ରାୟଗ଼ଡା/ସମ୍ବଲପୁର(ଓଡ଼ିଶା ରିପୋର୍ଟର) : ହାତରେ ଜବ୍କାର୍ଡ, ବ୍ୟାଙ୍କ ପାସବୁକ୍ । ମଜୁରୀ ଖଟି ଟଙ୍କା ଆସିବ ଆସିବ ବୋଲି ବର୍ଷେ ହେଲା ଚାହିଁ ବସିଛନ୍ତି। ପାସବୁକ୍ ଚେକ୍ କରୁଛନ୍ତି । ହେଲେ ଟଙ୍କା ମିଳିବାର ନାଁ ଗନ୍ଧ ନାହିଁ । ଗରିବ ଖଟିଖିଆଙ୍କ ପ୍ରାପ୍ୟକୁ ଚପେଇ ଯେମିତି ଭୂଆଁ ବୁଲେଇ ଚାଲିଛି ବ୍ୟବସ୍ଥା । ମନରେଗାରେ ମାଟି କାମ କରିଥିବା ସମ୍ବଲପୁର ମାନେଶ୍ୱର ବ୍ଲକ୍ ଖିଣ୍ଡା ଗାଁର ଏ ଶ୍ରମିକଙ୍କ କାହାଣୀ କିଛି ଏମିତି। ୨୦୨୦ ମାର୍ଚ୍ଚରୁ ଜୁନ୍ ୩ ମାସ କାଳ ଗାଁଠୁ ଦୂର ଖେଳ ପଡ଼ିଆରେ ମାଟି କାମ କରିଥିଲେ ଏମାନେ। ସୂଚନାଫଳକ କହୁଛି ୫ ଲକ୍ଷ ଟଙ୍କାରେ ବିକଶିତ ହୋଇଛି ଖେଳ ପଡ଼ିଆ । ଶ୍ରମିକଙ୍କ ଅଭିଯୋଗ କାମ ଚାଲିଥିଲା ବେଳେ ଅଳ୍ପ କିଛି ଟଙ୍କା ମିଳିଥିଲା । ହେଲେ ସରିଗଲା ପରେ କାମ କରାଇଥିବା ଗ୍ରାମ ସାଥୀଠୁ ଆରମ୍ଭ କରି ଜିଆରଏସ୍, ଜେଇ କେହି ବି ଧରା ଛୁଆଁ ଦେଉ ନାହାନ୍ତି । ଶ୍ରମିକଙ୍କ ଜବ୍କାର୍ଡକୁ ବି ଠିକାଦାର ନେଇଯାଇଥିବାର ଅଭିଯୋଗ ବି ହୋଇଛି । ହେଲେ ଏନେଇ କେହି ବି ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ସମ୍ବଲପୁର ଏମ୍ଏନ୍ଆର୍ଜିଏସ୍ ଲୋକପାଳ କହିଛନ୍ତି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନର ସୁପାରିଶ ହେବ।
ରାୟଗ଼ଡା ଜିଲ୍ଲା ସଦର ବ୍ଲକ୍ ଲେଲିବାଡ଼ି ଗାଁର ଶ୍ରମିକଙ୍କ ଅବସ୍ଥା ଓ ଅଭିଯୋଗ ତ ଆହୁରି ସାଂଘାତିକ । ମନରେଗାରେ ରାସ୍ତା କାମ କରିବାର ୫ ବର୍ଷ ପରେ ବି ଏମାନଙ୍କୁ କୁଆଡ଼େ କାଣୀ କଉଡ଼ିଟିଏ ମିଳିନି। ଅଭିଯୋଗ ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗାଁରେ ୯ ଶହ ମିଟରର ରାସ୍ତା କାମ ପାଇଁ ୫ ଜଣଙ୍କୁ ଶ୍ରମିକ ନେତା ଭାବେ ଚୟନ କରାଯାଇଥିଲା । ସେମାନେ ୬୦ରୁ ଅଧିକ ଶ୍ରମିକଙ୍କୁ ଲଗାଇ ରାସ୍ତା ତିଆରି କରାଇଥିଲେ । ହେଲେ କାମ ସରିବାର ୫ ବର୍ଷ ପରେ ନା ମଜୁରୀ ଓ ସାମଗ୍ରୀ ବାବଦ ବିଲ୍ ମଂଜୁର ହେଉଛି, ନା ଶ୍ରମିକଙ୍କୁ ଟଙ୍କା ମିଳୁଛି । ଏପରିକି ବିଲ୍ ପାସ୍ ପାଇଁ ଲାଞ୍ଚ ଦିଆଯିବାର ଅଭିଯୋଗ ବି କରିଛନ୍ତି ଶ୍ରମିକ ନେତା । ସେପଟେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କହିବା କଥା ବିଡିଓଙ୍କୁ ଏନେଇ ତଦନ୍ତ ପାଇଁ କୁହାଯାଇଛି, ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।
ସମସ୍ୟା ଯେଉଁଠି ଥାଉ ନା କାହିଁକି, ରକ୍ତ-ଝାଳ ବୁହାଇ କାମ କରିଥିବା ମେହନତୀ ମଣିଷଟି ତାର ପ୍ରାପ୍ୟ ପାଇଁ ବର୍ଷେ, ୫ ବର୍ଷ ଅପେକ୍ଷା କରିବ କାହିଁକି? କୋଭିଡ୍ କଷଣ ବେଳେ ସେମାନଙ୍କ ପିଲାଛୁଆ ଚଳୁଥିବେ କେମିତି? କିଏ ଏଥିପାଇଁ ଉତ୍ତରଦାୟୀ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।