ଓଡ଼ିଶାରେ ଆଇପିଏସ୍‌ ମରୁଡ଼ି! ଅପରାଧୀଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ତଳଆଡ଼ୁ ତୃତୀୟ

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଆଇପିଏସ୍ ଅଫିସର ପଦବି ପୂରଣରେ ପଛରେ ଓଡ଼ିଶା! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁନି ଏକ ତୃତୀୟାଂଶ ପଦ। ଅପରାଧୀଙ୍କୁ ଦଣ୍ଡ ଦେବାରେ ମଧ୍ୟ ଓଡ଼ିଶା ତଳଆଡ଼ୁ ତୃତୀୟ! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରିନି ୫୯ ଆଇପିଏସ୍ ପଦ। ୫୯ ଆଇପିଏସ ପଦ ପାଇଁ ଓଡ଼ିଶାରେ ନାହାନ୍ତି ଯୋଗ୍ୟ ଡିଏସପି। ଓଡ଼ିଶାରେ ଅପରାଧ ବଢ଼ୁଛି, ଅପରାଧୀ ବଢ଼ୁଛନ୍ତି। ହେଲେ ଧାର୍ଯ୍ୟ ଆଇପିଏସ୍ ପଦ ପୂରଣ ହୋଇପାରୁନି! ଏଥିପାଇଁ କେନ୍ଦ୍ର ତୁଳନାରେ ରାଜ୍ୟ ସରକାର ଅଧିକ ଦାୟୀ […]

IPS-Officer

  • Published: Monday, 26 September 2022
  • , Updated: 26 September 2022, 05:16 PM IST

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନଗୋ): ଆଇପିଏସ୍ ଅଫିସର ପଦବି ପୂରଣରେ ପଛରେ ଓଡ଼ିଶା! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁନି ଏକ ତୃତୀୟାଂଶ ପଦ। ଅପରାଧୀଙ୍କୁ ଦଣ୍ଡ ଦେବାରେ ମଧ୍ୟ ଓଡ଼ିଶା ତଳଆଡ଼ୁ ତୃତୀୟ! ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରିନି ୫୯ ଆଇପିଏସ୍ ପଦ। ୫୯ ଆଇପିଏସ ପଦ ପାଇଁ ଓଡ଼ିଶାରେ ନାହାନ୍ତି ଯୋଗ୍ୟ ଡିଏସପି।

ଓଡ଼ିଶାରେ ଅପରାଧ ବଢ଼ୁଛି, ଅପରାଧୀ ବଢ଼ୁଛନ୍ତି। ହେଲେ ଧାର୍ଯ୍ୟ ଆଇପିଏସ୍ ପଦ ପୂରଣ ହୋଇପାରୁନି! ଏଥିପାଇଁ କେନ୍ଦ୍ର ତୁଳନାରେ ରାଜ୍ୟ ସରକାର ଅଧିକ ଦାୟୀ ଥିବା ଦେଖାଯାଉଛି। ଜୁଲାଇ ୨୭ ତାରିଖରେ ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ମଝିରେ ମଝିରେ ସାରା ଦେଶରେ ବିଭିନ୍ନ ରାଜ୍ୟ ପାଇଁଥିବା ଆଇପିଏସ୍ କ୍ୟାଡରରେ ଧାର୍ଯ୍ୟ ଆଇପିଏସ୍ ଅଫିସର ସଂଖ୍ୟା ବୃଦ୍ଧି ପାଉ ଥିବାବେଳେ, ଦୁଇ ବର୍ଷ ତଳେ ଓଡ଼ିଶା ପାଇଁ ସିଧାସଳଖ ଆଇପିଏସ୍ ପଦରେ ନିଯୁକ୍ତି ପାଉଥିବା ପଦ ସଂଖ୍ୟା ୧୫୦ରୁ ୨୦୦ କରିଦିଆଯାଇଥିଲା। ଓଡ଼ିଶାରେ ୨୭୦ ଆଇପିଏସ ପଦବି ରହିଛି। ତେବେ ମନ୍ତ୍ରୀଙ୍କ କହିବା କଥା, ପଦୋନ୍ନତି କୋଟାରେ ପୂରଣ ହେବାକୁ ଥିବା ପ୍ରାୟ ଏକ-ତୃତୀୟାଂଶ ଆଇପିଏସ ପଦରୁ ଏବେ ଓଡ଼ିଶାରେ ୫୯ଟି ଆଇପିଏସ୍ ପଦ ଖାଲି ପଡ଼ିଛି। ଓଡ଼ିଶାରେ ଯୋଗ୍ୟ ଡିଏସପି ସ୍ତରର ଅର୍ଥାତ୍ ଓପିଏସ୍ ଅଫିସର ମିଳୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି, “ମୁଁ ପୁଲିସ୍‌ ମହାନିର୍ଦ୍ଦେଶକ ଥିବା ବେଳେ ୨୦୦୫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକରି ସିଧାସଳଖ ଡିଏସ୍‌ପି ନିଯୁକ୍ତି ନକଲେ ରାଜ୍ୟ ଆବଶ୍ୟକ ଆଇପିଏସ୍‌ ଅଫିସର ପାଇବନାହିଁ ବୋଲି କହିଥିଲି। ମୁଖ୍ୟମନ୍ତ୍ରୀଙ୍କର ଏହା ହୃଦ୍‌ବୋଧ ହୋଇଥିଲା। ହେଲେ ଏହାକୁ ଲାଗୁ କଲା ବେଳକୁ ୬ ବର୍ଷ ଲାଗିଗଲା। ସରକାରୀ କଳ! ତତ୍‌କ୍ଷଣାତ ଏହି ନିୟମ ଲାଗୁ କରିଥିଲେ ଆଜି ରାଜ୍ୟରେ ଆଇପିଏସ୍‌ ଅଫିସର ଅଭାବ ହୋଇନଥାଆନ୍ତା। ଆଇପିଏସ୍‌ ଓ ଓପିଏସ୍‌ ଅଫିସରଙ୍କ ଯୋଗ୍ୟତାରେ ବିଶେଷ ଫରକ ପଡ଼ିବନାହିଁ।”

ଓଡ଼ିଶାରେ ସିଧାସଳଖ ଡିଏସପି ପଦରେ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇନଥିଲା। ଡିଏସପି ସ୍ତରରେ ୮ ବର୍ଷ କାମ କଲା ପରେ ଯାଇ ଜଣେ ପଦୋନ୍ନତି ଭିତ୍ତିରେ ଆଇପିଏସ୍ ପଦକୁ ଯାଇପାରିବେ ବୋଲି ନିୟମ ରହିଛି। ତେବେ ଓଡ଼ିଶାରେ ୨୦୧୧ରୁ ସିଧାସଳଖ ଡିଏସପି ପଦରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ସମସ୍ୟା ହଟିନାହିଁ। ଏହା ବହୁ ପୂର୍ବରୁ ହେବାର ଥିଲା ବୋଲି ବରିଷ୍ଠ ଆଇପିଏସ ଅଧିକାରୀମାନେ କହିଛନ୍ତି। ଏଥିସହ ଜଣେ ଡିଏସପିଙ୍କ ନାଁରେ ଭିଜିଲାନସ କେସ ଥିଲେ ତାଙ୍କୁ ପଦୋନ୍ନତି ମିଳିବା କଷ୍ଟକର ହୋଇପଡ଼ୁଛି। ଜମ୍ମୁ ଓ କାଶ୍ମୀର ପରେ ଓଡ଼ିଶାରେ ସର୍ବାଧିକ ଆଇପିଏସ୍ ପଦ ଖାଲି ପଡ଼ିଛି ବୋଲି ଗତ ବର୍ଷ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ କେନ୍ଦ୍ର ମନ୍ତ୍ରୀ। ବର୍ତ୍ତମାନ ମଂଜୁରୀପ୍ରାପ୍ତ ପଦରୁ ୪୨ ଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବାର ନିୟମ ରହିଛି। ଓଡ଼ିଶାରେ ଅଫିସରଙ୍କ ଅଭାବ ଥିବାବେଳେ ନିୟମ ଥିଲେ ବି ଏଥିରୁ ପ୍ରାୟ ଅଧା ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉନଥିବା ଦେଖାଯାଇଛି।

ପୂର୍ବତନ ଡିଜିପି ସଂଜୀବ ମାରିକ କହିଛନ୍ତି, “ଜଣେ ଡିଏସ୍‌ପି ପାହ୍ୟା ଅଫିସରଙ୍କ କନ୍‌ଫିଡେସିଆଲ୍‌ ଭଲ ହେବା ଦରକାର। ତାଙ୍କ ନାଁରେ ଭିଜିଲାନ୍ସ କେସ୍‌ ନରହିବା ଦରକାର। ନଚେତ ତାଙ୍କୁ କେମିତି ଆଇପିଏସ୍‌କୁ ପଦୋନ୍ନତି ଦିଆଯିବ। କିଛି ବର୍ଷ ଭିତରେ ସ୍ଥିତି ସୁଧୁରିବ।”

ଦେଖାଯାଉଛି, ଓଡ଼ିଶାରେ ଅପରାଧୀମାନେ ସହଜରେ ଖସିଯାଉଛନ୍ତି। ଦୋଷୀଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ଦେଶରେ ତଳ ଆଡ଼ୁ ତୃତୀୟ। କାରଣ ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ପଡ଼ୋଶୀ ଛତିଶଗଡ଼ରେ ୩୮.୬% ଓ ଝାଡ଼ଖଣ୍ଡରେ ୪୧.୫% ମାମଲାରେ ଅଭିଯୁକ୍ତ ଦଣ୍ଡିତ ହେଉଥିବା ବେଳେ ଓଡ଼ିଶାରେ ମାତ୍ର ୫.୭% ମାମଲାରେ ଅଭିଯୁକ୍ତମାନେ ଦଣ୍ଡିତ ହେଉଛନ୍ତି।

https://www.youtube.com/watch?v=oN_8NElPoGM

Related story