ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ 'ଜହ୍ନ ମାମୁ' ଭାବେ ପରିଚିତ ଥିବା ଚନ୍ଦ୍ର ପୃଷ୍ଠରେ ଦ୍ୱିତୀୟ ଥର ପାଇଁ ପାଦ ଥାପିବ ଭାରତୀୟ ମହାକାଶ ଯାନ। ରବିବାର ବିଳମ୍ବିତ ରାତିରେ ଏହାର ଉତ୍କ୍ଷେପଣ ପାଇଁ ସମଗ୍ର ବିଶ୍ୱବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏଥିରେ ଓଡ଼ିଶାର ରହିଛି ବଡ଼ ଭୂମିକା। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରେ ଥିବା ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ରେ ଚନ୍ଦ୍ରଯାନର ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରଯାନକୁ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାରେ ସାହାଯ୍ୟ କରିବାକୁ ଥିବା ରୋଭର୍ ‘ପ୍ରଜ୍ଞା’ର ଚକ ବା ଗୋଡ଼ ଏଠାକାର ସିଟିଟିସିରେ ନିର୍ମିତ ହୋଇଛି। ଏପରିକି ଏହି ଯାନର ଉତ୍କ୍ଷେପଣରେ ବ୍ୟବହୃତ ହେବାକୁ ଥିବା ଜିଏସ୍ଏଲ୍ଭି ଏମ୍କେ ୩ର କ୍ରାୟୋଜେନିକ୍ ଇଞ୍ଜିନ୍ର କିଛି ଅଂଶ ମଧ୍ୟ ଏଠାରେ ବିକଶିତ ହୋଇଛି।
ଏହି ପ୍ରସଙ୍ଗରେ ସିଟିଟିସିର ପରିଚଳନା ନିର୍ଦ୍ଦେଶକ ଶିବାଶିଷ ମାଇତି କହିଛନ୍ତି, "୨୦୧୬ ମାର୍ଚ୍ଚରୁ ଏହି ମୁନ୍ ମିଶନ୍ ପାଇଁ ଆମେ କାମ ଆରମ୍ଭ କରିଛୁ। ଶହେରୁ ଊର୍ଦ୍ଧ୍ୱ ଅପରେଟର ଏବଂ ଇଞ୍ଜିନିୟର ଏହି କାମରେ ଲାଗିଛନ୍ତି। ବିଭିନ୍ନ ଅଂଶ ମଧ୍ୟରେ ଲିକ୍ୱିଡ୍ ପ୍ରପଲସନ୍ ସିଷ୍ଟମ୍ ପାଇଁ ୨୨ ପ୍ରକାରର ଭାଲ୍ଭ ଏବଂ ସୌର ଶକ୍ତି ପାଇଁ ୭ ପ୍ରକାରର ଆସେମ୍ବ୍ଲି ମୋଟର ସିଟିଟିସିଠାରେ ନିର୍ମିତ ହୋଇଛି। ବେଙ୍ଗାଲୁରୁଠାରେ ଥିବା ଇସ୍ରୋ ମୁଖ୍ୟାଳୟଠାରେ ୫୦ ଜଣ ସିଟିଟିସି କର୍ମକାରୀ ଟେଷ୍ଟିଂ ପାଇଁ ନିୟୋଜିତ ହୋଇଛନ୍ତି।
ଶ୍ରୀ ମାଇତି କହିଛନ୍ତି, “ଜିଏସ୍ଏଲ୍ଭି ଏମ୍କେ ୩ ରକେଟ୍ରେ ୨୨ଟି ଭାଲ୍ଭ ଇନ୍ଧନକୁ ନିୟନ୍ତ୍ରଣ କରିବ। ସେହିଭଳି ଆମ ଦ୍ୱାରା ତିଆରି ଚକ ଚନ୍ଦ୍ରପୃଷ୍ଠରେ ରୋଭରକୁ ଲ୍ୟାଣ୍ଡ କରାବାରେ ସହାୟକ ହେବ। ଆମ ସହିତ ସମଗ୍ର ଓଡ଼ିଶାବାସୀ ଏହି ପ୍ରକଳ୍ପର ସଫଳତା କାମନା କରୁଛୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।