ଗାଡ଼ି ଋଣ ଶୁଝିବା ପାଇଁ ହୋଇଥିଲା ଅମୃତଙ୍କ ଅପହରଣ; ଖୋଲିଲା ଅପହର୍ତ୍ତାଙ୍କ ପୂରା ପ୍ଲାନ୍‌

ଖୋର୍ଦ୍ଧା (ବଳରାମ ଲେଙ୍କା): ଅମୃତ ପାତ୍ର ଅପହରଣ ନାଟକରେ ପଡ଼ିଲା ଯବନିକା। ଅପହରଣ ପୂରା କାହାଣୀ ସାମ୍ନାକୁ ଆସିଲା। ଗାଡ଼ି ଟଙ୍କା ଶୁଝିବା ପାଇଁ ଦୁଇ ଭାଇ ମିଶି କରିଥିଲେ ଅପହରଣ। ଆଉ ଏଥିରେ ସହଯୋଗ କରିଥିଲେ ସେମାନଙ୍କର ଜଣେ ବନ୍ଧୁ। ଆଜି ଏହି ଘଟଣା ଉପରୁ ପର୍ଦ୍ଦା ହଟିଛି। ନୟାଗଡ଼ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଏଏସ୍‌ପି ଉମାକାନ୍ତ ମଲ୍ଲିକ। ଓଡ଼ଗାଁ ଥାନା କୁରାଳ ଗାଁର ଦୁଇ ଭାଇ […]

Amrit-Patra

  • Published: Tuesday, 20 December 2022
  • , Updated: 20 December 2022, 07:08 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଅମୃତ ପାତ୍ର ଅପହରଣ ନାଟକରେ ପଡ଼ିଲା ଯବନିକା। ଅପହରଣ ପୂରା କାହାଣୀ ସାମ୍ନାକୁ ଆସିଲା। ଗାଡ଼ି ଟଙ୍କା ଶୁଝିବା ପାଇଁ ଦୁଇ ଭାଇ ମିଶି କରିଥିଲେ ଅପହରଣ। ଆଉ ଏଥିରେ ସହଯୋଗ କରିଥିଲେ ସେମାନଙ୍କର ଜଣେ ବନ୍ଧୁ। ଆଜି ଏହି ଘଟଣା ଉପରୁ ପର୍ଦ୍ଦା ହଟିଛି। ନୟାଗଡ଼ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଏଏସ୍‌ପି ଉମାକାନ୍ତ ମଲ୍ଲିକ।

ଓଡ଼ଗାଁ ଥାନା କୁରାଳ ଗାଁର ଦୁଇ ଭାଇ ନିଜ ବାପାଙ୍କ ନାଁରେ ଏକ ପ୍ରାଇଭେଟ୍‌ ଫାଇନାନ୍ସ କମ୍ପାନୀରୁ ପିକ୍‌ଅପ୍‌ ଭ୍ୟାନ୍‌ ଋଣରେ ଆଣିଥିଲେ। ହେଲେ ମାସକୁ ମାସ ଋଣ କିସ୍ତି ଶୁଝି ପାରୁନଥିଲେ। ଫାଇନାନ୍ସ କମ୍ପାନୀ ଗାଡ଼ି ନେଇ ଯିବା ପାଇଁ ଧମକ ଦେଇଥିଲା। ଯାହାକୁ ନେଇ ଦୁଇ ଭାଇ ଚିନ୍ତାରେ ପଡ଼ି ଯାଇଥିଲେ। ଗାଡ଼ି କିସ୍ତି ଶୁଝିବା ପାଇଁ ଅପହରଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଯୋଜନା ମୁତାବକ ଦୁଇ ଭାଇ ଓ ତାଙ୍କର ଜଣେ ସାଥୀଙ୍କ ସହ ମିଶି ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଅମୃତ ପାତ୍ରଙ୍କୁ ନିଜର ପିକ୍‌ଅପ୍‌ ଭ୍ୟାନ୍‌ରେ ଅପହରଣ କରିଥିଲେ। ତାଙ୍କ ଆଖିରେ କଳା ପଟି ବାନ୍ଧି କୁରାଳ ଗାଁ ସାରା ବୁଲାଇଥିଲେ। ପରେ ସେହି ଗାଁର ପଣ୍ଡିତସାହି ପାଖରେ ଥିବା ଘରେ ବନ୍ଦୀ କରି ରଖିଥିଲେ। ରାତି ପାହିଥିଲେ ଅମୃତଙ୍କ ବାପାଙ୍କୁ ଟଙ୍କା ମାଗିବା ଯୋଜନା କରୁଥିଲେ। ହେଲେ ତା’ପୂର୍ବରୁ ଘଟଣା ସୋଶାଲ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ ପାଇଲା। ଏପରିକି ମାମଲା ଥାନାରେ ପହଞ୍ଚିଲା। ପୁଲିସ୍‌ ଓ ସନ୍ଧାନୀ କୁକୁର ଗାଁରେ ପଇଁତରା ମାରିଲା। ଯେଉଁଥିପାଇଁ ଦୁଇ ଭାଇ ଡରି ଯାଇଥିଲେ। ଟଙ୍କା ମାଗିବାକୁ ସାହସ କରିପାରିଲେ ନାହିଁ।

ସବୁଠାରୁ ମଜାଦାର କଥା ହେଉଛି, ଅମୃତଙ୍କୁ ଜଣେ ଭାଇ ସବୁବେଳେ ଜଗି ରହୁଥିବା ବେଳେ ଅନ୍ୟ ଦୁଇ ଜଣ ଗାଁରେ ଘୂରି ବୁଲୁଥିଲେ। ଅମୃତଙ୍କ ପରିବାର ଲୋକ ଓ ପୁଲିସ୍‌ ପାଖେ ପାଖେ ରହୁଥିଲେ। ସବୁ ଟିକିନିକି ତଥ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ସେମାନଙ୍କ ଟେର ପାଉନଥିଲା ସନ୍ଧାନୀ କୁକୁର କିମ୍ୱା ପୁଲିସ୍‌!

ଅମୃତ ଅପହଣ ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନିଷ୍ପତ୍ତି ବଦଳାଇ ଥିଲେ ଦୁଇ ଭାଇ। ସୋମବାର ଭୋରରୁ ଅମୃତଙ୍କୁ ପଣ୍ଡିତ ସାହିର ସେହି ଘରେ ଏକୁଟିଆ ଛାଡ଼ି ଗ୍ରୀଲ୍‌ ଖୋଲା କରି ପଳାଇ ଯାଇଥିଲେ। ଏହା ପରେ ସାମ୍ନାକୁ ଆସିଥିଲେ ଅମୃତ।

ଅମୃତଙ୍କ ବୟାନ ଆଧାରରେ ପୁଲିସ୍‌ ଦୁଇ ଭାଇ ଓ ସେମାନଙ୍କ ସାଥୀଙ୍କୁ ଉଠାଇ ଆଣି ଜେରା କରିଥିଲା। ପରେ ସେମାନେ ସବୁ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତଙ୍କୁ ନେଇ ପୁଲିସ୍‌ ସିନ୍‌ ରିକ୍ରିଏସନ୍‌ କରିବାର ଯୋଜନା ରହିଛି। ଅନ୍ୟପକ୍ଷରେ ଓଡ଼ଗାଁ କୋର୍ଟରେ ଅମୃତଙ୍କ ବୟାନ୍‌ ରେକର୍ଡ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଆଡିସିନାଲ ଏସ୍‌ପି ଉମାକାନ୍ତ ମଲ୍ଲିକ।

ସେପଟରେ ଅପହରଣର ପର ଦିନ ଅର୍ଥାତ ୧୬ ତାରିଖରେ ଫାଇନାନ୍ସ କମ୍ପାନୀ ପିକ୍‌ଅପ୍‌ ଭ୍ୟାନ୍‌ଟିକୁ ନେଇ ଯାଇଛି।

Related story