ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ବଳ ଦେବାକୁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ପ୍ରତି ପଞ୍ଚାୟତରେ ଟିଏମସି ସେଣ୍ଟର ଖୋଲିବାଠୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ଖାଇବା-ପିଇବା, ପଞ୍ଚାୟତରେ କରୋନା ପରିଚାଳନା ସବୁ କ୍ଷେତ୍ରରେ ସେମାନଙ୍କୁ ଅଖଣ୍ଡ କ୍ଷମତା ଦିଆଯିବା ସହ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବି ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏବେ କେମିତି ଅଛନ୍ତି କରୋନା କାଳର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ? ଟିଏମସି ବାବଦକୁ କେବେ ଓ କେତେ ପାଇଲେ ସ୍ୱତନ୍ତ୍ର ପାଣ୍ଠି, ଆସନ୍ତୁ ଜାଣିବା।
କରୋନା ସମୟରେ ଟ୍ରେନ୍, ବସ୍ ଯୋଗେ ବଲାଙ୍ଗିର ଜିଲ୍ଲାକୁ ଫେରୁଥିବା ହଜାର ହଜାର ପ୍ରବାସୀଙ୍କ ଏକାନ୍ତବାସ ପାଇଁ ପଞ୍ଚାୟତର ବିଭିନ୍ନ ସ୍କୁଲ କଲେଜରେ ଅସ୍ଥାୟୀ ଭାବେ ଖୋଲିଥିଲା ଟିଏମସି ସେଣ୍ଟର। ସବୁ ଟିପ୍ ଟପ୍ ଥିଲା। ଦାୟିତ୍ୱରେ ଥିଲେ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ। ଯେମିତି ଦାଦନ ପ୍ରବଣ ତୁରେକେଲା ଖଗସା ପଞ୍ଚାୟତର ସରପଞ୍ଚ ସୁଦର୍ଶନ କଟା ଓ ବଙ୍ଗୋମୁଣ୍ଡା ଅଲଣ୍ଡା ପଞ୍ଚାୟତର ସରପଞ୍ଚ ଅର୍ଜୁନ ଯାଦବ।
ଆଉ ଏ ଦୁଇ ପଞ୍ଚାୟତରେ ଥିବା ଟିଏମସିରେ କେଉଁଠି ଖଟ, ଗଦି ସବୁ ଖତ ଖାଉଛି, ତ କେଉଁଠି କେଉଁଠି ସେଭିତରୁ କିଛି ଚୋରି ବି ହେଇଗଲାଣି। ନିମ୍ନମାନର ଜିନିଷ କିଣି ମୋଟା ଅଙ୍କର ବିଲ୍ ହୋଇଥିବା ଅଭିଯୋଗ ବି ଆସୁଛି। ହେଲେ ସରପଞ୍ଚଙ୍କ କ୍ଷୋଭ- ନା ସରକାର ଘୋଷଣା କରିଥିବା ୫ ଲକ୍ଷର ସ୍ୱତନ୍ତ୍ର ପାଣ୍ଠି ଏଯାଏଁ ମିଳୁଛି, କି ଦୁର୍ନୀତିର ତଦନ୍ତ ହେଉଛି।
ଖୋଦ୍ ବଲାଙ୍ଗିର ସହର ଉପକଣ୍ଠରେ ଥିବା ଖୁଜେନପାଲି ପଞ୍ଚାୟତରେ ବି ସମାନ ହାଲ୍ ସମାନ ଅଭିଯୋଗ। ପଞ୍ଚାୟତ ଅଫିସର ଗୋଟିଏ କୋଣରେ ଖଟ ଓ ଗଦି ଗଦା ହୋଇଛି କୌଣସି ବ୍ୟବହାରରେ ଆସୁନି, କି ରକ୍ଷଣାବେକ୍ଷଣର ନାଁ ଗନ୍ଧ ନାହିଁ। ପୁଇଁତଳା ବ୍ଲକରେ ୫ ଲକ୍ଷର ସ୍ୱତନ୍ତ୍ର ପାଣ୍ଠି ଘୋଷଣାକୁ ଦେଖି ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକରକମ ଫସି ଯାଇଛନ୍ତି ସରପଞ୍ଚ। ଫଳରେ ପଞ୍ଚାୟତରେ ଉନ୍ନୟନ କାମ ଠପ୍ ହୋଇଯାଇଥିବା ଅଭିଯୋଗ ତେବେ ପୂରା ଜିଲ୍ଲାରେ ପାଖାପାଖି ସମାନ ଚିତ୍ର ଥିବା ବେଳେ ଘଟଣା ସଂପର୍କରେ କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ।