ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ପରିସ୍ଥିତି ମଧ୍ୟରେ ଆଜି ଅନୁଷ୍ଠିତ ୪୦ତମ ଜିଏସଟି କାଉନସିଲ୍ ବୈଠକରେ ଓଡ଼ିଶା ସରକାର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟକୁ ଜିଏସଟି କ୍ଷତିପୂରଣ ବାବଦରେ ୩୫୦୦କୋଟି ଟଙ୍କା ଦେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ୍ ବୈଠକରେ ଓଡ଼ିଶା ସମେତ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ଜିଏସଟି ରିଟର୍ଣ୍ଣ ଦାଖଲରେ ୫କୋଟି ଟଙ୍କାରୁ କମ୍ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତ ମିଳିଛି। ବୈଠକରେ କୋଭିଡ୍ ଯୋଗୁ ଉପୁଜିଥିବା ଆର୍ଥିକ ସ୍ଥିତି ଓ ଏହାର ମୁକାବିଲା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ପକ୍ଷରୁ ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ ହୋଇଛି। ମୁଖ୍ୟତଃ ୩୫୦୦କୋଟି ଟଙ୍କା ଜିଏସଟି କ୍ଷତି ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ଏହି ବୈଠକରେ ଅର୍ଥ ସଚିବ ଅଶୋକ କୁମାର ମୀନା ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।