ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମିଶନ ‘୧୨୦+’ ହାସଲ ସହ ସରକାର ଗଢ଼ିବାର ଦମ୍ଭୋକ୍ତି ବାଢ଼ୁଥିବା ବିଜେପି ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବା ପୂର୍ବରୁ ନରମ ଆଭିମୁଖ୍ୟ ଆପଣାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ବାରିପଦାରେ ଦୁଇଟି ଭାଷଣ ଏବଂ ଡିସେମ୍ବର ୨୪ତାରିଖରେ ଖୋର୍ଦ୍ଧାରେ ଦେଇଥିବା ଭାଷଣକୁ ବିଶ୍ଲେଷଣ କଲେ ଏହା ସ୍ପଷ୍ଟ ହୋଇଯାଉଛି। ୨୦୦୫ରୁ ୨୦୧୪ ମସିହା ମଧ୍ୟରେ ୟୁପିଏ ସରକାର ଅମଳରେ ବିଜେଡି ପ୍ରତି କଂଗ୍ରେସ ହାଇକମାଣ୍ଡଙ୍କ କୋହଳ ଆଭିମୁଖ୍ୟ ପାଇଁ ଯେପରି ରାଜ୍ୟରେ କଂଗ୍ରେସ ଅସ୍ତିତ୍ୱ ହରାଇଥିଲା, ଠିକ୍ ସେହିଭଳି ସ୍ଥିତି ଏବେ ରାଜ୍ୟ ବିଜେପି ପାଇଁ ହେବାକୁ ଯାଉଛି। ରାଜ୍ୟ ବିଜେପିର ନେତାମାନେ ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ ହିନ୍ଦି ହାର୍ଟଲ୍ୟାଣ୍ଡରେ ପରାଜୟ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ବିଜେଡି ଓ ନବୀନ ପଟ୍ଟନାୟକ ସରକାର ଅପ୍ରତିଦ୍ୱନ୍ଦ୍ୱୀ ବୋଲି ପରୋକ୍ଷରେ ସ୍ୱୀକାର କରିନେଇ ସେହି ରଣନୀତିରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜିର ବଡିଲାଙ୍ଗୁଏଜକୁ ଦେଖିଲେ ବିଜେଡି ସହ ଭବିଷ୍ୟତରେ ବିଜେପିର ଗୋପନ ବୁଝାମଣା ପାଇଁ ଏବେଠୁ ମାର୍ଗ ପ୍ରଶସ୍ତ କରାଯାଉଥିବାର ଚର୍ଚ୍ଚା ହେଉଛି।
ଆଜି ବାରିପଦାରେ ଆୟୋଜିତ ୨ଟି ଜନସଭାକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଥିଲେ। ଓଡ଼ିଶା ପାଇଁ ୪୫୦୦କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ୧୧ମିନିଟ୍ ଏବଂ ବିଜେପିର ଏକ ଜନସଭାରେ ୨୯ମିନିଟର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ରାଜ୍ୟର ନବୀନ ପଟ୍ଟନାୟକ ସରକାର କିମ୍ବା ବିଜେଡି ପ୍ରତି ସାମାନ୍ୟତମ ଆକ୍ରଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିନି। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣର ସରକାରୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ୧୧ମିନିଟ ଧରି ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଦ୍ରୁତ ବିକାଶ ଓ ସାମଗ୍ରିକ ବିକାଶ ତାଙ୍କ ସରକାରର ସଂକଳ୍ପ ଓ ସଂସ୍କାର ବୋଲି ସହ ନବ୍ୟ ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ ଚାଲିଥିବା କହିଥିଲେ। ତେବେ ମୋଟ ୧୧ମିନିଟ୍ ଭାଷଣରେ ମୋଦି ରାଜ୍ୟର ନବୀନ ପଟ୍ଟନାୟକ ସରକାର କିମ୍ବା ବିଜେଡି ସମ୍ପର୍କରେ ପଦୁଟିଏ କହିନଥିଲେ।
ଏପରିକି ଡିସେମ୍ବର ୨୪ତାରିଖରେ ଖୋର୍ଦ୍ଧା ଜନସଭାରେ ମୋଦି ଯେଭଳି ନବୀନ ଓ ବିଜେଡିକୁ ସମାଲୋଚନା ନକରି ରାଜ୍ୟ ସରକାରଙ୍କୁ ୮ଟି ପ୍ରସଙ୍ଗରେ ଘେରିଥିଲେ, ତାହା ମଧ୍ୟ ଆଜି ବାରିପଦାର ଜନସଭାରେ ଦେଖିବାକୁ ମିଳିନି। ନିର୍ବାଚନୀ ବର୍ଷରେ ବିଜେପି ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ବିଜେପିର ଚେହେରା ଭାବେ ଉଭା କରୁଥିବାବେଳେ ତାଙ୍କର ଏଭଳି କୋହଳ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ନିରାଶ କରିଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ବିଜେପି ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବୁମେରାଂ ହେବାକୁ ଯାଉଥିବାବେଳେ ତୃଣମୂଳସ୍ତରରେ ବିଜେଡିକୁ କଡ଼ା ଟକ୍କର ଦେଉଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ନିରାଶ କରିଛି।
ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ସର୍ବାଧିକ ସଫଳତା ହାସଲ କରି ବିଜେଡିକୁ ଆତଙ୍କିତ କରିଦେଇଥିବାବେଳେ ନିର୍ବାଚନୀ ବର୍ଷରେ ସେଭଳି ସ୍ଥାନରେ ଜନସଭା ଆୟୋଜନ କରି ମୋଦିଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ତାଙ୍କରଏଭଳି କୋହଳ ମନୋଭାବ ଦଳୀୟ କର୍ମୀଙ୍କୁ ଏକ ନକାରାତ୍ମକ ସନ୍ଦେଶ ଦେଉଛି। ତେଣୁ ତୃଣମୂଳସ୍ତରର କର୍ମୀଟିଏ ମୋଦିଙ୍କ ସଭାରୁ କେଉଁ ବାର୍ତ୍ତା ନେଇ ନିଜ ଗାଁ ଅବା ପଞ୍ଚାୟତରେ ବିଜେଡି କର୍ମୀଙ୍କୁ ଟକ୍କର ଦେବ, ତାକୁ ନେଇ ପ୍ରଶ୍ନ ଉଠିଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୦୫ରୁ ୨୦୧୪ ମସିହା ପର୍ଯ୍ୟନ୍ତ ୟୁପିଏ ସରକାରର ବାଧ୍ୟବାଧକତାର ଫାଇଦା ଉଠାଇ ନବୀନ ଯେଭଳି କଂଗ୍ରେସର ଜାତୀୟ ନେତୃତ୍ୱଙ୍କୁ ମ୍ୟାନେଜ୍ କରି ରାଜ୍ୟରେ କଂଗ୍ରେସକୁ ଅସ୍ତିତ୍ୱ ସଙ୍କଟ ମଧ୍ୟକୁ ଠେଲି ଦେଇଥିଲେ ଏବେ ରାଜ୍ୟ ବିଜେପିର ସ୍ଥିତି ସେଭଳି ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଜେପିର ରାଜ୍ୟ ନେତାମାନେ ବାହାରକୁ ଯେତେ ସଫେଇ ଦେଲେ ମଧ୍ୟ ନିର୍ବାଚନୀ ବର୍ଷରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ସୃଷ୍ଟି କରୁଥିବା କର୍ମୀଙ୍କୁ ମନେଇବା ଆଉ ସହଜ ହେବନି ବୋଲି ହୃଦୟଙ୍ଗମ କରୁଥିବେ ନିଶ୍ଚୟ।