୮ ଦିନ ବିତିଲା, ମିଳିନାହାନ୍ତି ପିଏସ୍, ଚିନ୍ତାରେ ନବୀନଙ୍କ ନୂଆ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ୮ ଦିନ ବିତଗଲାଣି । ନବନିଯୁକ୍ତ ମନ୍ତ୍ରୀମାନେ ସେମାନଙ୍କୁ ଆବଣ୍ଟିତ ବିଭାଗର ଦାୟିତ୍ୱ ବି ନେଇସାରିଲେଣି । କିନ୍ତୁ ବ୍ୟକ୍ତିଗତ ସଚିବ ( ଓଏଏସ୍ ଅଫିସରମାନେ) ନିଯୁକ୍ତି ହୋଇନଥିବାରୁ ନବନିଯୁକ୍ତ ମନ୍ତ୍ରୀମାନେ ଏପର୍ଯ୍ୟନ୍ତ ନିଜ ବିଭାଗୀୟ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିନାହାନ୍ତି । ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀମାନେ ୮ଦିନ ପରେ ବି ନିଜର ବ୍ୟକ୍ତିଗତ ସଚିବ (ମନ୍ତ୍ରୀଙ୍କ ମନମୁତାବକ […]

cm-naveen-patnaik

Ordigital Desk
  • Published: Monday, 13 June 2022
  • , Updated: 13 June 2022, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ୮ ଦିନ ବିତଗଲାଣି । ନବନିଯୁକ୍ତ ମନ୍ତ୍ରୀମାନେ ସେମାନଙ୍କୁ ଆବଣ୍ଟିତ ବିଭାଗର ଦାୟିତ୍ୱ ବି ନେଇସାରିଲେଣି । କିନ୍ତୁ ବ୍ୟକ୍ତିଗତ ସଚିବ ( ଓଏଏସ୍ ଅଫିସରମାନେ) ନିଯୁକ୍ତି ହୋଇନଥିବାରୁ ନବନିଯୁକ୍ତ ମନ୍ତ୍ରୀମାନେ ଏପର୍ଯ୍ୟନ୍ତ ନିଜ ବିଭାଗୀୟ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିନାହାନ୍ତି । ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀମାନେ ୮ଦିନ ପରେ ବି ନିଜର ବ୍ୟକ୍ତିଗତ ସଚିବ (ମନ୍ତ୍ରୀଙ୍କ ମନମୁତାବକ ନୁହେଁ ବରଂ ତୃତୀୟ ମହଲାର କାଠକଣ୍ଢେଇ ଅଫିସର) ନପାଇବା ଖୋଲାଖୋଲି ଭାବେ ‘ଫାଇଭ-ଟି’ ସ୍ଲୋଗାନର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

ମିଳିଥିବା ସୂଚନା ଅନୁସାରେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳିର ସରକାରରେ ନୂଆ ମନ୍ତ୍ରିମଣ୍ଡଳ ଜୁନ୍ ୫ତାରିଖରେ ଶପଥ ନେଇଥିଲା । ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ମାତ୍ର ୩୬ଘଣ୍ଟା ମଧ୍ୟରେ ସାନି ମନ୍ତ୍ରିମଣ୍ଡଳ ଗଢ଼ିବା ଓ ସେମାନଙ୍କୁ ବିଭାଗର ଦାୟିତ୍ୱ ବଂଟନ କରିଥିଲେ । ନବୀନ ନିଜର ୯ଜଣ ମନ୍ତ୍ରୀଙ୍କୁ ସାନି ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାବେଳେ ୧୨ଜଣଙ୍କୁ ନୂଆ କରି ମନ୍ତ୍ରିମଣ୍ଡଳରେ ସାମିଲ କରାଇଥିଲେ । ୯ଜଣ ପୁରୁଣା ମନ୍ତ୍ରୀଙ୍କ ମଧ୍ୟରୁ ୬ଜଣ ନିଜର ପୁରୁଣା ବିଭାଗ ସମ୍ଭାଳିଛନ୍ତି । ବାକି ୩ଜଣ ମନ୍ତ୍ରୀଙ୍କର ବିଭାଗରେ ପରିବର୍ତ୍ତନ ହୋଇଛି ସତ କିନ୍ତୁ ଏହି ସମସ୍ତ ୯ ପୁରୁଣା ମନ୍ତ୍ରୀ ନିଜର ପୁରୁଣା ବ୍ୟକ୍ତିଗତ ସଚିବ(ପିଏସ)ଙ୍କୁ ନେଇ ଅଫିସ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଯେଉଁ ୧୨ଜଣ ମନ୍ତ୍ରୀ ନୂତନ ଭାବେ ସାମିଲ ହୋଇଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ପିଏସ୍ ଆବଣ୍ଟିତ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀମାନଙ୍କର ପିଏସ୍ ନିଯୁକ୍ତି ଫାଇଲ ଏବେ ତୃତୀୟ ମହଲାରେ ପଡ଼ି ରହିଛି । କେଉଁ ଅଫିସରଙ୍କୁ କେଉଁ ମନ୍ତ୍ରୀଙ୍କ ପାଖରେ ନିଯୁକ୍ତି ଦିଆଯିବ ସେ ନେଇ ହିସାବ ଛିଣ୍ଡୁନି। ବ୍ୟକ୍ତିଗତ ସଚିବ (ପିଏସ୍‌) ମାନଙ୍କ ମାଧ୍ୟମରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିୟନ୍ତ୍ରଣ କରିବା ଓ ମନ୍ତ୍ରୀମାନଙ୍କୁ ଗୁରୁତ୍ବହୀନ କରିବାର ମାନସିକତା ଯୋଗୁ ହଁ ଏମିତି ବିଳମ୍ବ ହେଉଥିବା ଜଣାପଡ଼ିଛି। ନବୀନ ପଟ୍ଟନାୟକ ସରକାରର ପଂଚମ ପାଳି ସରକାରରେ ନିଜ ମନପସନ୍ଦର ବ୍ୟକ୍ତିଗତ ସଚିବଙ୍କୁ ନିଯୁକ୍ତି ଦେବାର କ୍ଷମତା ମନ୍ତ୍ରୀମାନେ ହରାଇ ବସିଥିବାବେଳେ ତୃତୀୟ ମହଲା ଦ୍ୱାରା ଆବଣ୍ଟିତ ହେବାକୁ ଥିବା ବ୍ୟକ୍ତିଗତ ସଚିବମାନଙ୍କୁ ନେଇ ଅଫିସ ଚଳାଇବାର ବାଧ୍ୟବାଧକତା ଏବେ ମନ୍ତ୍ରୀମାନଙ୍କ ପାଇଁ ରହିଛି । ଆଉ ମାତ୍ର ୧୯ଦିନ ପରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ନିଜ ନିଜର ବିଭାଗ ସମ୍ପର୍କରେ ଜାଣିବା ଓ ନିଜର ଅଫିସକୁ ଫୁଲ୍ ଫେଜରେ ଚଳାଇବାକୁ ନବନିଯୁକ୍ତ ମନ୍ତ୍ରୀମାନେ ଚାହୁଁଛନ୍ତି । ମାତ୍ର ବିନା ବ୍ୟକ୍ତିଗତ ସଚିବ ଓ ଅନ୍ୟ ସହାୟକ କର୍ମଚାରୀଙ୍କ ବିନା ଅଫିସ ଚାଲିବା ସମ୍ଭବପର ହୋଇପାରୁନି । ମନ୍ତ୍ରୀମାନେ ସଂସଦୀୟ ବ୍ୟାପାର ବିଭାଗକୁ ଏନେଇ ଜଣାଇଲେ ମଧ୍ୟ ତୃତୀୟ ମହଲାରେ ଫାଇଲ୍ ଥିବାରୁ ଉଭୟ ସଂସଦୀୟ ବ୍ୟାପାର ବିଭାଗ ଓ ମନ୍ତ୍ରୀମାନେ ଅସହାୟ ହୋଇ ରହିଛନ୍ତି ।

ସୂଚନା ଅନୁସାରେ, ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମଙ୍କୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ସଚିବ ମିଳିିପାରିନି । ଯଦିଓ ଏହି ମନ୍ତ୍ରୀମାନେ ନିଜର ବିଭାଗକୁ ଯାଇ ଦାୟିତ୍ୱ ସମ୍ଭାଳିଲେଣି, ତଥାପି ବିଭାଗୀୟ କାର୍ଯ୍ୟ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

‘ଫାଇଭ୍ -ଟି ’ କଥା କହୁଥିବା ତୃତୀୟ ମହଲା ଏହି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପିଏସ୍ ଦେବାରେ କେଉଁ ଅଙ୍କ କଷୁଛି ଓ କାହିଁକି ଏତେ ବିଳମ୍ବ କରୁଛି, ତାକୁ ନେଇ ପାୱାର କରିଡରେ ଚର୍ଚ୍ଚା ଲାଗି ରହିଛି ।

Related story