ମହିଳାଙ୍କୁ ରାଜ୍ୟସଭା ପ୍ରାର୍ଥୀ : ବିଜେଡି ନେତୃତ୍ୱଙ୍କୁ ବି ସୁହାଉଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଉ ଗୋଟିଏ ଆସନ ପାଇଁ ଜୁନ୍ ୩ରୁ ନାମାଙ୍କନ ପତ୍ର ଦାଖଲ ହେବ। ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୪ଟି ରାଜ୍ୟସଭା ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଥିବାରୁ ପ୍ରାର୍ଥିତ୍ୱକୁ ନେଇ ଦଳ ଉପରେ ଚାପ ବଢ଼ିବାରେ ଲାଗିଛି। ଏହି ୪ଟି ଆସନ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ […]

cMO

Ordigital Desk
  • Published: Tuesday, 24 May 2022
  • , Updated: 24 May 2022, 12:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଉ ଗୋଟିଏ ଆସନ ପାଇଁ ଜୁନ୍ ୩ରୁ ନାମାଙ୍କନ ପତ୍ର ଦାଖଲ ହେବ। ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୪ଟି ରାଜ୍ୟସଭା ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଥିବାରୁ ପ୍ରାର୍ଥିତ୍ୱକୁ ନେଇ ଦଳ ଉପରେ ଚାପ ବଢ଼ିବାରେ ଲାଗିଛି। ଏହି ୪ଟି ଆସନ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏବେଠୁ ନିଜର ଟ୍ରମ୍ପ କାର୍ଡ ‘ମହିଳା ସଂରକ୍ଷଣ’କୁ ଜୋରସୋରରେ ଉଠାଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଖାସ୍ ଏଇଥିପାଇଁ ଏବେଠୁ ବିଜେଡି ନିଜର ଘରସଜଡ଼ା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଆଉ ରାଜ୍ୟସଭା ନିର୍ବାଚନରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ମିଳିବ। ଏପରିକି ୩ଟି ସିଟ୍ ବି ମିଳିପାରେ ବୋଲି ଦଳର ବରିଷ୍ଠ ଉପସଭାପତି ଉଷା ଦେବୀଙ୍କ ମୁହଁରେ କୁହାଇ ବିଜେଡି ନେତୃତ୍ୱ ସ୍ପଷ୍ଟ ସନ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ବିଜେଡି ନିଜର ମହିଳା ପ୍ରତିନିଧିତ୍ୱକୁ ୩୩ ପ୍ରତିଶତରୁ ଅଧିକ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ନିଜର ଇମେଜକୁ ‘ ମା ଓ ମାଟି’ ପାଇଁ କାର୍ଯ୍ୟ କରୁଥିବା ଏକ ସୁଦୃଢ଼ ଆଂଚଳିକ ଦଳ ଭାବେ ସନ୍ଦେଶ ଦେବାକୁ ବିଜେଡି ପ୍ରସ୍ତୁତ କରିଥିବା ରଣନୀତି ଆଧାରରେ ଏବେଠୁ କାର୍ଯ୍ୟ ଆରମ୍ଭ କରିସାରିଛି । ବିଜେଡିର ଉତ୍ତରାଧିକାରୀ ଭାବେ ସୁଜାତା କାର୍ତ୍ତିକେୟନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦଳୀୟ ମୁଖପାତ୍ର ବୈଠକରେ ଘୋଷଣା, ରାଜ୍ୟ କ୍ୟାବିନେଟରେ ୬.୦୨ଲକ୍ଷରୁ ଅଧିକ ମହିଳା ଏସଏଚଜିଙ୍କୁ ଆସନ୍ତା ୫ବର୍ଷରେ ୫୦ହଜାର କୋଟି ଟଙ୍କାର ଋଣ ସୁବିଧା ସହ ୧୨୦୦କୋଟିର ସୁଧ ରିହାତି ଓ ୫୦୦ଟି ମିଶନ ଶକ୍ତି ଆଉଟଲେଟ୍ ଭଳି ନିଷ୍ପତ୍ତି ହିଁ ବିଜେଡିର ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟର ଅଂଶବିଶେଷ ବୋଲି କୁହାଯାଉଛି । ଆଉ ଏହି ଦୁଇ ଉପରୋକ୍ତ ନିଷ୍ପତ୍ତି ଗତ ମାସକ ମଧ୍ୟରେ ହୋଇଛି । ଏପଟେ ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଦିନକ ପୂର୍ବରୁ ଗଣମାଧ୍ୟମ ଆଗକୁ ଆସି ବିଜେଡି ଉପସଭାପତି ଉଷା ଦେବୀ ମହିଳାଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଯୁକ୍ତି ବାଢ଼ିବା ମଧ୍ୟ ଦଳୀୟ ରଣନୀତିର ଅଂଶବିଶେଷ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ପଂଚାୟତ ନିର୍ବାଚନରେ ବିଜେଡି ୫୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ୩୦ଟି ଜିଲ୍ଲା ପରିଷଦ ସଭାପତି ପଦରୁ ୨୦ଟି ଜିଲ୍ଲାରେ ମହିଳାଙ୍କୁ ସଭାପତି ପଦରେ ବିଜେଡି ଅବସ୍ଥାପିତ କରାଇଛି । ଭୁବନେଶ୍ୱର ସହରରେ ଉଭୟ ମେୟର ଓ ଡେପୁଟି ମେୟର ପଦବୀରେ ମହିଳାଙ୍କୁ ବସାଇ ବିଜେଡି ନିଜକୁ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ଦଳ ଭାବେ ନିଜର ଭାବମୂର୍ତ୍ତି ସଜାଡ଼ିବାରେ ଲାଗିଛି । ଦଳ ବିଭିନ୍ନ ନିର୍ବାଚନରେ ମହିଳା ଏସଏଚଜିର ୭୦ଲକ୍ଷ ସଦସ୍ୟଙ୍କୁ ଭରସା କରି କ୍ରମାଗତ ସଫଳତା ହାସଲ କରୁଛି । ପଂଚାୟତ ନିର୍ବାଚନରେ ଅଧିକାଂଶ ଏସଏଚଜି ମହିଳା ହିଁ ବିଜେଡିର ନେତୃତ୍ୱ ନେଇଛନ୍ତି । ତେଣୁ ଦଳ ଏବେ ୩୩ ପ୍ରତିଶତରୁ ଅଧିକ ଆସନରେ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାର ରଣନୀତି ପ୍ରସ୍ତୁତ କରିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ମୋଟ ୭ଜଣ(୩୩%) ମହିଳାଙ୍କୁ ଟିକେଟ ଦେଇଥିଲା ଓ ସେଥିରୁ ୫ଜଣ ବିଜୟୀ ହୋଇଛନ୍ତି । ତେଣୁ ଅନୁରୂପ ଭାବେ ଏବେ ରାଜ୍ୟସଭାରେ ଦଳ ୩୩ ପ୍ରତିଶତ ମହିଳା ପ୍ରତିନିଧିତ୍ୱ ନିମନ୍ତେ ଲକ୍ଷ୍ୟ ରଖିଛି । ଦଳ ନିଜର ଭାବମୂର୍ତ୍ତି ରକ୍ଷା ଓ ଆଖିଦୃଶିଆ ନିଷ୍ପତ୍ତି ନେଇ ଜାତୀୟସ୍ତରରେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବାରୁ ରାଜ୍ୟସଭାକୁ ଅଧିକ ସଂଖ୍ୟକ ମହିଳାଙ୍କୁ ପଠାଇବାକୁ ଯୋଜନା କରିଛି । ରାଜ୍ୟସଭାରେ ମୋଟ ୧୦ଟି ଆସନ ମଧ୍ୟରୁ ୩୩ ପ୍ରତିଶତରୁ ଅଧିକ (୩ରୁ ୪ଟି ଆସନ)ରେ ମହିଳାଙ୍କୁ ପ୍ରତିନିଧିତ୍ୱ ଦେବାକୁ ବିଜେଡି ଚାହୁଁଥିରୁ ଆଉ ୨ରୁ ୩ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏବେ ମମତା ମହନ୍ତ ଏକମାତ୍ର ମହିଳା ସାଂସଦ ଅଛନ୍ତି । ବିଜେଡି ଓ ବିଜେପିର ମିଳିତ ପ୍ରାର୍ଥି ଅଶ୍ୱିନୀ ବୈଷ୍ଣବଙ୍କୁ ଛାଡ଼ିଲେ ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଅନ୍ୟ ୯ଟି ଆସନ ବିଜେଡି ପାଖରେ ରହିବା ଏକପ୍ରକାର ନିଶ୍ଚିତ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଂସଦର ଉଭୟ ଗୃହରେ ମହିଳାଙ୍କ ପ୍ରତିନିଧିତ୍ୱ ସଂଖ୍ୟା ବୃଦ୍ଧି କରାଇ ବିଧାନସଭା ନିର୍ବାଚନ ରଣାଙ୍ଗନରେ ‘ମହିଳା କାର୍ଡ’କୁ ଜୋରସୋର ଢଙ୍ଗରେ ଉଠାଇପାରେ ବୋଲି ଜଣାପଡ଼ିଛି ।

କେବଳ ସେତିକି ନୁହେଁ, ବିଜେଡି ନେତୃତ୍ୱ ମଧ୍ୟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହିଁଛନ୍ତି । ରାଜ୍ୟସଭା ଆସନ ପାଇଁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ୨ରୁ ୩ଜଣ ମହିଳାଙ୍କୁ ପ୍ରାର୍ଥୀ କରାଇଲେ ଅନ୍ୟ ନେତାମାନଙ୍କ ମୁହଁକୁ ବନ୍ଦ ରଖିବାକୁ ସୁଯୋଗ ପାଇବେ । ଦଳର ସଂସଦରେ ବି ମହିଳା ପ୍ରତିନିଧିତ୍ୱ ବଢ଼ିଯିବ, ଆଉ ଏଠି ରାଜ୍ୟସଭା ଯିବାକୁ ଲବି କରୁଥିବା ନେତାମାନଙ୍କ ମୁହଁ ବି ସବୁଦିନ ପାଇଁ ବନ୍ଦ ହୋଇଯିବ । ଦଳ ପାଖରେ ଏସଏଚଜି, ଉଚ୍ଚଶିକ୍ଷିତା ମହିଳା ଓ ଦଳ ଏବଂ ସଂଗଠନ ପାଇଁ ବିଭିନ୍ନ ନିର୍ବାଚନରେ କାର୍ଯ୍ୟ କରିଥିବା ସଫଳ ମହିଳାଙ୍କ ଅଭାବ ମଧ୍ୟ ନାହିଁ । ତେଣୁ ଅଧିକ ସଂଖ୍ୟକ ମହିଳାଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେଡି ନେତୃତ୍ୱ ଏବେ ଉଷା ଦେବୀଙ୍କ ମାଧ୍ୟମରେ ବିଭିନ୍ନ ମହଲରୁ ମିଳୁଥିବା ପ୍ରତିକ୍ରିୟାକୁ ଆକଳନ କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୯୬ରେ କଂଗ୍ରେସ ଓ ୨୦୦୨ରେ ବିଜେଡି ଏକକାଳୀନ ୨ଜଣ ମହିଳାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ତା’ପରଠୁ ମହିଳାଙ୍କ ପ୍ରତିନିଧିତ୍ୱ ନାମକୁ ମାତ୍ର ରହିଛି । ୧୯୯୬ ମସିହାରେ କଂଗ୍ରେସ ଫ୍ରିଡ଼ା ଟପ୍ନୋ ଓ ଜୟନ୍ତୀ ପଟ୍ଟନାୟକଙ୍କୁ ଏବଂ ୨୦୦୨ରେ ବିଜେଡି ପ୍ରମିଳା ବହିଦାର ଓ ସୁଶ୍ରୀ ଦେବୀଙ୍କୁ ରାଜ୍ୟସଭା ପଠାଇଥିଲା । ରାଜ୍ୟସଭାକୁ ଏବେ ମୋଟ ୨୭ଜଣ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ସେଥିରେ ବିଜେପିର ୧୦, କଂଗ୍ରେସର ୫, ତୃଣମୂଳ କଂଗ୍ରେସର ୩ ଓ ଏନସିପିର ୨ଜଣ ସାଂସଦ ଅଛନ୍ତି । କିନ୍ତୁ ବିଜେଡିର ମାତ୍ର ଜଣେ ମହିଳା ସାଂସଦ ରାଜ୍ୟସଭାରେ ଅଛନ୍ତି ।

 

 

Related story