ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ମାମଲା ରାଜ୍ୟରେ ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର ନିଜର ସମସ୍ତ ଅଫିସ କାର୍ଯ୍ୟକୁ ସ୍ୱାଭାବିକ କରିଛନ୍ତି। ତେବେ କୋଭିଡ୍-୧୯ ଗାଇଡଲାଇନକୁ ବିଭିନ୍ନ ଅଫିସରେ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ୨୭ସୂତ୍ରୀ ପରାମର୍ଶନାମା ଜାରି କରିଛନ୍ତି। ସାମାଜିକ ଦୂରତ୍ୱ ଓ ଅନ୍ୟ ପରାମର୍ଶଗୁଡ଼ିକୁ ଅଣଦେଖା କଲେ ଏହାକୁ ସରକାରୀ ବିଶୃଙ୍ଖଳା ଭାବେ ବିବେଚନା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସମସ୍ତ ସରକାରୀ ବିଭାଗ, ମ୍ୟୁନିସପାଲ କମିଶନର, ବିଏମସି କମିଶନର, ରାଜସ୍ୱ କମିଶନର ଓ ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସମସ୍ତ କର୍ମଚାରୀ ଅଫିସ୍ ପରିସରରେ ଥିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି କେହି ଏହି ନିର୍ଦ୍ଦେଶକୁ ଉଦ୍ଦେଶ୍ୟମୂଳକ ଭାବେ ଉଲ୍ଲଘଂନ କରେ ତାଙ୍କ ବିରୁଦ୍ଧରେ ବିଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ସବୁସମୟରେ ଅଫିସରେ ଦୁଇଜଣ କର୍ମଚାରୀଙ୍କ ମଧ୍ୟରେ ୨ମିଟରର ଦୂରତ୍ୱ ରହିବ।
ଅଫିସରେ ଆଲୋଚନା, ଠିଆ ହୋଇ ଗପିବା ଅବା ପ୍ରତୀକ୍ଷାବେଳେ ୨ମିଟର ଦୂରତ୍ୱ ପାଳନ କରାଯିବ। ଅଫିସ ପରିସରରେ ଥିବା କରିଡର ଅବା ସମୂହ ସ୍ଥାନଗୁଡ଼ିକରେ ଅନାବଶ୍ୟକ ସମାବେଶ ଓ ଗହଳି ନକରିବାକୁ କୁହାଯାଇଛି।
ନିୟମିତ ଭାବେ ଅଫିସ୍ ମଧ୍ୟରେ ହାତ ଧୋଇବାକୁ କର୍ମଚାରୀମାନଙ୍କୁ ତାଗିଦ୍ କରାଯିବା ସହ କିଭଳି ହାତ ଧୁଆଯିବ ସେ ନେଇ ଏକ ସଚିତ୍ର ପରାମର୍ଶନାମା ଜାରି ହୋଇଛି। ଅଫିସରେ ବସିବା ଓ ବୈଠକବେଳେ ସାମାଜିକ ଦୂରତ୍ୱକୁ ପାଳନ କରିବା ସହ ଅଫିସ କୋଠାକୁ ନିୟମିତ ଭାବେ ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଅଫିସ ଭିତରେ ପଶିବା ପୂର୍ବରୁ ହାତକୁ ସାନିଟାଇଜରରେ ପରିଷ୍କାର କରିବା ବାଧ୍ୟତାମୂଳକ କରିବାକୁ କୁହାଯାଇଛି ।
ଏପରିକି ଡାକ ନେବାଆଣିବା କାର୍ଯ୍ୟକୁ ଅଫିସ ପ୍ରବେଶ ପଥରେ ରଖିବା, ଯଥାସମ୍ଭବ ବାହାର ଲୋକଙ୍କ ଅଫିସକୁ ପ୍ରବେଶ ଉପରେ କଟକଣା ଓ ଯଦି ବି କେହି ଆସିଲେ ସେମାନଙ୍କ କାର୍ଯ୍ୟକୁ ଶୀଘ୍ର ସାରିବା, ଅଫିସ ପରିସରରେ ପାନଛେପ କିମ୍ବା ଛେପ ନପକାଇବାକୁ କୁହାଯାଇଛି।
ଯେଉଁ କର୍ମଚାରୀମାନେ କଣ୍ଟେନମେଣ୍ଟ ଜୋନରେ ରହୁଥିବେ ସେମାନେ ଉପରିସ୍ଥ କର୍ମଚାରୀଙ୍କ ଅନୁମତି ନେଇ ଘରେ ରହିବେ। ଅନ୍ୟ ଯେଉଁ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ସେମାନେ ପୂର୍ବ ଅନୁମତି ନେଇ ଘରେ ରହିପାରିବେ। ଏଭଳି କର୍ମଚାରୀଙ୍କୁ ଘରୁ ରହି କାମ କରିବାର ସୁବିଧା ମିଳିବ । ସେମାନଙ୍କର ଏହି ଅବଧିକୁ ଛୁଟି ଭାବେ ବିବେଚନା କରାଯିବ ନାହିଁ। ସେହିପରି ଅଫିସ ଲିଫ୍ଟରେ ଏକକାଳୀନ ୪ଜଣରୁ ଅଧିକ ଯାତାୟତ କରିପାରିବେ ନାହିଁ। ଗର୍ଭବତୀ ଓ ବୟସ୍କ ଲୋକମାନେ ଲିଫ୍ଟ ପରିବର୍ତ୍ତେ ପାହାଚରେ ଯିବାଆସିବା କରିବାକୁ କୁହାଯାଇଛି।
ଅଫିସ ଉପକରଣଗୁଡ଼ିକର ନିୟମିତ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ଅଫିସ ମଧ୍ୟରେ ଥିବା ଏସିଗୁଡ଼ିକର ତାପମାତ୍ରା ସ୍ତର ୨୪ରୁ ୩୦ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଭଳି ମୋଟ ୨୭ ସୂତ୍ରୀ ପରାମର୍ଶକୁ ଯେଭଳି କେହି ଉଲ୍ଲଘଂନ ନକରିବେ ତାହା ଉପରେ କଡ଼ାକଡ଼ି ନଜର ଦେବାକୁ ସାଧାରଣ ପ୍ରଶାସନ ବିଭାଗ ତାଗିଦ୍ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।