏକ୍ସପର୍ଟ। ତେବେ ସ୍ୱାଭାବିକ ଆଚରଣ କରୁଥିବା ଅଭିଯୁକ୍ତ ଗୋବିନ୍ଦ ଜୀବନ ହାରିଦେଲା କାହିଁକି ? ଗୋବିନ୍ଦ ମୃତ୍ୟୁର କଠିନ ରାସ୍ତା ବାଛିବା ପଛରେ କଣ ରହିଛି ରହସ୍ୟ? ମୃତ୍ୟୁର ୩୬ ଘଣ୍ଟା ପରେ ମଧ୍ୟ ସାମ୍ନାକୁ ଆସିନି ପୂରା ତଥ୍ୟ।

ଅନ୍ୟପକ୍ଷରେ ବିଭାଗୀୟ ଅବହେଳାକୁ ସ୍ୱୀକାର କରିଛନ୍ତି ଜେଲ୍ DIG ଶୁଭକାନ୍ତ ମିଶ୍ର। ସୋ କହିଛନ୍ତି, ଜେଲ୍‌ରେ ସମସ୍ତଙ୍କ ସହ ଗୋବିନ୍ଦର ଭଲ ସଂପର୍କ ଥିଲା। ୱାର୍ଡେଙ୍କ ଅବହେଳାରୁ ସେ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇଥିଲା। ଜେଲ୍‌ କିଚେନ ପଛପଟ ଝରକାରେ ବେକରେ ନିଜ ଗାମୁଛା ଗୁଡ଼ାଇବା ସହ ଝୁଲିପଡ଼ି ଆତ୍ମହତ୍ୟା କରିଥିବା ଜେଲ୍‌ DIG କହିଛନ୍ତି। ତେବେ ଟ୍ୟାପ୍‌ରୁ ପାଣି ନେବା ପାଇଁ ଆସିଥିବା ବେଳେ ଅନ୍ୟ ଜଣେ ବନ୍ଦୀ ଦେଖି ପାଟି କରିଥିଲେ। ଆତ୍ମହତ୍ୟା କରିଥିବା ଜାଗାରେ ସିସିଟିଭି ନଥିଲା। ବିଚାର ବିଭାଗୀୟ ତଦନ୍ତରୁ କାହାର ଅବହେଳା ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ଜେଲ୍‌ ଡିଆଇଜି କହିଛନ୍ତି।

ସେପଟେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶରେ ଆଜି ସକାଳେ ବୁର୍ଲା ମେଡ଼ିକାଲ୍‌ ଓ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜର ଏଫ୍ଏମ୍‌ଟି ଡାକ୍ତରୀ ଟିମ୍‌ ମିଶି ମୃତଦେହର ବ୍ୟବଚ୍ଛେଦ କରିଛନ୍ତି। ଯାହାର ଭିଡ଼ିଓ ରେକର୍ଡିଂ ମଧ୍ୟ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା। ମାତ୍ର ପରିବାର ଲୋକେ ମୃତଦେହ ନେଇନଥିଲେ। ଯାହାକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲା। ତେଣୁ ବାଧ୍ୟ ହୋଇ ପୁଲିସ୍‌ ମୃତଦେହକୁ ମର୍ଗ ଫ୍ରିଜରରେ ରଖିବାକୁ ବାଧ୍ୟ ହୋଇଥିଲା କିଛି ଘଣ୍ଟା ପରେ ବେଙ୍ଗାଳୁରୁରେ ଚାକିରି କରୁଥିବା ବଡ଼ ଝିଅ ଲିପିକା ସାହୁ ବାପାର ମୃତଦେହକୁ ଗ୍ରହଣ କରିଥିଲେ। ଏହା ପରେ ମୃତଦେହକୁ ଗୋବିନ୍ଦଙ୍କ ଗାଁ ମହାଲିଙ୍ଗକୁ ନେଇଯାଇଥିଲେ। ଗାଁରେ ମୃତଦେହ ପହଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା। ଶହଶହ ସମର୍ଥକ ରାସ୍ତାକୁ ପଳାଇ ଆସିଥିଲେ। ଶେଷଦର୍ଶନ ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଚିନୁ ସାହୁ ମୁଖାଗ୍ନି ଦେଇଥିଲେ। ସେଠାରେ ତିନି ଝିଅ ଲିପିକା, ଲିମା, ଲିଜା ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

 

Related story