ଏମିତି ପିଛା କରୁଥିଲେ ଲୁଟେରା, ଚେନ୍ ସହ ମୋ ଓଢ଼ଣୀ ବି ନେଇଗଲେ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଚଳନ୍ତା ବାଇକରେ ଯୁବତୀଙ୍କଠାରୁ ଚେନ୍ ଲୁଟ୍। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ ଡି.ଏନ୍.ରିଗାଲିଆ ସାମ୍ନାରେ ଲୁଟ୍। ଗାଡିରେ ଯାଉଥିବାବେଳେ ଯୁବତୀଙ୍କ ବେକରୁ ଚେନ୍ ଝାମ୍ପିନେଲେ ବାଇକରେ ଆସୁଥିବା ୨ ଦୁର୍ବୃତ୍ତ। ଯୁବତୀ ଜଣଙ୍କ ତଳେ ପଡିଯିବା ସହ ଆହତ ମଧ୍ୟ ହୋଇଛନ୍ତି। ଯୁବତୀ ଜଣଙ୍କ ନାଁ ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

ଘରୁ ବାହାରି ସଉଦା ପାଇଁ ଯାଉଥିଲେ ପଲ୍ଲବୀ। ଏଇ ସମୟରେ ଡାହାଣ ପଟୁ ଏକ ବାଇକରେ ୨ଜଣ ଯୁବକ ଆସି ତାଙ୍କୁ ଧକ୍କା ଦେଇ ଚେନ୍ ସହ ସେ ପିନ୍ଧିଥିବା ଚୁନି ଭିଡିନେଇଯାଇଥିଲେ। ଦୁଇ ଦିନ ତଳେ ଘଟିଥିବା ଏହି ଲୁଟ୍ ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି। ଗତ ୧୭ ତାରିଖରେ ଲୁଟ୍‌ର ଶିକାର ହୋଇ ତମାଣ୍ଡୋ ଥାନାରେ ମାମଲା ହୋଇଥିଲେବି ଏଯାଏ ଆସାମୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ।

ସେପଟେ ଲୁଟ୍ ପାଇଁ ଭଡାରେ ମିଳୁଛି ବାଇକ୍। ଭୁବନେଶ୍ୱର ନୟାପଲ୍ଲୀ ପୋଲିସ୍ ଦ୍ୱାରା ଏକ ଲୁଟେରା ଗ୍ୟାଙ୍ଗ ଗିରଫ ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଏହି ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠୁ ୮ଟି ସୁନା ଚେନ୍, ୨ଟି ଗାଡି ଜବତ କରାଯାଇଛି। ଏହାସହ ଲୁଟ୍ ସାମଗ୍ରୀ କିଣୁଥିବା ୨ ଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ତେବେ ଗିରଫ ଲୁଟେରାଙ୍କୁ ଜେରା ବେଳେ ପୋଲିସ୍‌କୁ ମିଳିଛି ଏଭଳି କିଛି ସାଂଘାତିକ ସୂଚନା। ଲୁଟ୍ ଲାଗି ଭଡ଼ାରେ ବାଇକ୍ ମିଳୁଥିବା ପୋଲିସ୍ ଜାଣିବାକୁ ପାଇଛି। ଏପରିକି ଲୁଟ୍‌ ସଫଳ ହେଲେ ବାଇକ୍ ଭଡ଼ା ସହ ଲୁଟ୍ ଭାଗ ମଧ୍ୟ ମିଳୁଥିବା ପୋଲିସ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ