ଝିଅର ହାତଗଣ୍ଠି ପଡ଼ିବା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମିଳିଲା ବାପାର ମୃତଦେହ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଝିଅର ବିବାହ ପାଇଁ ଚାଲିଥିଲା ଜୋରସୋରରେ ପ୍ରସ୍ତୁତି। କିଛି ଘଣ୍ଟା ପରେ ବାଜିଥାନ୍ତା ସାହାନାଇ। ଝିଅକୁ କନିଆ ବେଶରେ ବିଦା କରିଥାନ୍ତେ ବାପା। ସୁଖର ସଂସାର ଗଢ଼ିବାକୁ ଦେଇଥାନ୍ତେ ଆଶୀର୍ବାଦ। ତା’ ପୂର୍ବରୁ ପରିବାର ଉପରକୁ ଘୋଟି ଆସିଲା କଳା ବାଦଲ। ଯେପରି ସବୁ ଓଲଟପାଲଟ ହୋଇଗଲା। ଝିଅର ବିବାହ ପୂର୍ବରୁ ବାପାର ମୃତ୍ୟୁ ଘଟିଲା। ଏଭଳି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ। ମୃତକ ହେଲେ ପର୍ଶୁମାଳ ଗାଁର […]

married

Tapaswini Nayak
  • Published: Tuesday, 03 May 2022
  • , Updated: 03 May 2022, 12:56 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଝିଅର ବିବାହ ପାଇଁ ଚାଲିଥିଲା ଜୋରସୋରରେ ପ୍ରସ୍ତୁତି। କିଛି ଘଣ୍ଟା ପରେ ବାଜିଥାନ୍ତା ସାହାନାଇ। ଝିଅକୁ କନିଆ ବେଶରେ ବିଦା କରିଥାନ୍ତେ ବାପା। ସୁଖର ସଂସାର ଗଢ଼ିବାକୁ ଦେଇଥାନ୍ତେ ଆଶୀର୍ବାଦ। ତା’ ପୂର୍ବରୁ ପରିବାର ଉପରକୁ ଘୋଟି ଆସିଲା କଳା ବାଦଲ। ଯେପରି ସବୁ ଓଲଟପାଲଟ ହୋଇଗଲା। ଝିଅର ବିବାହ ପୂର୍ବରୁ ବାପାର ମୃତ୍ୟୁ ଘଟିଲା। ଏଭଳି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ। ମୃତକ ହେଲେ ପର୍ଶୁମାଳ ଗାଁର ସୁରଥ ବେହେରା।

ଆଜି ମଧ୍ୟାହ୍ଣରେ ସୁରଥଙ୍କ ଝିଅର ବିବାହ ଥିଲା। ହଠାତ୍ ସକାଳେ ସୁରଥ କୁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ଘରଠାରୁ ୩ କିଲୋମିଟର ଦୂର ଗଦେଇମୁଣ୍ଡା ନିକଟ ରେଳଲାଇନ୍‌ରୁ ସୁରଥଙ୍କ ମୃତଦେହ ମିଳିଥିଲା। ସୁରଥଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଭାଙ୍ଗି ପଡ଼ିଥିଲା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

ତେବେ ବିବାହ ହେବ କି ତାହା ଜଣାପଡ଼ି ନାହିଁ। ବରପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ଜଣାଯାଇଛି।

ସୁରଥ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ହେବ ସୁରଥ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Related story