ଏଣିକି ରାସ୍ତା ଓ ପାଇପଲାଇନ୍ ନିର୍ମାଣରେ ଦରକାର ପଡ଼ିବନି ପରିବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ନିର୍ମାଣ ସହ ପାଇପଲାଇନ୍ ଯିବା ପାଇଁ ମାଟି ଖୋଳା ନିମନ୍ତେ ଆଉ ପରିବେଶ ଅନୁମତି ଦରକାର ପଡ଼ିବ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁୟାରୀ ୭ତାରିଖରେ ଏଥିପାଇଁ ବିଧିବଦ୍ଧ ଅନୁମୋଦନ କରିବାପରେ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜସ୍ୱ ବିଭାଗର ଉପସଚିବ ବିରଂଚି ନାରାୟଣ ଦାଶ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଳେଖି ରାସ୍ତା,ପାଇପଲାଇନ୍ ଓ ଅନ୍ୟାନ୍ୟ ଲିନିଅର ପ୍ରୋଜେକ୍ଟ ନିମନ୍ତେ ମାଟି ଖୋଳିବାକୁ ପଡ଼ୁଥିଲେ ସେଥିପାଇଁ […]

road

Tapas Behera
  • Published: Wednesday, 03 February 2021
  • , Updated: 03 February 2021, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ନିର୍ମାଣ ସହ ପାଇପଲାଇନ୍ ଯିବା ପାଇଁ ମାଟି ଖୋଳା ନିମନ୍ତେ ଆଉ ପରିବେଶ ଅନୁମତି ଦରକାର ପଡ଼ିବ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁୟାରୀ ୭ତାରିଖରେ ଏଥିପାଇଁ ବିଧିବଦ୍ଧ ଅନୁମୋଦନ କରିବାପରେ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ରାଜସ୍ୱ ବିଭାଗର ଉପସଚିବ ବିରଂଚି ନାରାୟଣ ଦାଶ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଳେଖି ରାସ୍ତା,ପାଇପଲାଇନ୍ ଓ ଅନ୍ୟାନ୍ୟ ଲିନିଅର ପ୍ରୋଜେକ୍ଟ ନିମନ୍ତେ ମାଟି ଖୋଳିବାକୁ ପଡ଼ୁଥିଲେ ସେଥିପାଇଁ ଆଉ ପ୍ରଶାସନିକ ଅନୁମତି କିମ୍ବା ପରିବେଶ ଅନୁମତିର ଆବଶ୍ୟକତା ନାହିଁ ବୋଲି ଦର୍ଶାଇଛନ୍ତି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଗତବର୍ଷ ମାର୍ଚ୍ଚ ୨୮ତାରିଖରେ ଏଭଳି ଅନୁମତି ଦେଇଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତମାସ ୭ତାରିଖରେ ଏହାକୁ ପ୍ରଶାସନିକ ଅନୁମୋଦନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ଅନୁମୋଦନ ପରେ ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ ହେଉ କିମ୍ବା ପାଇପଲାଇନ୍ ଯିବା ନିମନ୍ତେ ମାଟିଖୋଳା ଗଲେ ସେଥିପାଇଁ ପୂର୍ବରୁ ପରିବେଶ ଅନୁମତି ନେବା ଅନାବଶ୍ୟକ ହେବ। ସେହିପରି ଜଳଭଣ୍ଡାର, ବ୍ୟାରେଜ, ଡ୍ୟାମ୍ , ନଦୀ ଓ କେନାଲର ରକ୍ଷଣାବେକ୍ଷଣ ନିମନ୍ତେ ତଥା ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମାଟି ଖୋଳା ଯାଇପାରିବ। ପଂଚାୟତଗୁଡ଼ିକରେ ଥିବା ସ୍ଥାନରୁ ବ୍ୟକ୍ତିଗତ କାର୍ଯ୍ୟ କିମ୍ବା ସମୂହ କାମ ପାଇଁ ମାଟି ଅବା ବାଲି ଖୋଳିବା ନିମନ୍ତେ ମଧ୍ୟ ପରିବେଶ ଅନୁମତି କିମ୍ବା ପ୍ରଶାସନିକ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ମାଟିପାତ୍ର ନିର୍ମାଣ ଓ ଟାଇଲ୍ ନିର୍ମାଣ ନିମନ୍ତେ ମାଟି ଖୋଳିବା ପୂର୍ବରୁ ପ୍ରଶାସନିକ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ଜଳସେଚନ କିମ୍ବା ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ମଧ୍ୟ ମାଟି ଖୋଳା ଯାଇପାରିବ। କୋଠା ନିର୍ମାଣ ନିମନ୍ତେ ମୂଳଦୁଆ ସ୍ଥାପନ ପାଇଁ ମାଟି ଖୋଳାଗଲେ ବି ଆଉ ପରିବେଶ ଅନୁମତି ନେବାର ଆବଶ୍ୟକତା ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ଅଂଚଳରେ ସଡକ, ପାଇପଲାଇନ୍ ନିର୍ମାଣ ଆଦି ନିମନ୍ତେ ମାଟିଖୋଳା ଯାଉଥିବାବେଳେ ସେଗୁଡ଼ିକ ଜଙ୍ଗଲ ଓ ନଦୀନାଳ ଅଂଚଳରେ ଥିବାରୁ ପରିବେଶ ମଞ୍ଜୁରୀର ଆବଶ୍ୟକତା ପଡ଼ୁଥିଲା। ମାତ୍ର ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିବାରୁ କେନ୍ଦ୍ର ସରକାର ଗତବର୍ଷ ଏସବୁ କାର୍ଯ୍ୟ ନିମନ୍ତେ ରହିଥିବା ପରିବେଶ ଅନୁମତିକୁ ପ୍ରତ୍ୟାହାର କରିନେଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତମାସ ୭ତାରିଖରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ ପାଇଁ ଅନୁମୋଦନ ଦେବାପରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି।

Related story