ପ୍ରଥମ ମୁଖ୍ୟମନ୍ତ୍ରୀ: ଭାଟିକାନ ସିଟିରେ ପୋପଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଇଟାଲୀର ଭାଟିକାନ ସିଟିଠାରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ସାକ୍ଷାତ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୨୦ତାରିଖ ଭୋର ୪ଟା ୧୫ମିନିଟରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରୋମ୍ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଗୁଆ ରୋମ୍ ଯାଇ ସେଠାରେ ପ୍ରସ୍ତୁତି ତଦାରଖ କରିଥିବା ଜଣାପଡ଼ିଛି। ତେବେ […]

naveen

Ordigital Desk
  • Published: Saturday, 18 June 2022
  • , Updated: 18 June 2022, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଇଟାଲୀର ଭାଟିକାନ ସିଟିଠାରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ସାକ୍ଷାତ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୨୦ତାରିଖ ଭୋର ୪ଟା ୧୫ମିନିଟରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରୋମ୍ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଗୁଆ ରୋମ୍ ଯାଇ ସେଠାରେ ପ୍ରସ୍ତୁତି ତଦାରଖ କରିଥିବା ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ଦିନ ପାଇଁ ଓଡ଼ିଶାରେ ଅନୁପସ୍ଥିତ ରହୁଥିଲେ ମଧ୍ୟ  ତାଙ୍କ ଗସ୍ତ ସରକାରୀ ହୋଇଥିବାରୁ କାହାରିକୁ ଅସ୍ଥାୟୀ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦ତାରିଖରୁ ରୋମ୍ ଓ ଦୁବାଇ ଗସ୍ତରେ ଯିବେ । ରୋମରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ସାକ୍ଷାତ କରିବେ । ୱାଲର୍ଡ ଫୁଡ୍ ପ୍ରୋଗ୍ରାମ(ଡବ୍ଲ୍ୟୁଏଫପି)ର ରୋମସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ସଫଳତା ସମ୍ପର୍କରେ ଅବଗତ କରାଇବେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ଇଟାଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ଇଟାଲୀରେ ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ରହିବେ । ତେବେ ପୋପ୍ ଫ୍ରାନ୍ସିସ୍କୋଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ଦିନ ସାକ୍ଷାତ କରିବେ ତାହା ଜଣାପଡ଼ିନି । ମାତ୍ର ଭାଟିକାନସିଟି ଠାରେ ୨୦୨୧ ଅକ୍ଟୋବର ୩୦ତାରିଖରେ ପୋପ୍ ଫ୍ରାନ୍ସିସ୍କୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୦ ମସିହାରେ ପୋପ୍ ଜନ୍ ପଲ ଦ୍ୱିତୀୟଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସାକ୍ଷାତ କରିବା ପରେ ତୃତୀୟ ଭାରତୀୟ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ତ୍ତମାନର କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

୨୬ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ସେ ଦୁବାଇ ଅଭିମୁଖେ ଗସ୍ତ କରିବେ । ୨୯ତାରିଖରେ ଦୁବାଇରେ ଓଡ଼ିଶା ସରକାର ଓ ଫିକ୍କିର ମିଳିତ ଉଦ୍ୟମରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ଘଣ୍ଟା ପାଇଁ ସାମିଲ ହେବେ । ଏହି ଇନଭେଷ୍ଟର୍ସ ମିଟରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ଭିଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ଆବାସିକ କମିଶନର ରବିକାନ୍ତ ପ୍ରମୁଖ ଉପସ୍ଥିତ ରହିବେ ।

ମୁଖ୍ୟମନ୍ତ୍ରୀ ୩୦ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ରାତି ୮ଟା ୨୦ମିନିଟରେ ପହଂଚିବା ପରେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରର ଭିଆଇପି ଲାଉଞ୍ଜରେ ବିଶ୍ରାମ ନେବେ । ରାତି ସାଢ଼େ ୯ଟାରେ ନୂଆଦିଲ୍ଲୀ ଛାଡ଼ିବେ ଓ ରାତି ସାଢ଼େ ୧୧ଟାରେ ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ନବୀନ ନିଜର ଦୀର୍ଘ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀତ୍ୱ ଓ ୨୫ବର୍ଷର ରାଜନୀତିକ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି । ୨୦୧୨ ମେ’ ୨୨ତାରିଖରେ ସେ ଲଣ୍ଡନ ଗସ୍ତରେ ଯାଇଥିଲେ ମଧ୍ୟ ତାଙ୍କର ତତକାଳୀନ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ’ ଯୋଗୁ ନିଜର ଗସ୍ତ କାଂଟଛାଂଟ କରି ଓଡ଼ିଶା ଫେରିଥିଲେ ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ସେ ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ରହିବେ ଓ ୨୦ତାରିଖ ଭୋର ୪ଟା ୧୫ମିନିଟରେ ରୋମ୍ ଅଭିମୁଖେ ଗସ୍ତ କରିବେ ।

Related story