ପ୍ରଚାର ପାଇଁ ଆସନ୍ତାକାଲି ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ନିଜ ସପକ୍ଷରେ ପ୍ରଚାର କରିବେ । ଓଡ଼ିଶାର ଝିଅ ତଥା ବିଜେପି ନେତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶାସକ ବିଜେଡି ପୂର୍ବରୁ ଘୋଷଣା କରିଥିବାବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ନିଜର ସମର୍ଥନ ଦେବେ ବୋଲି କହିଛନ୍ତି । ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ସକାଳ ୧୦ଟାରେ ଭୁବନେଶ୍ୱରରେ ପହଂଚିବେ ଓ ଅପରାହ୍ନ ୧ଟାରେ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ […]

Draupadi-Murmu

Ordigital Desk
  • Published: Thursday, 07 July 2022
  • , Updated: 07 July 2022, 10:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ନିଜ ସପକ୍ଷରେ ପ୍ରଚାର କରିବେ । ଓଡ଼ିଶାର ଝିଅ ତଥା ବିଜେପି ନେତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶାସକ ବିଜେଡି ପୂର୍ବରୁ ଘୋଷଣା କରିଥିବାବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ନିଜର ସମର୍ଥନ ଦେବେ ବୋଲି କହିଛନ୍ତି । ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ସକାଳ ୧୦ଟାରେ ଭୁବନେଶ୍ୱରରେ ପହଂଚିବେ ଓ ଅପରାହ୍ନ ୧ଟାରେ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମତୀ ମୁର୍ମୁୁଙ୍କୁ ଏହି ରହଣୀ ସମୟରେ ରାଜ୍ୟ ସରକାର ‘ରାଜ୍ୟ ଅତିଥି’ ଭାବେ ଘୋଷଣା କରିଛନ୍ତି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିବାବେଳେ ବିଜେଡି ନିଜର ପ୍ରତିନିଧିଙ୍କୁ ପଠାଇ ମଧ୍ୟ ଆନୁଷ୍ଠାନିକ ସ୍ୱାଗତ କରିବ । ବିମାନ ବନ୍ଦରରୁ ଶ୍ରୀମତୀ ମୁର୍ମୁ ସିଧାସଳଖ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱଳ୍ପ ସମୟ ପାଇଁ ଭେଟିବେ । ସେଠାରୁ ରାଜ୍ୟ ଅତିଥି ଭବନ ଯିବେ ଓ କିଛି ସମୟ ରହି ସକାଳ ୧୧ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟି ଭୋଟ ଦେବାକୁ ଅନୁରୋଧ କରିବେ । ପ୍ରାୟ ୩୦ ମିନିଟ୍ ରହିବା ପରେ ପୁଣିଥରେ ରାଜ୍ୟ ଅତିଥି ଭବନକୁ ଯାଇ ସେଠାରେ ବିଜେପି ବିଧାୟକ ଓ ଅନ୍ୟ ନେତାମାନଙ୍କୁ ଭେଟିବେ । ତା’ପରେ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପାଖରେ ୨.୯୨ ପ୍ରତିଶତ ଭୋଟ୍ ଥିବାବେଳେ ଦଳ ନିଜର ସମର୍ଥନ ଶ୍ରୀମତୀ ମୁର୍ମୁଙ୍କୁ ଦେବାକୁ ଘୋଷଣା କରିସାରିଛି । ଦଳ ନିଜର ୧୨ଜଣ ଲୋକସଭା ସାଂସଦ ଓ ୯ଜଣ ରାଜ୍ୟସଭା ସାଂସଦଙ୍କ ସମେତ ମୋଟ ୧୧୪ଜଣ ବିଧାୟକଙ୍କ ସମର୍ଥନ ଦେବ । ଏଥିରେ ଦଳରୁ ନିଲମ୍ବିତ ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କ ଭୋଟ୍ ଶ୍ରୀମତୀ ମୁୁର୍ମୁଙ୍କ ସପକ୍ଷରେ ଯିବ ବୋଲି ଜଣାପଡ଼ିଛି । ସେହିପରି ବିଜେପିର ୨୨ଜଣ ବିଧାୟକ, ୮ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କ ସମର୍ଥନ ବି ଶ୍ରୀମତୀ ମୁର୍ମୁଙ୍କୁ ମିଳିବ । ତେବେ କଂଗ୍ରେସର ୯ ବିଧାୟକ ଓ ଜଣେ ଲୋକସଭା ସାଂସଦ ଏବଂ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ୍ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ଏହି ଦଳମତ ନିର୍ବିଶେଷରେ ଶ୍ରୀମତୀ ମୁର୍ମୁଙ୍କୁ ଭୋଟ୍ ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅପିଲ କରିଥିବାବେଳେ କଂଗ୍ରେସର ବିଧାୟକମାନଙ୍କୁ ବିଜେଡି ନେତାମାନେ ଭେଟି ଅନୁରୋଧ କରିଛନ୍ତି ।

Related story