Advertisment

ବାଜପେୟୀଙ୍କ ପାଇଁ ଏକାଠି ହେଲେ ରାଜ୍ୟର ସବୁ ନେତା

ଭୁବନେଶ୍ୱର (ପ୍ରକାଶ ସେଠୀ): ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସର୍ବଧର୍ମ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତିକ ଦଳ ପକ୍ଷରୁ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ସବୁ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ବାଜପେୟୀଙ୍କ ପାଇଁ ଏକାଠି ହେଲେ ରାଜ୍ୟର ସବୁ ନେତା

smruti

ଭୁବନେଶ୍ୱର (ପ୍ରକାଶ ସେଠୀ): ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସର୍ବଧର୍ମ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତିକ ଦଳ ପକ୍ଷରୁ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ସବୁ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି।

Advertisment

publive-image

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, "ବାଜପେୟୀଙ୍କ ଅଭାବ ଆମ ସମସ୍ତଙ୍କୁ ବ୍ୟଥିତ କରିଛି। ମୋର ବ୍ୟକ୍ତିଗତ କ୍ଷତି ମଧ୍ୟ ହୋଇଛି।"

ସେ ଆହୁରି କହିଥିଲେ, "ବାଜପେୟୀଙ୍କର ବିଶାଳ ହୃଦୟରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ସେ ଥିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଆଦର୍ଶବାଦ ଓ ସହନଶୀଳତାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ବିୟୋଗରେ ବାସ୍ତବରେ ଗୋଟିଏ ଯୁଗର ଅବସାନ ଘଟିଛି। ବାଜପେୟୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି।"

Advertisment

publive-image

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ରାଜନୀତିର ଅଦ୍ୱିତୀୟ ଧ୍ରୁବତାରା ହେଉଛନ୍ତି ଅଟଳ ବିହାରୀ ବାଜପେୟୀ। ରାଜନୀତିକ ଶିଷ୍ଟାଚାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ରବାଦ ତାଙ୍କଠୁ ଶିଖିବାର ଅଛି। ସେ ପ୍ରକୃତରେ ଅଜାତଶତ୍ରୁ ଥିଲେ। ସେ ସମ୍ବିଧାନକୁ ସବୁଠୁ ଊଦ୍ଧ୍ୱର୍ରେ ରଖି ନିଜକୁ ବାସ୍ତବରେ ନିଜକୁ ସମ୍ବିଧାନର ପୂଜାରୀ ମନେକରି କାର୍ଯ୍ୟ କରୁଥିଲେ।

publive-image

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏଭଳି ବ୍ୟକ୍ତି ଭାରତବର୍ଷରେ କମ୍ ଦେଖିବାକୁ ମିଳନ୍ତି। ସେ ହେଉଛନ୍ତି ଜଣେ ଅଜାତଶତ୍ରୁ। ତାଙ୍କ ରାଜନୀତିକ ଚିନ୍ତାଧାରା ସହ ଅନେକ ଲୋକଙ୍କ ତୀବ୍ର ମତଭେଦ ଥିଲା। କିନ୍ତୁ ବିରୋଧୀ ଦଳକୁ ସେ ସବୁବେଳେସମ୍ମାନ ଦେଉଥିଲେ। ବାଜପେୟୀଙ୍କ ଦିଗଦର୍ଶନ ଦ୍ଵାରା ପ୍ରଭାବିତ ହୋଇ ରାଜ୍ୟ ଓ ଦେଶକୁ ସେହି ଦିଗରେ ନେଇଯିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ବାଜପେୟୀଙ୍କ ସହ ନିଜର ଅନୁଭୂତି ସମ୍ପର୍କରେ ସୂଚନା ଦେଇ ତାଙ୍କର ମହନୀୟତାର ଉଚ୍ଚ ପ୍ରଶଂସା କରିଥିଲେ।

publive-image

ସମାବେଶରେ ନିଜର ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସ୍ୱାଧୀନ ଭାରତରେ ପଣ୍ଡିତ ନେହେରୁଙ୍କ ପରେ ବାଜପେୟୀ ହେଉଛନ୍ତି ଜଣେ ଅଦ୍ୱିତୀୟ ନେତା। କଶ୍ମୀର ଯେପରି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ, ସେଥିଲାଗି ସେ ଅହରହ ସଂଗ୍ରାମ କରିଥିଲେ । କଶ୍ମୀର ସମସ୍ୟାକୁ ସେ ସଠିକ୍ ଭାବେ ବୁଝିଥିଲେ, ଯାହାକୁ କି ପରବର୍ତ୍ତୀ କାଳରେ ଫାରୁକ ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଏବଂ ମେହେବୁବା ମୁଫତି ହୃଦୟଙ୍ଗମ କରିଥିଲେ।

ମହାବାତ୍ୟା କାଳରେ ଓଡିଶାକୁ ସ୍ୱର୍ଗତ ବାଜପେୟୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ କେବେହେଲେ ରାଜ୍ୟବାସୀ ଭୁଲି ପାରିବେ ନାହିଁ । ୧୯୯୯ର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ବାଜପେୟୀ ବାତ୍ୟାବିପନ୍ନଙ୍କ ପାଇଁ ୭ ଲକ୍ଷ ଆବାସ ମଞ୍ଜୁର କରିଥିଲେ। ଏହାଛଡା ୧୬୦୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ବିକାଶ ପ୍ରସ୍ତାବକୁ ତତ୍କାଳ ଅନୁମୋଦନ କରିଥିଲେ। ଏହା ତାଙ୍କ ମହାନତାର ଜ୍ୱଳନ୍ତ ନିଦର୍ଶନ। ଭାରତର ଭବିଷ୍ୟତ ବଂଶଧର ଏହି ମହାନ ଜନନାୟକଙ୍କୁ ସବୁବେଳେ ମନେପକାଉଥିବେ ବୋଲି ସେ କହିଥିଲେ।

ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ତିନୋଟି ନୂଆ ବିଭାଗ ସୃଷ୍ଟି କରିଥିଲେ । ଦେଶର ଅନୁନ୍ନତ ଅଞ୍ଚଳର ବିକାଶ ତଥା ଆଦିବାସୀ ବର୍ଗର କଲ୍ୟାଣ ପାଇଁ ତାଙ୍କର ଭାବନା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ସ୍ୱର୍ଗତ ବାଜପେୟୀ ଜଣେ ରାଷ୍ଟ୍ରନୀତିଜ୍ଞ ହିସାବରେ ଦେଶକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାକୁ କେବେହେଲେ ଦେଶବାସୀ ଭୁଲି ପାରିବେ ନାହିଁ ବୋଲି ଶ୍ରୀ ଓରାମ କହିଥିଲେ।

ସେହିପରି ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ, ବିଭିନ୍ନ ରାଜନୀତିକ ଦଳକୁ ଏକାଠି ନେଇ କାର୍ଯ୍ୟ କରିବାର କଳାକୌଶଳ ବାଜପେୟୀଙ୍କ ଭଳି ମହାନ ନେତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ବାଜପେୟୀ ବାସ୍ତବରେ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ ଯିଏ କି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ଯଥେଷ୍ଟ ସମ୍ମାନ ଦେଉଥିଲେ।

publive-image

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଡାକ୍ତର ଦାମୋଦର ରାଉତ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ପଦ୍ମନାଭ ବେହେରା, ଅମର ପ୍ରସାଦ ଶତପଥୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର ଓ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରବି ବେହେରା, ଯଜ୍ଞେଶ୍ୱର ବାବୁଙ୍କ ସମେତ ସିପିଆଇ,ସିପିଏମ୍, ବିଏସପି ଓ ଲୋକ ଜନଶକ୍ତି ପାର୍ଟିର ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।

publive-image

ବାଜପେୟୀଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବେଦପାଠ ସହ ବାଜପେୟୀଙ୍କ ଓଡ଼ିଶା ପ୍ରତି ରହିଥିବା ଭଲପାଇବାକୁ ନେଇ ଏକ ସଂକ୍ଷିପ୍ତ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।