ଏନଆରସିକୁ ନବୀନଙ୍କ ବିରୋଧ ପରେ ଚାପ ସୃଷ୍ଟି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରିତାକୁ ନେଇ ମୁସଲିମ୍ ସମୁଦାୟ ମଧ୍ୟରେ ଅସନ୍ତୋଷ ଓ ଅଣଏନଡିଏ ଦଳଗୁଡ଼ିକର ବିରୋଧ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ନିଜର ଭୋଟବ୍ୟାଙ୍କ ହାତଛଡ଼ା ହେବାର ଭୟ ଘାରିଛି। ନାଗରିକତା ସଂଶୋଧନ ବିଲକୁ ସଂସଦରେ ବିଜେଡି ସମର୍ଥନ କରିଥିଲେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ତାଙ୍କ ଦଳ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ବିଜେଡି ସୁପ୍ରିମୋଙ୍କ ଏଭଳି ଆଭିମୁଖ୍ୟକୁ ପ୍ରଦେଶ […]

naveen-patnaik-1

naveen-patnaik-1

Manoranjan Sial
  • Published: Wednesday, 18 December 2019
  • Updated: 18 December 2019, 05:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରିତାକୁ ନେଇ ମୁସଲିମ୍ ସମୁଦାୟ ମଧ୍ୟରେ ଅସନ୍ତୋଷ ଓ ଅଣଏନଡିଏ ଦଳଗୁଡ଼ିକର ବିରୋଧ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ନିଜର ଭୋଟବ୍ୟାଙ୍କ ହାତଛଡ଼ା ହେବାର ଭୟ ଘାରିଛି। ନାଗରିକତା ସଂଶୋଧନ ବିଲକୁ ସଂସଦରେ ବିଜେଡି ସମର୍ଥନ କରିଥିଲେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ତାଙ୍କ ଦଳ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ବିଜେଡି ସୁପ୍ରିମୋଙ୍କ ଏଭଳି ଆଭିମୁଖ୍ୟକୁ ପ୍ରଦେଶ କଂଗ୍ରେସ ଦୋମୁହାଁ ନୀତି ବୋଲି କହିଥିବାବେଳେ ବିଜେପି ପକ୍ଷରୁ ତାଙ୍କ ଉପରେ ଚାପ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ନାଗରିକ ସଂଶୋଧନ ଆଇନକୁ ବିଜେଡିର ସମର୍ଥନକୁ ବିରୋଧ ଓ ଏହା ଲାଗୁ କରାଯିବା ପ୍ରତିବାଦରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ମୁସଲିମ୍ ସମୁଦାୟ ପକ୍ଷରୁ ବିଶାଳ ସମାବେଶ କରାଯିବାପରେ ବିଜେଡି ସୁପ୍ରିମୋ ଅଡ଼ୁଆରେ ପଡ଼ିଛନ୍ତି। ମୁସଲିମ ଭୋଟରଙ୍କ ମଧ୍ୟରେ ତାଙ୍କର ‘ଧର୍ମନିରପେକ୍ଷ’ ଭାବମୂର୍ତ୍ତି ପ୍ରଭାବିତ ହୋଇଥିବା ଆଶଙ୍କାରେ ଶ୍ରୀ ପଟ୍ଟନାୟକ ଆଜି ନାଗରିକ ସଂଶୋଧନ ଆଇନ ଓ ଏନଆରସି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି। ତାଙ୍କ ଦଳ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିଛି ଓ ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଏନଆରସିକୁ ବିଜେଡି ସମର୍ଥନ କରୁନି ଓ ଏହାକୁ ନେଇ ନାଗରିକମାନେ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ଶାନ୍ତି ବଜାୟ ରଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି। ଅବଶ୍ୟ ଜାତୀୟ ନାଗରିକ ଆଇନ ସଂସଦରେ ଗୃହୀତ ହେବାପରେ ମୁସଲିମ୍ ସମୁଦାୟର ଲୋକଙ୍କ ସହ ସାକ୍ଷାତବେଳେ ଏନଆରସି ପ୍ରସଙ୍ଗରେ ବିଜେଡି ନିଜର ଆଭିମୁଖ୍ୟର ସନ୍ଦେଶ ଦେଇଥିଲା। କିନ୍ତୁ ଆଜି ନବୀନ ନିଜେ ଏନଆରସି ପ୍ରସଙ୍ଗରେ ମତ ରଖିବାପରେ ବିଜେପି ତାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି।

ବିଜେପି ବିଧାୟକ ଦଳର ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନାଗରିକ ସଂଶୋଧନ ବିଲକୁ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଥିବାବେଳେ ଏନଆରସି ପ୍ରସଙ୍ଗରେ ‘ନଈ ନଦେଖୁଣୁ ଲଙ୍ଗଳା’ ଆଭିମୁଖ୍ୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। କିଛି ମୁଷ୍ଟିମେୟ ଲୋକଙ୍କ ବିରୋଧକୁ ଦେଖି ଶ୍ରୀ ପଟ୍ଟନାୟକ ‘ଦୋମୁହାଁ ନୀତି’ ଆପଣାଇବା ଦୁଃଖଦାୟକ।

ସେହିପରି ଶ୍ରୀ ନାଏକ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେବାର ୩ ଘଣ୍ଟା ନପୁରୁଣୁ ରାଜ୍ୟ ବିଜେପି ପକ୍ଷରୁ ଆନୁଷ୍ଠାନିକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଷ୍ଟ୍ର ହିତ ଦୃଷ୍ଟିରୁ ଏନଆରସିକୁ ସମର୍ଥନ କରନ୍ତୁ ବୋଲି ଦଳ ଦାବି କରିଛି। ଶ୍ରୀ ପଟ୍ଟନାୟକ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରନ୍ତୁ ବୋଲି ବିଜେପି ତାଙ୍କୁ ଅନୁରୋଧ କରିଛି।

ବିଜେପିର ପୂର୍ବତନ ସାଂସଦ ଐ୍ୟରଖାରବେଳ ସ୍ୱାଇଁ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଆବଶ୍ୟକତା ରହିଛି। ପ୍ରତ୍ୟେକ ସମୃଦ୍ଧ ରାଷ୍ଟ୍ରର ନାଗରିକଙ୍କର ଏଭଳି ନାଗରିକ ପଞ୍ଜିକା ରହିଛି। ଏହି ନାଗରିକ ପଞ୍ଜିକା ଦ୍ୱାରା ଭାରତର ନାଗରିକମାନଙ୍କର କୌଣସି କ୍ଷତି ହେବାର ନାହିଁ। ସବୁ ରାଷ୍ଟ୍ରର ନାଗରିକ ପଞ୍ଜିକା ଥିବାବେଳେ ଭାରତରେ ଏଭଳି ନାଗରିକ ପଞ୍ଜିକା ହେବାରେ ଅସୁବିଧା କେଉଁଠି? ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାହିଁକି ଏଭଳି ପଞ୍ଜିକାକୁ ବିରୋଧ କରୁଛନ୍ତି? ମମତା ବାନାର୍ଜୀ ଓ କଂଗ୍ରେସ ଏବେ ଭୋଟ୍ ରାଜନୀତି ପାଇଁ ଏହାକୁ ବିରୋଧ କରୁଥିବାବେଳେ ଏଥିରେ ମୁସଲିମ ସମୁଦାୟଙ୍କର କିଛି କ୍ଷତି ହେବାର ନାହିଁ। ଏନଆରସି କଦାପି ମୁସଲିମ ବିରୋଧୀ ନୁହେଁ। ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବହୁତ ଅଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସେମାନେ ଚିହ୍ନଟ ହୁଅନ୍ତୁ ବୋଲି କ’ଣ ଶ୍ରୀ ପଟ୍ଟନାୟକ ଚାହାଁନ୍ତି ନାହିଁ? ତେଣୁ ଏନଆରସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜର ମନୋବୃତ୍ତି ପରିବର୍ତ୍ତନ କରନ୍ତୁ ଓ ରାଷ୍ଟ୍ରର ହିତ ଦୃଷ୍ଟିରୁ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏନଆରସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ‘ଦୋମୁହାଁ’ ବୋଲି କହିଛନ୍ତି। ୨୦ ବର୍ଷ ଧରି ଓଡ଼ିଶାବାସୀଙ୍କୁ ବୋକା ବନାଇଥିବା ମୁଖ୍ୟମନ୍ତ୍ରୀ ଆଉ କେତେଦିନ ବୋକା ବନାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos