ଏକାମ୍ର ସୌନ୍ଦର୍ଯ୍ୟକରଣକୁ ଅନୁମତି, ତଥାପି ରଖିଲେ କେଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗନ୍ନାଥ ମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ ସହ ଏକାମ୍ର ସଂରକ୍ଷଣ ଯୋଜନାକୁ ମଧ୍ୟ ମିଳିଛି ନ୍ୟାସନାଲ୍‌ ମନୁମେଣ୍ଟସ୍‌ ଅଥରିଟି(ଏନଏମଏ)ର ଗ୍ରୀନ୍‌ ସିଗନାଲ୍‌। ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା କୋଟିତୀର୍ଥେଶ୍ୱର ଲେନ୍‌, ତିନିମୁଣ୍ଡିଆ ଛକଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରଥ ରୋଡ୍‌ ଓ ବିନ୍ଦୁ ସାଗରକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ପ୍ରଶସ୍ତ ହେବ। ଏଥିସହ ଲିଙ୍ଗରାଜ ବହୁବିଧ କେନ୍ଦ୍ର, କେଦାରଗୌରୀ ପାର୍କିଂ, ସ୍ୱତନ୍ତ୍ର ସଂରକ୍ଷିତ ପାର୍କିଂ, କେଦାରଗୌରୀ ପ୍ଲାଜା, […]

Lingaraj Temple

  • Published: Wednesday, 21 September 2022
  • , Updated: 21 September 2022, 09:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗନ୍ନାଥ ମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ ସହ ଏକାମ୍ର ସଂରକ୍ଷଣ ଯୋଜନାକୁ ମଧ୍ୟ ମିଳିଛି ନ୍ୟାସନାଲ୍‌ ମନୁମେଣ୍ଟସ୍‌ ଅଥରିଟି(ଏନଏମଏ)ର ଗ୍ରୀନ୍‌ ସିଗନାଲ୍‌। ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା କୋଟିତୀର୍ଥେଶ୍ୱର ଲେନ୍‌, ତିନିମୁଣ୍ଡିଆ ଛକଠାରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରଥ ରୋଡ୍‌ ଓ ବିନ୍ଦୁ ସାଗରକୁ ସଂଯୋଗ କରୁଥିବା ପାଦ ଚଲା ରାସ୍ତା ପ୍ରଶସ୍ତ ହେବ। ଏଥିସହ ଲିଙ୍ଗରାଜ ବହୁବିଧ କେନ୍ଦ୍ର, କେଦାରଗୌରୀ ପାର୍କିଂ, ସ୍ୱତନ୍ତ୍ର ସଂରକ୍ଷିତ ପାର୍କିଂ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ଲିଙ୍ଗରାଜ ହାଟ ଓ ଭଜନ ମଣ୍ଡପର ଡିପିଆରକୁ ଏନଓସି ଦେଇଛି ଏନଏମ୍‌ଏ। ତେବେ ଏସବୁ ନିର୍ମାଣ ସମୟରେ ପୁରାତନ କିର୍ତ୍ତୀରାଜିର ସୁରକ୍ଷାରେ ଯେପରି ଆଞ୍ଚ ନଆସେ ସେଥିପାଇଁ ବି ନିର୍ଦ୍ଦେଶ ରହିଛି।

ତେବେ ସୂଚନା କେନ୍ଦ୍ର, ମାର୍କଣ୍ଡେଶ୍ୱର ମନ୍ଦିର ଓ ପାପନାଶିନୀ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଡିପିଆର ଉପରେ ଆପତ୍ତି ଉଠାଇ ଆଉ ଥରେ ଆବେଦନ କରିବାକୁ କିଛି ଏନଏମ୍‌ଏ। ଅନନ୍ତ ବାସୁଦେବ ମନ୍ଦିରରେ ଥିବା ରୋଷଘର ନିର୍ମାଣ କାର୍ଯ୍ୟ ନିୟନ୍ତ୍ରିତ ଅଞ୍ଚଳରେ କରିବାକୁ ମଧ୍ୟ କୁହାଯାଇଛି। ଗତ ବଜେଟରେ ରାଜ୍ୟ ସରକାର ଏକାମ୍ର ଯୋଜନା ପାଇଁ ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ।

ସେହିପରି କୋଣାର୍କର କୋଣାର୍କ ଐତିହ୍ୟ ଅଞ୍ଚଳ ଉନ୍ନୟନ ଯୋଜନାକୁ ମଧ୍ୟ ଏନଏମ୍‌ଏ ମଞ୍ଜୁର ଦେଇଛନ୍ତି। ଏହା ପରେ ରାଜସ୍ୱ ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ଧରି ନିଜେ ତହସିଲାଦାର ସର୍ଭେ କରୁଛନ୍ତି। ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୫୫ ଏକର ଜମିରେ ୧୭୦ କୋଟି ବ୍ୟୟରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ଡିପିଆର ପ୍ରସ୍ତୁତ କରି ଏନଏମ୍‌ଏରେ ଆବେଦନ କରିଥିଲା ଓବିସିସି। ଏବେ ଅନୁମତି ମିଳିଥିଲା। ଏହି ପ୍ରକଳ୍ପରେ ରହିଛି ଲ୍ୟାଣ୍ଡସ୍କେପ୍‌ ପ୍ଲାଜା, ରେନ୍‌ ଗାର୍ଡେନ, ଫୁଟ୍‌ ଓଭରବ୍ରିଜ, ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର ଓ ପାର୍କିଂ। ତେବେ ଓପେନ୍‌ ଏୟାର ଥିଏଟର ପାଇଁ ଆଉ ଥରେ ଆବେଦନ କରିବାକୁ ରହିଛି ନିର୍ଦ୍ଦେଶ।

ତେଣେ ପୁରୀରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ପ୍ରୋହିବିଟେଡ୍‌ ଏରିଆ ବାହାରେ କରିବାକୁ ଏନଏମଏର ନିଷ୍ପତ୍ତିକୁ ସତ୍ୟର ଜୟ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାର ଆମସାର ଆକ୍ଟ ନବୁଝି-ନପଢ଼ି ଏଏସଆଇର ବିନା ପରାମର୍ଶରେ ନିର୍ମାଣ କରି କୋଟି କୋଟି ଟଙ୍କା ରାଜସ୍ୱ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଅପରାଜିତା। ତେଣୁ ଲିଙ୍ଗରାଜ ଓ କୋଣାର୍କରେ ସରକାର ସବୁ ଉନ୍ନୟନ କାମ ନିୟମ ଅନୁସାରେ କରନ୍ତୁ ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ବିକାଶ ସରକାରୀ ନିୟମରେ ହେଉ ବୋଲି କହିଛି। ଜବାବ ରଖି ବିଜେଡି କହିଛି କେନ୍ଦ୍ର ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଞ୍ଜୁର ଦେଉ।

Related story