ହାତୀ-ମଣିଷ ଲଢେଇ ଆଉ କେତେଦିନ?

ପାଲଲହଡା(ରବି ନାରାୟଣ ପ୍ରଧାନ): ସୃଷ୍ଟି ଆରମ୍ଭରୁ ରହି ଆସିଛି ଖାଦ୍ୟ ପାଇଁ ଲଢ଼େଇ। ମରତା କ୍ୟା ନେହିଁ କରତା ନ୍ୟାୟରେ ଜୀବନ ବଞ୍ଚେଇବାକୁ କରୁଛନ୍ତି ସଂଗ୍ରାମ। ଏହାରି ଭିତରେ ଖବର ଆସୁଛି ଆଜି ଏଠି ହାତୀ ମଲା, କାଲି ସେଠି ହାତୀ ଆକ୍ରମଣରେ ମଣିଷ। ମୃତ୍ୟୁ ମୁଖରେ ପଡୁଛନ୍ତି ଉଭୟ ଯୋଦ୍ଧା। ଉଭୟ ଛକ୍କା ପଞ୍ଝାରେ ବିତାଉଛନ୍ତି ଜୀବନ। କେହି ଏଠି ଶାନ୍ତିରେ ରହି ପାରୁ ନାହାନ୍ତି। ବର୍ତ୍ତମାନ ଧାନ ଅମଳ ସମୟ। ପଲ ପଲ ହାତୀଙ୍କ […]

elephant

Tapas Behera
  • Published: Saturday, 12 December 2020
  • , Updated: 12 December 2020, 07:50 PM IST

ପାଲଲହଡା(ରବି ନାରାୟଣ ପ୍ରଧାନ): ସୃଷ୍ଟି ଆରମ୍ଭରୁ ରହି ଆସିଛି ଖାଦ୍ୟ ପାଇଁ ଲଢ଼େଇ। ମରତା କ୍ୟା ନେହିଁ କରତା ନ୍ୟାୟରେ ଜୀବନ ବଞ୍ଚେଇବାକୁ କରୁଛନ୍ତି ସଂଗ୍ରାମ। ଏହାରି ଭିତରେ ଖବର ଆସୁଛି ଆଜି ଏଠି ହାତୀ ମଲା, କାଲି ସେଠି ହାତୀ ଆକ୍ରମଣରେ ମଣିଷ। ମୃତ୍ୟୁ ମୁଖରେ ପଡୁଛନ୍ତି ଉଭୟ ଯୋଦ୍ଧା। ଉଭୟ ଛକ୍କା ପଞ୍ଝାରେ ବିତାଉଛନ୍ତି ଜୀବନ। କେହି ଏଠି ଶାନ୍ତିରେ ରହି ପାରୁ ନାହାନ୍ତି। ବର୍ତ୍ତମାନ ଧାନ ଅମଳ ସମୟ। ପଲ ପଲ ହାତୀଙ୍କ ନଜର ଏବେ ଧାନ ଫସଲ ଉପରେ। ଧାନ ଗଛ ଖାଉ ନାହାନ୍ତି ଯେତିକି, ସେତିକିରୁ ଅଧିକ ମାଡିଦଳି ନଷ୍ଟ କରୁଛନ୍ତି ହାତୀ। ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏଠି ଦୋଷ କାହାର? ହାତୀପଲ ପଶି ଆସିଥିବାରୁ ଗାଁ ଚାଷୀ ଲୋକେ ବି ଛାନିଆ। ଦିନେ ଦୁଇ ଦିନ ନୁହେଁ, ବରଂ ମାସ ମାସ ଧରି ଗାଁ ମାନଙ୍କରେ ହାତୀ ଉପଦ୍ରବ ଦେଖା ଦେଉଥିବା ବେଳେ ଜମିରୁ ଫସଲ ସରିବା ପର୍ଯ୍ୟନ୍ତ ଅର୍ଥାତ ଆହୁରି ଦୁଇ ତିନି ମାସ ପର୍ଯ୍ୟନ୍ତ ଏମିତି ଲଢ଼େଇ ଚାଲିବ। । ଘରଦ୍ୱାର, ପିଲାଛୁଆ ସଂସାର ଛାଡି ରାତି ଧାନ ଫସଲ କୁ ସୁରକ୍ଷା ଦେବା ପାଇଁ ରାତି ସାରା ଜମି ରେ ଜଗି ରହୁଛି ଚାଷୀ। ଗାଁ ସାରା ଲୋକେ ନିଆଁ ହୁଳା, ବାଣ, ଫୁଟାଇ ଘଉଡାଇବା କୁ ଚେଷ୍ଟା କରୁଛନ୍ତି। ଗୋଟିଏ ଗାଁରୁ ଆଉ ଗୋଟିଏ ସାହିକୁ କିମ୍ବା ଗାଁ ଜଙ୍ଗଲକୁ ପ୍ରାଣ ବିକଳରେ ଦୌଡୁଛନ୍ତି ହାତୀ ପଲ। ଗଲାବେଳେ ବାଟରେ ପଡୁଥିବା ଚାଷଜମିରେ ଚାଲି ଯାଉଥିବାରୁ ନଷ୍ଟ ହୋଇଯାଉଛି ଧାନ ଫସଲ। ପୁଣି ସନ୍ଧ୍ୟା ହେଲେ ନିଜ ଜୀବନକୁ ବଞ୍ଚାଇ ବାକୁ ଆଶ୍ରୟ ନେଇଥିବା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରିବା ମାତ୍ରେ ଢୋ ଢା ବାଣ ଆଉ ଚାଷୀଙ୍କ ନିଆଁ ହୁଳା ଦେଖି ଭୟରେ ଦୌଡ଼ି ବୁଲୁଛନ୍ତି।

କୌଣସି ଚାଷୀ ବାଟ ଛାଡି ଦେବାକୁ ନାରାଜ। ମୋ ଜମି କେମିତି ନଷ୍ଟ ନ ହେବ ସେଇ ଚିନ୍ତାରେ ଚାଷୀ ଥିବାବେଳେ ଏଠି ପ୍ରଶ୍ନ ଉଠୁଛି ହାତୀ କୁ କୁଆଡେ ଘଉଡା ଯିବ ।ଚାରିଆଡେ ଲୋକେ ଜଗିଛନ୍ତି।ତାହେଲେ ହାତୀ ଯିବେ କୁଆଡେ? ଖାଇବେ କଣ? ବଂଚିବେ କେମିତି? ଇଏ ଗଲା ହାତୀ କଥା।ନିଜ ଫସଲକୁ ସୁରକ୍ଷା ଦେବାକୁ ଚାଷୀ ଏଠି ଦିନ ରାତି ଏକାକାର କରି ଦେଇଛି।ନିଜ ଫସଲକୁ ସୁରକ୍ଷା ଦେବାକୁ ନିଆଁ ହୁଳା , ବାଜା ବାଣ,ଟର୍ଚ୍ଚ ମାରିବା ସହ ଧର ଧର ମାର ମାର କରି ରାତିସାରା ଚିଲାଉଛି। ଏପଟେ ଗ୍ରାମବାସୀ ଙ୍କ ଅଭିଯୋଗ ଆଧାରରେ ବନବିଭାଗ କର୍ମଚାରୀ ମଧ୍ୟ ନାକେଦାମ। ହାତୀକୁ କୁଆଡେ ଘଉଡାଇବେ? ହାତୀ ନିଜେ ନିଜେ ହୁଡା ଉପର ଦେଇ ବାଧ୍ୟ ସନ୍ତାନ ଭଳି ଗୋଟିଏ ଗାଁରୁ ଆଉ ଗୋଟିଏ ବହୁ ଦୂରରେ ଥିବା ଗାଁକୁ କେମିତି ଯାଇ ପାରିବେ? ହାତୀ ଥିବା ଅଞ୍ଚଳରେ ବନବିଭାଗ ଲୋକଙ୍କ ସହ ଜଗିରହୁଛି ହାତୀଙ୍କୁ।ଅବସ୍ଥିତି ସମ୍ପର୍କରେ ଉପର ଅଫିସରଙ୍କୁ ତଳ କର୍ମଚାରୀ ହ୍ଵାଟ୍ସଆପରେ ଜଣାଉଛି। ଆଜି ଅମୁକ ଜଙ୍ଗଲରେ ବା ଗାଁରେ ଏତେ ହାତୀ, ତା ଭିତରେ କେତେ ଛୁଆ ହାତୀ, କେତେ ମାଈ,କେତେ ଅଣ୍ଡିରା, କେତେ ଦନ୍ତା ସବୁର ଟିକିନିଖି ଖବର ଅବଗତ କରାଉଛି।

ହାତୀ ନାଁ ଶୁଣିଲେ ବନବିଭାଗ କର୍ମଚାରୀଙ୍କ ଛାତି ମଧ୍ୟ ଥରି ଯାଉଛି। ହାତୀ ଯଦି କେଉଁଠି ମଲା ତା’ହେଲେ ଚାକିରି ଖଣ୍ଡିକ ଯିବାର ଭୟ ରହୁଛି। ବାଧ୍ୟହୋଇ ଜୀବନ ବିକଳରେ ସହରରେ ଥିବା ସରକାରୀ ବାସଭବନ ଛାଡି ଅମଳ ଦୁଇ ତିନି ମାସ ଲୋକଙ୍କ ସହ ହାତୀର ଗତିବିଧି ଉପରେ ନଜର ରଖୁଛି। ଯଦି ଗାଁ ମୁଣ୍ଡରେ ଥିବା ହାତୀ ଆକ୍ରମଣରେ କାହାର ଜୀବନ ଗଲା ତାହେଲେ ଘଟଣା ଆହୁରି ସଙ୍ଗୀନ ହୋଇ ଯାଉଛି। ଏଠି ପ୍ରଶ୍ନ ଉଠୁଛି ମଣିଷ,ହାତୀ ଭିତରେ ଲଢେଇ ଆଉ କେତେଦିନ ଚାଲିବ। ଏଠି ହାତୀ ଖାଦ୍ୟ ପାଇଁ ଲଢେଇ କରୁଛି।

ମଣିଷ ତାଖାଦ୍ୟକୁ ହାତୀ ଦାଉରୁ ସୁରକ୍ଷା ଦେବାକୁ ସଂଗ୍ରାମ କରୁଛି। ଆଉ ସରକାର ମଧ୍ୟ ଖାଦ୍ୟ ପାଇଁ ଲଢ଼େଇ କରୁଛନ୍ତି। ବଣ ଜଙ୍ଗଲ ଘେରା ପାହାଡ଼ କାଟି ଖଣି ଖଦାନରୁ ମାଲ ଉତ୍ତୋଳନ ହେଲେ ଯାଇ ସରକାରଙ୍କୁ ରାଜସ୍ୱ ମିଳିବ। ରାଜସ୍ୱ ଆସିଲେ ଦେଶ ଚାଲିବ। ବୋଧ ହୁଏ ଏଥିପାଇଁ ସରକାର ହାତୀ ସମସ୍ୟା ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି। ହାତୀ ଉପଦ୍ରବରେ କ୍ଷୟକ୍ଷତି ହେଲେ କ୍ଷରିଗ୍ରସ୍ତ ଚାଷୀକୁ ଏକର ପିଛା ୧୦ ହଜାର ସହାୟତା ଦିଆ ଯାଉଛି। ସରକାର ମଧ୍ୟ ଖାଦ୍ୟ ପାଇଁ ସଂଗ୍ରାମ କରୁଥିବାରୁ ଏହି ତ୍ରିକୋଣୀୟ ଲଢେଇ ରେ (ମଣିଷ-ହାତୀ-ସରକାର) ଏବେ ସମସ୍ତେ ନାକେଦାମ। ତ୍ରିକୋଣୀୟ ଲଢେ଼ଇରେ ହାତୀର ପରିଚୟ ଏବେ ବିପତ୍ତିର ନମୁନା ପାଲଟି ଯାଇଥିବା ଦେଖା ଯାଉଛି। ହାତୀର ଏଠି ଦୋଷ କଣ? ସେ ଜୀବନ ବଞ୍ଚେଇ ବାକୁ ରାତିସାରା ଦୌଡ଼ି ବୁଲୁଛି।ଏଠି ମଣିଷ କି ଦୋଷ କରିଛି ଯେ ସେ ଧାନ ଫସଲ ବଞ୍ଚାଇବା ପାଇଁ ମାସମାସ ଧରି ଘରେ ଶାନ୍ତି ରେ ରହି ପାରୁନି। ଏମିତି ଛକ୍କା ପଂଜା ଜୀବନ କେତେଦିନ ପର୍ଯ୍ୟନ୍ତ ଚାଲିଥିବ ?

ସତରେ କଣ ୟା ପାଇଁ କୌଣସି ସମାଧାନର ରାସ୍ତା ନାହିଁ? କେନ୍ଦ୍ର ଓ ରାଜ୍ୟସରକାରଙ୍କ ଲକ୍ଷ ଲକ୍ଷ ପଦାଧିକାରୀ, କର୍ମଚାରୀ, ସରକାରୀ ମୁଣ୍ଡିଆଳ,ବିଶେଷଜ୍ଞ, କାହାରି ପାଖରେ ଏ ଯୁଦ୍ଧର ପରିସମାପ୍ତି ଘଟାଇବାକୁ ସତରେ ବୁଦ୍ଧି ଜୁଟୁନି? ସେଭ ଗଜରାଜ,ନାଁରେ ଚାଲିଲା ଯୋଜନା। ହାତୀଙ୍କୁ ସୁରକ୍ଷା ଦେବାକୁ। ଅଧିକାଂଶ ହାତୀଙ୍କ ମୃତ୍ୟୁ ଗାଁ ମୁଣ୍ଡରେ ହେଉଥିବା ଦେଖା ଯାଉଛି।ପଚାରିଲେ ବନବିଭାଗ ଉତ୍ତର ଦିଏ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ନହେଲେ ହାତୀ ଲଢେ଼ଇ ହୋଇ ପ୍ରାଣ ହରାଇଛି । ସତରେ ଗାଁ ମୁଣ୍ଡ ବସ୍ତି ନିକଟରେ ପହଁଚିଲେ ହାତୀ ମାନଙ୍କର ବାର୍ଦ୍ଧକ୍ୟ ଆସେ? ନା ଚାକିରୀ ଖଣ୍ଡିକ ବଞ୍ଚାଇବା ପାଇଁ ବନ ବିଭାଗ କର୍ମଚାରୀ ଏମିତି ଉତ୍ତର ରଖନ୍ତି। ଜଙ୍ଗଲରେ ବିଛା ଯାଇଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ବହୁ ହାତୀଙ୍କ ଜୀବନ ଯାଉଥିବା ବେସରକାରୀ ସୂତ୍ରରୁ ଜଣା ପଡୁଛି।

ହାତୀ ଆକ୍ରମଣରେ କେହି ମୃତାହତ ହେଲେ କିମ୍ବା ଫସଲ ନଷ୍ଟ ହେଲେ ବାର୍ଷିକ କୋଟି କୋଟି ଟଙ୍କାର କ୍ଷତିପୂରଣ ଦିଆ ଯାଉଛି। ଏହା କିନ୍ତୁ ଚିରସ୍ଥାୟୀ ସମାଧାନ ର ରାସ୍ତା ବୋଲି ମନେ ହେଉନି।

ଏପଟେ ଜଙ୍ଗଲ ବିଭାଗ ମୂଳ ଲକ୍ଷରୁ ଦୁରେଇ ଯାଇଛି।ଜଙ୍ଗଲ କୁ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିବା କର୍ମଚାରୀ ଏବେ ହାତୀ ଜଗିବାରେ ଲାଗି ଥିବା ଦେଖା ଯାଉଛି। ହାତୀ ଦ୍ୱାରା ଫସଲ ହାନି ହେଲେ ଏକର ପିଛା ୧୦ ରୁ ୧୨ ହଜାର କ୍ଷତିପୂରଣ, ମଣିଷ ମଲେ ଚାରି ଲକ୍ଷ, ଆହତ ହେଲେ ୫ହଜାର ରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା,ହାତୀ ମଲେ କିମ୍ବା ମୃତ ହାତୀର ଦାନ୍ତ ଚୋରି ହେଲେ ବନକର୍ମଚାରି ଙ୍କୁ ନିଲମ୍ବନ କିମ୍ବା ତଦନ୍ତ ଆଦି ନିର୍ଦ୍ଦେଶ ଦେଇଦେଲେ ସମସ୍ୟାର ସମାଧାନ ହୋଇ ଯାଉନି। ଏକର ପିଛା ଫସଲ ର କ୍ଷତିପୁରଣ ଦେଇଦେଲେ ଚାଷୀର ସମସ୍ୟା ହଟୁନି। କିନ୍ତୁ ଏଠି ମାସ ମାସ ଧରି ନିଜ ଛୁଆପିଲାଙ୍କୁ ଛାଡି ଜମି ମାଳରେ, ମଞ୍ଚା ଉପରେ ଜୀବନକୁ ବାଜି ଲଗାଇ ଜୀବନ ବିତାଇବାର ମୂଲ୍ୟ କିଏ ଦେଇ ପାରିବ ? ହାତୀ ମଣିଷ ଲଢ଼େଇ ରେ ଏଠି କିଏ ସାଜୁଛି ଦର୍ଶକ ? କିଏ ଉପଭୋଗ କରୁଛି ଏହି ଲଢ଼େଇକୁ ? କାହା ପାଇଁ ଆଜି ଉଭୟ ମଣିଷ ଆଉ ହାତୀ ଜୀବନ ବିପଦରେ ?

Related story