ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାକୁ ଏନଡିଆରଏଫ ଟିମକୁ ପଠାଯାଇଛି। ଏହାସହିତ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ମଧ୍ୟ ମୁତୟନ କରାଯାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାକୁ ୪ଟି ଏନଡିଆରଏଫ ଟିମ୍ ପଠାଟାଇଛି।
ବାତ୍ୟାର ମୁକାବିଲା ପାଇଁ ଏବେ ୨୦ଟି ଓଡ୍ରାଫ୍ ଟିମ୍ , ୧୭ଟି ଏନଡିଆରଏଫ ଟିମ୍ ଓ ୩୩୫ଟି ଅଗ୍ନିଶମ ବାହିନୀ ୟୁନିଟକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ଟି ଉପକୂଳବର୍ତ୍ତୀ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ୧୧ଟି ଓଡ୍ରାଫ ୟୁନିଟ୍ ପୂର୍ବରୁ ମୁତୟନ କରାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ମେଡିକାଲ ଖୋଲା ରଖାଯିବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମକୁ ମଧ୍ୟ ନିୟୋଜିତ କରାଯାଇଛି। ସମସ୍ତ ମେଡିକାଲରେ ବିକଳ୍ପ ଶକ୍ତି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ ସହ ଟାୱାର ଲାଇଟ୍ ଓ ଅନ୍ୟ ଜରୁରୀକାଳୀନ ଉପକରଣ ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସମସ୍ତ ଜିଲ୍ଲାପାଳ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳ ଓ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଥିବା ସାଟେଲାଇଟ୍ ଫୋନଗୁଡ଼ିକୁ ରିଚାର୍ଜ ଓ ବ୍ୟବହାର ଉପଯୋଗୀ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଡିଜିଟାଲ ମୋବାଇଲ ରେଡିଓକୁ ପ୍ରସ୍ତୁତ ରଖାଯାଇଥିବାବେଳେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ, ଖୋର୍ଦ୍ଧା,ଯାଜପୁର ଓ କଟକରେ ଭି-ସ୍ୟାଟ୍ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।