/odisha-reporter/media/post_attachments/uploads/2020/04/naveen-patnik-1.jpg)
naveen-patnik-1
ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ ଦେଶର ଅନେକ ରାଜ୍ୟ ପ୍ଲାଜମା ଥେରାପୀ ଉପରେ ଜୋର୍ ଦେଉଛନ୍ତି। ଦିଲ୍ଲୀରେ ୬ ଆକ୍ରାନ୍ତ ଏହି ପ୍ଲାଜମା ଥେରାପୀରେ ଭଲ ହେବା ପରେ ଏବେ ଅନେକ ରାଜ୍ୟ ପ୍ଲାଜମା ଥେରାପୀର ପ୍ରୟୋଗ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିକଟରେ ଆବେଦନ କରିଛନ୍ତି। କେରଳ, ଦିଲ୍ଲୀରେ ପ୍ଲାଜମା ଚିକିତ୍ସା ପାଇଁ ଅନୁମତି ମିଳିଥିବା ବେଳେ ଏବେ କର୍ଣ୍ଣାଟକ ଏହି ଥେରାପୀକୁ ଆଜିଠାରୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରିଛି। ସେହିପରି ଅନ୍ୟ କିଛି ରାଜ୍ୟ ମଧ୍ୟ ପ୍ଲାଜମା ଥେରାପୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାର ପ୍ରତିଦିନ କରୋନା ସମ୍ପର୍କରେ ଟିଟବିଟ୍ ସୂଚନା ଦେଉଛନ୍ତି। ହେଲେ ଏଯାବତ ସରକାର ପ୍ଲାଜମା ଥେରାପୀ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି। ରାଜ୍ୟରେ ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ଜଣେ ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୩୨। ଆଉ ଜଣେ କରୋନାରୁ ସୁସ୍ଥ ହେବା ପରେ କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି।
ପ୍ଲାଜମା ଥେରାପୀରେ ଯେଉଁମାନେ କରୋନାରେ ଅତ୍ୟଧିକ ଅସୁସ୍ଥ ଥିବେ କିନ୍ତୁ ସୁସ୍ଥ ହୋଇଯାଇଥିବେ ସେମାନଙ୍କ ରକ୍ତ ନମୁନାରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ଇନଫ୍ୟୁଜନ କରାଯାଏ। ଏହାକୁ ପ୍ଲାଜମା ଥେରାପୀ କୁହାଯାଏ।
ଏକ ଘରୋଇ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ଲାଜମା ଥେରାପୀ ସପକ୍ଷରେ ଅନେକ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମତ ରଖିଛନ୍ତି। ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ କହିଛନ୍ତି ଯେ ଯଦିଓ ଏହି ଚିକିତ୍ସା ଦିଲ୍ଲୀରେ ସଫଳ ହୋଇଛି ବୋଲି ପ୍ରମାଣିତ ହୋଇଛି। ହେଲେ ଏଭଳି ଚିକିତ୍ସା ପାଇଁ ରୋଗୀର ସହମତିକୁ ମଧ୍ୟ ଶୁଣିବାର ଆବଶ୍ୟକ ରହିଛି। ଯଦି ଏହା ସଫଳ ହେଉଛି ତା’ହେଲେ ଏହାକୁ ବ୍ୟବହାର କରିବାକୁ ପଡିବ। ଯେହେତୁ ଏହି ଥେରାପୀ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ ତେଣୁ ଏହା ପ୍ରଭାବଶାଳୀ ହୋଇପାରେ ବୋଲି ସେ କହିଛନ୍ତି। ଯଦି ଆଇସିଏମଆର ପ୍ଲାଜମା ଥେରାପୀ ବ୍ୟବହାରକୁ ଅନୁମତି ଦେବ ତା’ହେଲେ ଛତିଶଗଡ ମଧ୍ୟ ଏହି ଚିକିତ୍ସା ଆପଣାଇବ ବୋଲି ସେ କହିଛନ୍ତି।
ବିହାରର ମନ୍ତ୍ରୀ ସଞ୍ଜୟ ଝା’ କହିଛନ୍ତି ଯେ କରୋନା ମହାମାରୀର ଚିକିତ୍ସା ପାଇଁ ଯାହା ସଫଳ ହେବ ତାହାକୁ ତାଙ୍କ ସରକାର ଆପଣାଇବେ। କେନ୍ଦ୍ର ସରକାର ଯଦି ପ୍ଲାଜମା ଥେରାପୀକୁ ଅନୁମତି ଦିଅନ୍ତି ତେବେ ବିହାର ସରକାର ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି।
ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀଙ୍କ ନମୁନା ନିଆଯାଇଛି ଏବଂ ପ୍ଲାଜମା ଚିକିତ୍ସା ଜାରି ରଖିବାକୁ କେନ୍ଦ୍ରର ଅନୁମତି ମାଗିଛି ରାଜ୍ୟ। ଏବେ ଆଇସିଏମଆରର ଅନୁମତିକୁ ଅପେକ୍ଷା। ତେଲେଙ୍ଗାନା ମଧ୍ୟ ଏପ୍ରିଲ ୧୬ରେ ପ୍ଲାଜମା ଥେରାପୀ ପଦ୍ଧତି ଆପଣାଇବାକୁ ଆଇସିଏମଆରକୁ ଅନୁମତି ମାଗିଛି। କେରଳ ହେଉଛି ପ୍ରଥମ ରାଜ୍ୟ ଯିଏକି କୌଣସି ଔଷଧ ପଛରେ ନପଡି ପ୍ଲାଜମା ଥେରାପୀ ମାଧ୍ୟମରେ ପ୍ରଥମେ ଚିକିତ୍ସା କରି ସଫଳ ହୋଇଛି।
ତେବେ ଉଦବେଗର କଥା ହେଉଛି କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶା ସରକାର ଏଯାଏ ଏହାର ମୁକାବିଲା ପାଇଁ ପ୍ଲାଜମା ଥେରାପୀ ସମ୍ପର୍କରେ କୌଣସି ପଦକ୍ଷେପ ନେଉଥିବା ନେଇ ସୂଚନା ଦେଇ ନାହାନ୍ତି। ଏପରିକି ନିତିଦିନିଆ ସାମ୍ୱାଦିକ ସମ୍ମିଳନୀରେ ମଧ୍ୟ ରାଜ୍ୟ ସରକାରଙ୍କ ଅଧିକୃତ ମୁଖପାତ୍ରମାନେ ଏ ସମ୍ପର୍କରେ ଆଲୋଚନା ସୁଦ୍ଧା କରି ନାହାନ୍ତି। ମେ ୩ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକଡାଉନ୍ ଅବଧି ଶେଷ ହେଉଥିବା ବେଳେ ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହ ପରଠାରୁ ଓଡ଼ିଶାରେ କିଛି ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସ୍ଥିତି ପୁଣି ଜଟିଳ ହୋଇଛି।
ଏପରିକି ଆଗକୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗ ଜନକ ହେବାର ଆଶଙ୍କା ମଧ୍ୟ ରହିଛି। ଏପରି ସ୍ଥିତିରେ କରୋନାରେ ଏଯାଏ ବିକଳ୍ପ କୁହାଯାଉଥିବା ପ୍ଲାଜମା ଥେରାପୀ ସମ୍ପର୍କରେ ରାଜ୍ୟ ସରକାର କିଛି ଚିନ୍ତା ନକରିବା ବା ଏ ନେଇ ନିଜ ଆଭିମୁଖ୍ୟ କେନ୍ଦ୍ରକୁ ନଜଣାଇବା କେଉଁଠି ନା କେଉଁଠି ଓ କରୋନା ଲଢ଼େଇରେ ରାଜ୍ୟର ତତ୍ପରତାକୁ ବ୍ୟାକଫୁଟରେ ରଖିଥିବା ଆଶଙ୍କା ହେଉଛି।
ଏଠାରେ ସୂଚନାଯୋଗ୍ୟ ଯେ, ଦିଲ୍ଲୀ, କେରଳ ଭଳି ଚାଇନା ଓ ଆମେରିକାର କିଛି ସ୍ଥାନରେ ଏଭଳି ଚିକିତ୍ସା ଆପଣାଇ ସଫଳ ହୋଇଛନ୍ତି ଡାକ୍ତରମାନେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
