ପାରାଦୀପ (ରମାକାନ୍ତ ନାୟକ): ପାରାଦୀପରେ ପୁଣି ତାଲିବାନୀ ଷ୍ଟାଇଲ୍ରେ ଦିଆଯାଇଛି ଦଣ୍ଡ। ପୁଣି ସେହି ୫ ନମ୍ବର (କ) ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଅର୍ଥାତ୍ ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ। ଜଣେ ଯୁବକଙ୍କ ହାତଗୋଡ଼ ବାନ୍ଧି ଟ୍ରକ ଡାଲାରେ ପକାଇ ନିଆଯାଉଥିବା ବେଳେ ଧରିଥିଲା ପୁଲିସ୍। ଉକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଆଜି ପୁଲିସ୍ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ଗିରଫ ଡ୍ରାଇଭରଙ୍କ ନାଁ ସଦାନନ୍ଦ ରାଉତ (୩୭)। ତାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଭୁବନରେ। ସେହିଭଳି ଉଦ୍ଧାର ହୋଇଥିବା ଯୁବକଙ୍କ ନାଁ ମିଥୁନ ମଲ୍ଲିକ। ତାଙ୍କ ଘର ପାରାଦୀପର ବିତରଗଡ଼ା ଅଞ୍ଚଳରେ।
ମୋବାଇଲ ଚୋର ସନ୍ଦେହରେ ମିଥୁନଙ୍କୁ ଟ୍ରକ୍ ଡ୍ରାଇଭର ସଦାନନ୍ଦ ଓ ହେଲପର କାଳିଆ ବାରିକ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ଯାଉଥିଲେ। ସଦାନନ୍ଦ ଧରାପଡ଼ିଥିବା ବେଳେ ହେଲପର କାଳିଆ ବାରିକ କୌଶଳ କ୍ରମେ ଫେରାର ହୋଇଯାଇଛି।
ପୁଲିସ କହିଛି, ଅଭିଯୁକ୍ତ ଡ୍ରାଇଭର ଓ ହେଲପର ରବିବାର ପାରାଦୀପ ଅଞ୍ଚଳର ମିଥୁନଙ୍କୁ ପ୍ରବଳ ମାଡ଼ ମାରିବା ପରେ ତାଙ୍କ ହାତଗୋଡ଼ ବାନ୍ଧି ଏକ ୧୨ ଚକିଆ ଟ୍ରକ ଡାଲାରେ ପକାଇ ପାରାଦୀପରୁ ଚଣ୍ଡିଖୋଲ ଆଡକୁ ନେଇ ଯାଉଥିଲେ। ମାର୍ଶାଘାଇ ହଜାରି ଛକ ନିକଟରେ ଗାଡ଼ି ରଖି ଡ୍ରାଇଭର ଚା’ ପିଇବାକୁ ଯାଇଥିବା ବେଳେ ବନ୍ଧା ହୋଇ ଡାଲାରେ ବସିଥିବା ମିଥୁନ ଜୋରରେ ଚିତ୍କାର କରିଥିଲେ। ଲୋକେ ସନ୍ଦେହରେ ପଚରାଉଚରା କରିବାରୁ ଡ୍ରାଇଭର ଟ୍ରକ ନେଇ ଖସି ପଳାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସର ଏକ ଟିମ୍ ଟ୍ରକକୁ ପିଛା କରି ଧରିବାରେ ସଫଳ ହୋଇଥିଲା। ଡ୍ରାଇଭର ଡାଲା ଖୋଲିବା ପରେ ସେଥିରେ ମିଥୁନ ଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବନ୍ଧା ଯାଇଥିଲା।
ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ପୁଲିସ ଗିରଫ କରିଛି। ପଚରାଉଚରା ବେଳେ ଡ୍ରାଇଭର ପୁଲିସକୁ କହିଛି ଯେ ମିଥୁନ ତାଙ୍କ ଟ୍ରକ୍ କ୍ୟାବିନ ଭିତରୁ ୧୧ ହଜାର ଟଙ୍କା ଚୋରି କରିବା ପରେ ପାଖ ଟ୍ରକ୍ରୁ ମୋବାଇଲ ଚୋରି କରିଥିଲେ। ତେଣୁ ସେ ତାଙ୍କୁ ବାନ୍ଧି ନେଇ ଯାଉଥିଲେ। ଚୋରି ବିଷୟରେ ଟ୍ରକ୍ ଡ୍ରାଇଭର ପୁଲିସକୁ ନ ଜଣାଇ ଆଇନକୁ ହାତକୁ ନେବା ଉଦ୍ବେଗର ବିଷୟ ହୋଇଛି।
ସୂଚନାଯୋଗ୍ୟ, ମାସକ ତଳେ ପାରାଦୀପରେ ମୋବାଇଲ୍ ଚୋରି ଅଭିଯୋଗରେ ଚଳନ୍ତା ଟ୍ରକ ଇଞ୍ଜିନ ଆଗରେ ଜଣେ ଯୁବକକୁ ବାନ୍ଧି ଦିଆଯାଇଥିଲା। ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।