କଣ୍ଟାବାଞ୍ଜି( ଅନ୍ତିମ କୁମାର ପାଣିଗ୍ରାହୀ): ସିନ୍ଧେକେଲା ଥାନା ସାଲେବରଟ ଗାଁର ୧୨ ବର୍ଷର ଭଉଣୀକୁ ବଳି ଅଭିଯୋଗରେ ଗତ ୬।୦୧।୨୦୨୦ ତାରିଖରେ ସିନ୍ଧେକେଲା ପୁଲିସ ଶୋଭାବନ ରଣାକୁ ଗିରଫ କରିଥିଲା । ଦୀର୍ଘ ଦିନ ହେଲା ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଗୁରୁ କୁଞ୍ଜ ରଣା ଫେରାର ଥିଲା l ଆଜି ଗୁରୁ କୁଞ୍ଜ ରଣା ଘରକୁ ଫେରିବା ପରେ ଖବର ପାଇ ସିନ୍ଧେକେଲା ପୁଲିସ ତାଙ୍କୁ ଗିରଫ କରିଛି।
ସୂଚନା ଯୋଗ୍ୟ ଯେ , ସିନ୍ଧେକେଲା ଥାନା ଝଲପ ପଞ୍ଚାୟତର ସାଲେବରଟ ଗାଁର ମୁସୁର ରଣାଙ୍କ ଝିଅ ଜନନୀ ରଣାକୁ ୨୦୧୯ ମସିହା ଡିସେମ୍ବର ମାସ ୨୪ ତାରିଖରେ ତାଙ୍କ ବଡ଼ଭାଇ ଶୋଭାବନ ରଣା ବସ ଷ୍ଟପକୁ ସାଇକେଲ ଯୋଗେ ଛାଡ଼ିବାକୁ କହି ସାଥିରେ ନେଇଥିଲେ। ହେଲେ ଗନ୍ଧର୍ଲା ପଞ୍ଚାୟତର ବରକାନୀ ଗାଁ ନିକଟ ଘଞ୍ଚ ସଂରକ୍ଷିତ ଚକାଗୁଜିଆ ଜଙ୍ଗଲରେ ଜନନୀକୁ ଉଭୟ ଶୋଭାବନ ଓ ମାଷ୍ଟର ମାଇଣ୍ଡ ଗୁରୁ କୁଞ୍ଜ ରଣା ହତ୍ୟା କରିଥିଲେ । ପରିବାର ପକ୍ଷରୁ ଝିଅ ଘରକୁ ଫେରି ନ ଥିବା ଦେଖି ତିନି ଦିନ ପରେ ୨୭ ତାରିଖ ଦିନ ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭାଇ ଶୋଭାବନ ହିଁ ନିଜ ଭଉଣୀ ଜନନୀକୁ ବଳି ଦେଇଥିବା ସନ୍ଦେହ କରି ସିନ୍ଧେକେଲା ଥାନା ଘେରାଓ କରିଥିଲେ ଗାଁ ଲୋକେ l ପରେ ଜଙ୍ଗଲରୁ ମୃତ ଦେହ ଠାବ କରି ଗିରଫ ହୋଇଥିଲା ଶୋଭାବନ l ପରେ ପୁଲିସ ଶୋଭାବନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଭାଇ ଶୋଭାବନ ବର୍ତ୍ତମାନ ଜେଲ ହାଜତରେ ଥିବା ବେଳେ ବଳି ଘଟଣା ଦିନଠୁ ଫେରାର ହୋଇ ଯାଇଥିଲା ଗୁରୁ କୁଞ୍ଜ ରଣା। ଏବେ ସେ ସାଲେବରଟର ଘରୁ ଆସିବା ଖବର ପାଇ ପୁଲିସ ପହଞ୍ଚି ଥିଲା।
କରୋନା ସ୍ୱାବ ପରୀକ୍ଷା କରି ରିପୋର୍ଟ ଆସିଲା ପରେ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଗୁରୁ କୁଞ୍ଜ ରଣାକୁ ସିନ୍ଧେକେଲା ପୋଲିସ ଗିରଫ କରିଛି l ପୂର୍ବରୁ ୧୪-୧୦-୨୦୧୮ରେ ଦଶହରା ସମୟ ଅମାବାସ୍ୟା ରାତିରେ ଗୁପ୍ତ ଧନ ପାଇବା ଆଶାରେ ସିନ୍ଧେକେଲା ରଣା ପଡ଼ାର ମାମୁ ପୁଅ ଭାଇ ମିଥୁନଙ୍କୁ ବଳି ଦେଇ ଗିରଫ ହୋଇଥିଲା ଗୁରୁ କୁଞ୍ଜ l ପରେ ଜେଲରୁ ବାହାରି ପୁଣି ଜନନୀକୁ ବଳି ଦେଇଥିବା ଅଭିଯୋଗରେ ଗୁରୁ କୁଞ୍ଜ ରଣାକୁ ଗିରଫ କରାଯାଇଥିବା ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ଶତପଥୀ କହିଛନ୍ତି l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।