ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆଯାଉଥିବା ଲାଡଲୀ ମିଡିଆ ଏଣ୍ଡ ଆଡଭାରଟାଇଜିଂ ଆୱାର୍ଡ ୨୦୨୧ ଘୋଷଣା କରାଯାଇଛି। ଓଡ଼ିଶାରୁ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରୱେ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସଫଳତାର ସହ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ସଂଧ୍ୟାରେ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଖ୍ୟାତ ସ୍ତମ୍ଭକାର ଫାଏ ଡିସୌଜା ଏବଂ ସମ୍ମାନିତ ଅତିଥିଭାବେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଭାରତ ପ୍ରତିନିଧି ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ପପୁଲେସନ ଫାଉଣ୍ଡେସନର ନିର୍ଦ୍ଦେଶିକା ଡ. ଏଏଲ ସାରଦା ଉପସ୍ଥିତ ଥିଲେ।
ଦେଶର ୧୦ଟି ଭିନ୍ନ ଭିନ୍ନ ଭାଷାରେ ଏ ନେଇ ୯୦୦ରୁ ଅଧିକ ଆବେଦନ ଗ୍ରହଣ ହୋଇଥିବାବେଳେ ଏଥିମଧ୍ୟରୁ ୨୩ଟି କାଟାଗୋରୀରେ ପ୍ରାୟ ୭୧ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାରଙ୍କୁ ପୁରସ୍କୃତ କରାଯାଇଛି। ଏହା ସହିତ ପ୍ରାୟ ୨୭ ଜଣଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସ୍ୱରୁପ ଏକ ଟ୍ରଫି ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ବିଭିନ୍ନ ଭାଷାରୁ ଆସିଥିବା ଏହି ଆବେଦନ ପତ୍ରମଧ୍ୟରୁ ଏକ ୬୫ ଜଣିଆ ଜୁରୀ କମିଟି ଚୁଡାନ୍ତ ପୁରସ୍କାର ପ୍ରଦାନ କରିଥିଲେ।
ମୁକ୍ତବୃତ ସାମ୍ବାଦିକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ପ୍ରମେୟରେ ୨୦ ଡିସେମ୍ବର ୨୦୨୦ରେ ପ୍ରକାଶିତ ସ୍ତମ୍ଭ ବାହାଘର ଭାଙ୍ଗିଗଲାପରେ ପାଇଁ ଏହି ପୁରସ୍କାର ପାଇଛନ୍ତି। ଗତ ବର୍ଷ ଶ୍ରୀ ରଥ ମଧ୍ୟ ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ବାହାଘର ଭାଙ୍ଗିଗଲା ପରେ ନାରୀମାନଙ୍କ ଉପରେ ପଡୁଥିବା ମନସ୍ତାତ୍ୱିକ ଚାପ ଏବଂ ଏହାର କୁପରିଣାମ ଉପରେ ଶ୍ରୀ ରଥ ଆଲୋକପାତ କରିଥିବାବେଳେ ଏହାର ନିରାକରଣ କିପରି କରାଯାଇପାରିବ ସେ ନେଇ ଆଲୋକପାତ କରିଥିଲେ। ଏହା ପ୍ରକାଶିତ ହୋଇ ପ୍ରଚୁର ପାଠକୀୟ ଆଦୃତି ଲାଭ କରିଥିବାବେଳେ ଜୁରୀମାନଙ୍କ ଦ୍ୱାରା ଭୂୟସୀ ପ୍ରଶଂସିତ ହୋଇଥିଲା। ଶ୍ରୀ ରଥ ଏବେ ବିଭିନ୍ନ ଅର୍ନ୍ତଜାତୀୟ ସଂସ୍ଥା ସହ ଯୋଗାଯୋଗ ପରାମର୍ଶଦାତାରୁପେ କାମ କରୁଥିବାବେଳେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଛନ୍ତି। ସେହିପରି ସେ ଟେଲିଭିଜନରେ କ୍ରୀଡା ସମୀକ୍ଷକଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜସ୍ୱ ମତ ରଖନ୍ତି।
ଏହା ବ୍ୟତୀତ ସମ୍ବାଦର ସାମ୍ମାଦିକ ଶୁଭକାନ୍ତ ପଢିହାରୀଙ୍କୁ ତାଙ୍କର ବାଇଲାଇନ୍ ଷ୍ଟୋରୀ ଅସହାୟ ପରୀମାନଙ୍କ ପାଇଁ ଏହି ପୁରସ୍କାର ମିଳିଥିବାବେଳେ, ସମାଜର କୋରାପୁଟ ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ନିଜର ରିପୋର୍ଟ ‘ବହୁଦେଶୀୟ କମ୍ପାନୀ ଚାକିରୀ ଛାଡି ସଫଳ ପଶୁପାଳକ ହେଲେ ମହିଳା’ ପାଇଁ ଏହି ପୁରସ୍କାର ମିଳିଛି।
ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଶ୍ରୀ ଶ୍ରୀରାମ ହରିଦାସ କହିଲେ ଯେ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ ସାମାଜିକ ଲିଂଗଗତ ସମସ୍ୟାକୁ କେବଳ ଅଧିକରୁ ଅଧିକ ସ୍ଥାନ ଦେବା ହିଁ ଯଥେଷ୍ଟ ହେବ ନାହିଁ ବରଂ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ ଏହି ସାମାଜିକ ଲିଂଗଗତ ପରିଚୟ ଗୁଡିକ ଗଣମାଧ୍ୟମରେ ଉପଯୁକ୍ତଭାବେ ସ୍ଥାନ ପାଉଛି। ତେଣୁ ସ୍ୱାସ୍ଥ୍ୟ, ଶିକ୍ଷା, କିମ୍ବା ବ୍ୟବସାୟପରି ନିୟମିତ ଷ୍ଟୋରୀ ହେଉ କିମ୍ବା ଜଳବାୟୁ ପରିବର୍ତନ କିମ୍ବା ମହାମାରୀ ପରି ଅନିୟମିତ ଷ୍ଟୋରୀ ହେଉ ଏହି ସବୁ ଷ୍ଟୋରୀ ପୁରୁଷ, ମହିଳା ଏବଂ ଶିଶୁ ଏବଂ ବିକଳ୍ପ ଲିଙ୍ଗର ଲୋକଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଉପରେ ଗବେଷଣା କରିବା ଆବଶ୍ୟକ।
ଫଏ ଡିସୌଜାଙ୍କ ମତରେ ଯେତେବେଳେ ବି ମହିଳାମାନଙ୍କୁ ଟେଲିଭିଜନ କାର୍ଯ୍ୟକ୍ରମରେ କୌଣସି କାହାଣୀରେ କେନ୍ଦ୍ରବିନ୍ଦୁରେ ରଖାଯାଇ ଯୋଜନା କରାଯାଇଛି ସେତେବେଳେ ପରିବର୍ତ୍ତନ ଆସିଛି। ଏହି ପରିପ୍ରେକ୍ଷୀରେ ସେ ଟେଲିଭିଜନ ଖବରର ସମ୍ପାଦକୀୟ ବୈଠକର ଉଦାହରଣ ଦେଇ କହିଥିଲେ ଯେ ଯେତେବେଳେ ମହିଳାମାନଙ୍କୁ କୌଣସି ଖବର କରିବାର ସ୍ୱାଧିନତା ଦିଆଯାଇଛି ଏବଂ ନିଜ ବାଗରେ ଏହାକୁ କହିବାର ଅନୁମତି ଦିଆଯାଇଛି, ସେତେବେଳେ ଅନେକ ଗୁଣାତ୍ମକ ଖବର ବାହାରକୁ ଆସିଛି। ସେତେବେଳ ଏହା ପରିବର୍ତନ ସୂଚାଇଛି।
ସେହିପରି ପପୁଲେସନ ଫାଷ୍ଟ ର ନିଦେ୍ର୍ଦଶିକା ଡ. ଏଏଲ ସାରଦା ନିଜ ମତ ରଖି କହିଥିଲେ ଯେ ପ୍ରତିବର୍ଷ ଏହି ପ୍ରତିଯୋଗିତାରେ ନୂଆ ନୂଆ ବିଷୟ ଉପରେ ଲେଖା ଦେଖିବାକୁ ମିଳୁଛି। ସାଧାରଣ ମାନବୀୟ ଆବେଗ ଥିବା ବିଷୟ ସହ ବୈବାହିକ ଧର୍ଷଣ, ଲକଡାଉନରେ ନାରୀ ଶିକ୍ଷା, ଶିଶୁ ଚାଲାଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆମର ଆତ୍ମାକୁ ଉଦରେକ୍ କରୁଥିବା ଲେଖା ସବୁ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଅଧିକରୁ ଅଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଡି ହେବାସହ ସାମାଜିକ ଲିଙ୍ଗଗତ ସମସ୍ୟାକୁ ନେଇ ଲେଖା ଲେଖିବେ, ଯାହା ତୃଣମୂଳ ସ୍ତରର ବାସ୍ତବତା ଏବଂ ସାମାଜିକ ସଂକୀର୍ଣ୍ଣତାକୁ ବାହାରକୁ ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ୧୧ତମ ଲାଡଲୀ ମିଡିଆ ଏଣ୍ଡ ଆଡଭାରଟାଇଜିଂ ଆୱାର୍ଡ ପୁରସ୍କାର ପ୍ରଦାନ ଅବସରରେ ଯୁବ ସଂଗୀତ ଶିଳ୍ପୀ ବଂଶୀକା ଜରାଳ ବାଦ୍ୟଯନ୍ତ୍ରରେ ସଂଗୀତ ପରିବେଷଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।