ଝାଡ଼ଖଣ୍ଡରେ ଉଚ୍ଛେଦ ହେବନି ଓଡ଼ିଆ ଭାଷା: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡରେ ଦ୍ୱିତୀୟ ସରକାରୀ ଭାଷା ଓଡ଼ିଆକୁ ଉଚ୍ଛେଦ ପାଇଁ ଯୋଜନା ଚାଲିଥିବା ନେଇ ଗତ କିଛିଦିନ ଧରି ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ଉଚ୍ଛେଦ ହେବନି ବୋଲି ସ୍ପଷ୍ଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ସ୍ଥିତି ସମ୍ପର୍କରେ ସେଠାକାର ବିଭାଗୀୟ ମନ୍ତ୍ରୀଙ୍କ ସହ ସେ ଟେଲିଫୋନରେ […]

niranjan-patnaik

Ordigital Desk
  • Published: Friday, 01 October 2021
  • , Updated: 01 October 2021, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡରେ ଦ୍ୱିତୀୟ ସରକାରୀ ଭାଷା ଓଡ଼ିଆକୁ ଉଚ୍ଛେଦ ପାଇଁ ଯୋଜନା ଚାଲିଥିବା ନେଇ ଗତ କିଛିଦିନ ଧରି ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ଉଚ୍ଛେଦ ହେବନି ବୋଲି ସ୍ପଷ୍ଟ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ସ୍ଥିତି ସମ୍ପର୍କରେ ସେଠାକାର ବିଭାଗୀୟ ମନ୍ତ୍ରୀଙ୍କ ସହ ସେ ଟେଲିଫୋନରେ ଆଲୋଚନା କରିଛନ୍ତି । ଆଲୋଚନାବେଳେ ଝାଡ଼ଖଣ୍ଡର ବିଭାଗୀୟ ମନ୍ତ୍ରୀ ମଧ୍ୟ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଚନ୍ତି। ଝାଡ଼ଖଣ୍ଡରେ ଅନ୍ୟ ଭାଷାର ଉଚ୍ଛେଦ ନେଇ ଆଲୋଚନା ହେଉଛି, ମାତ୍ର ଓଡ଼ିଆ ଭାଷା ପୂର୍ବବତ୍ ସୁରକ୍ଷିତ ରହିବ।

ସେହିପରି ଆଜି ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟଙ୍କ ସହ ଓଡ଼ିଆ ଭାଷା ସଂପର୍କରେ ଶ୍ରୀ ପଟ୍ଟନାୟକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଷଢ଼େଇକଳା ଓ ଖରସୁଆଁ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥିତ ଥିଲେ ମଧ୍ୟ ସେଠାକାର ଅଧିବାସୀ ଅଧିକାଂଶ ଓଡ଼ିଆ । ତେଣୁ ଓଡ଼ିଆ ଭାଷାକୁ ଝାଡଖଣ୍ଡରେ ରଖାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଥିଲେ। ଏବେ ଝାଡ଼ଖଣ୍ଡରେ କଂଗ୍ରେସ ସମର୍ଥିତ ମେଣ୍ଟ ସରକାର ରହିଥିବାରୁ ଓଡ଼ିଆ ଭାଷାକୁ ମିଳିଥିବା ମାନ୍ୟତା ପ୍ରତ୍ୟାହାର ଅଭିଯୋଗ ଉପରେ ପ୍ରଦେଶ କଂଗ୍ରେସ ଏହି ସମସ୍ୟାର ସମାଧାନ ପାଇଁ ଆଗକୁ ଆସିଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ପାଇଁ ଚାଲିଥିବା ପଦକ୍ଷେପକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅତି ଗମ୍ଭୀରତାର ସହ ନେଇଛନ୍ତି । ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଥିବାବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Related story