ଛାତ୍ର ସଂସଦ ନିର୍ବାଚନ: ମେଘା କାନୁନଗୋ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରଥମ ସଭାପତି; ଗଣ୍ଡଗୋଳ ଯୋଗୁଁ ରେଭେନ୍ସାରେ ସାଇନ୍ ଏ ଡାଏ  

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳା ସହ ସରିଛି ଛାତ୍ର ସଂସଦ ନିର୍ବାଚନ। ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସଭାପତି ଭାବେ ମେଘା କାନୁନଗୋ ଓ ସାଧାରଣ ସଂପାଦକ ଭାବେ ଅନୀଷା ସୁବୁଦ୍ଧି ବିଜୟୀ ହୋଇଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ଏଠାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସଭାପତି ଭାବେ ରମ୍ୟରଞ୍ଜନ ବେହେରା ଓ ସାଧାରଣ ସମ୍ପାଦକ ଭାବେ ସଂକଳ୍ପ ପଟ୍ଟନାୟକ,  ଶୈଳବାଳା ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ସୁଚିସ୍ମିତା ସାହୁ ଓ ସାଧାରଣ ସଂପାଦକ ଭାବେ ଅନୀମା ଭୂୟାଁ ନିର୍ବାଚିତ ହୋଇଛନ୍ତି। ବିଜେବି କଲେଜରେ ଲଗ୍ନଜିତ ପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ଖଲ୍ଲିକୋଟ୍ କଲେଜରେ ସଭାପତି ଭାବେ ରତନ କୁମାର ଦିଗଲ ବିଜୟୀ ହୋଇଛନ୍ତି।  ସେପଟେ ଫଳାଫଳକୁ ନେଇ ରେଭେନ୍ସାରେ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ସାଇନ ଏ ଡାଏ ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡି ଚାଲିଯିବାକୁ କୁହାଯାଇଛି। କ୍ୟାମ୍ପସରେ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।