ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଚେତାବନୀ: ମେଡିକାଲରେ ଦଲାଲଙ୍କ ସହ ସଲାସୁତୁରା ପଡ଼ିବ ମହଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ମେଡିକାଲ ଓ ହସ୍ପିଟାଲଗୁଡ଼ିକରେ ଦଲାଲମାନେ ସକ୍ରିୟ ହୋଇ ରୋଗୀ ତଥା ସେମାନଙ୍କର ସମ୍ପର୍କୀୟଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ନିକଟସ୍ଥ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଚିକିତ୍ସା ନିମନ୍ତେ ପ୍ରବର୍ତ୍ତାଇବା ଏଣିକି ମହଙ୍ଗା ପଡ଼ିବ। ଏପରିକି ଯଦି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଏହି ଦଲାଲମାନଙ୍କ ସହ ମିଶିଥିବାର ଯଦି କୌଣସି ପ୍ରମାଣ ମିଳେ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । କେବଳ ସେତିକି […]

doctor

Ordigital Desk
  • Published: Thursday, 27 October 2022
  • , Updated: 27 October 2022, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ମେଡିକାଲ ଓ ହସ୍ପିଟାଲଗୁଡ଼ିକରେ ଦଲାଲମାନେ ସକ୍ରିୟ ହୋଇ ରୋଗୀ ତଥା ସେମାନଙ୍କର ସମ୍ପର୍କୀୟଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ନିକଟସ୍ଥ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଚିକିତ୍ସା ନିମନ୍ତେ ପ୍ରବର୍ତ୍ତାଇବା ଏଣିକି ମହଙ୍ଗା ପଡ଼ିବ।

ଏପରିକି ଯଦି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଏହି ଦଲାଲମାନଙ୍କ ସହ ମିଶିଥିବାର ଯଦି କୌଣସି ପ୍ରମାଣ ମିଳେ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ଏଭଳି ଦଲାଲଙ୍କୁ ଚିହ୍ନଟ କରି ସ୍ଥାନୀୟ ଥାନାରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ଆଜି ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସମେତ ଜିଲ୍ଲାପାଳ, ଏସପି , ଡିସିପି ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ସରକାରୀ ହସ୍ପିଟାଲ ଓ ମେଡିକାଲଗୁଡ଼ିକରେ ଦଲାଲମାନେ ସକ୍ରିୟ ହୋଇ ରୋଗୀଙ୍କୁ ଚିକିତ୍ସା ନାଁରେ ବିଭ୍ରାନ୍ତ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଥିବା କହିଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ହସ୍ପିଟାଲର ଓପିଡି ନିକଟରେ ଠାବ କରି ସେମାନଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଭଲ ମାଗଣା ଚିକିତ୍ସା ମିଳିବ ବୋଲି ମିଛ ଆଶ୍ୱାସନା ଦେଉଛନ୍ତି ଓ ସେମାନଙ୍କଠୁ ଅର୍ଥ ଦାବି କରୁଛନ୍ତି । ରୋଗୀ ଓ ସେମାନଙ୍କ ପରିବାରକୁ ସରକାରୀ ହସ୍ପିଟାଲରେ ଭଲ ଚିକିତ୍ସା ସୁବିଧା ନାହିଁ ବୋଲି କହି ଏହି ଦଲାଲମାନେ ବିଭ୍ରାନ୍ତ କରାଉଛନ୍ତି।

ସେହିପରି ସରକାରୀ ମେଡିକାଲ ବା ହସ୍ପିଟାଲର କୌଣସି ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯଦି ଏହି ଦଲାଲମାନଙ୍କୁ ସହଯୋଗ କରୁଥିବେ ଅବା ସେମାନଙ୍କ ସହ ସଲାସୁତୁରାରେ ଥିବେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେଡିକାଲ ମୁଖ୍ୟ ଅଧିକାରୀମାନଙ୍କୁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ସମସ୍ତ ଅଧ୍ୟାପକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କୁ ଏଭଳି ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେବା ସହ ସରକାରୀ ହସ୍ପିଟାଲଗୁଡ଼ିକ ପରିସରରେ ଯଦି କେହି ଏଭଳି କରୁଥିବାର ଦେଖିବାକୁ ମିଳିବ ତୁରନ୍ତ ଅଟକ ରଖି ନିକଟସ୍ଥ ଥାନାକୁ ଅବଗତ କରାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଛନ୍ତି।

ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ସୁବିଧା ନିମନ୍ତେ ହସ୍ପିଟାଲର ମୁଖ୍ୟ ପ୍ରବେଶ ପଥରେ ବିଭିନ୍ନ ଓପିଡି(ବର୍ହିବିଭାଗ ରୋଗୀ)କୁ ଯିବାର ମାର୍ଗ ସ୍ପଷ୍ଟ ଭାବେ ଓଡ଼ିଆ ଓ ଇଂରାଜୀ ଭାଷାର ସାଇନବୋର୍ଡରେ ଲେଖିବା ତଥା ସମସ୍ତ ଓପିଡି ସାମ୍ନାରେ ମଧ୍ୟ ଉଭୟ ଭାଷାରେ ସୂଚନା ଦେବାକୁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି, ତେବେ ବିଭାଗ ଦ୍ୱାରା ଏହାକୁ ଗୁରୁତର ସହ ବିଚାରକୁ ନିଆଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Related story