ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନ ରକ୍ଷାକାରୀ ଇକ୍ମୋ। ଏହି ମେସିନ୍ ସମ୍ପର୍କରେ ସାଧାରଣତଃ ଲୋକେ ଜାଣିନଥିଲେ। ତେବେ ମହାମାରୀ କରୋନା ସମୟରେ ହଠାତ୍ ଇକ୍ମୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାରେ ସରକାରୀ ମେଡ଼ିକାଲ୍ରେ ଇକ୍ମୋ ମେସିନ୍ ନଥିବାରୁ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି ଗୁରୁତର କରୋନା ରୋଗୀ। ତେବେ ଏଠି ପ୍ରଶ୍ନ ଉଠୁଛି କୋଭିଡ୍ରେ ଗୁରୁତର ରୋଗୀଙ୍କ ଶେଷ ଆଶା କଣ ଇକମୋ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ବାନାମ୍ବର ରାୟଙ୍କ ମତରେ “ଶରୀର ଭିତରେ ଫୁସଫୁସ୍ ଯେଉଁ କାମ କରେ, ଶରୀର ବାହାରେ ଏକମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ ଏକମୋ। ଯେ ପର୍ଯ୍ୟନ୍ତ ଫୁସଫୁସ୍ ଖରାପ ଥିବ, ସେଯାଏ ଇକମୋ ରକ୍ତ ପରିଷ୍କାର କାମ କରିବ। ଇକମୋ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ। କୋଭିଡ୍ ବେଳେ ଭେଣ୍ଟିଲେଟରକୁ ୧୦ ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି। ଇକମୋ ଲଗାଇଲେ ହୁଏତ ୧୦ ଜଣରୁ ୪ ଜଣ ବଞ୍ଚି ଯାଇପାରନ୍ତି। ଇକମୋ ଲଗାଇ ଦେଲେ ଯେ ସମସ୍ତେ ବଞ୍ଚିବେ ସେମିତି ଭାବିବା ଠିକ ନୁହେଁ ବୋଲି ପ୍ରଫେସର ବାନାମ୍ୱର ରାୟ କହିଛନ୍ତି।
ଇକ୍ମୋରେ କେମିତି ହୁଏ ଚିକିତ୍ସା? ଏଥିପାଇଁ କେତେ ଜଣ ଡାକ୍ତର ଆବଶ୍ୟକ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ ଇକ୍ମୋ ମେସିନ୍ ଚଳାଇବାକୁ ବିଭିନ୍ନ ସିଫ୍ଟରେ ୪ ଜଣ କାଡିଓଥୋରାସିକ୍, ୪ ଜଣ ପର୍ଫ୍ୟୁଜନିଷ୍ଟ, ୪ଜଣ ଭାସ୍କୁଲାର ସର୍ଜନ, ୪ଜଣ କାର୍ଡିଓଲୋଜିଷ୍ଟ, ୪ ଜଣ ସଂଖ୍ୟକ ପୁଲମୋଲୋଜିଷ୍ଟ ଓ ୪ ଜଣ ଇନ୍ଣ୍ଟେନ୍ସିଭିଷ୍ଟ ଦରକାର। ଜଣେ ରୋଗୀଙ୍କୁ ୨୪ ଘଣ୍ଟା ଧରି ଏହି ଟିମ୍ ନୀରିକ୍ଷଣ କରିଥାଏ। କାରଣ ଇକ୍ମୋ ମେସିନ ସାହାଯ୍ୟରେ ରୋଗୀର ଦୂଷିତ ରକ୍ତକୁ ବାହାରକୁ ବାହାର କରାଯାଇ ବିଶୋଧନ ପରେ ପୁଣି ଶରୀରରେ ଛଡ଼ାଯାଇଥାଏ। ଏହି ସମୟରେ ରୋଗୀଙ୍କ ସମସ୍ତ ଅଙ୍ଗ ଠିକ୍ ଭାବେ କାମ କରୁଛି ନା ନାହିଁ ଏହି ଟିମ୍ ଅତି ଯତ୍ନର ସହ ନଜର ରଖିଥାଏ। ରୋଗୀର ଫୁସ୍ଫୁସ୍ ଭଳି କାର୍ଯ୍ୟ କରିଥାଏ ଇକ୍ମୋ ବୋଲି ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ।
କଟକ ବଡ଼ ମେଡିକାଲରେ ରାଜ୍ୟ ସରକାର ୬ଟି ଇକ୍ମୋ ୟୁନିଟ୍ ସ୍ଥାପନ ପାଇଁ ଯୋଜନା ଚଳାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଇକ୍ମୋ ମେସିନ୍ ଚଳାଇବା ପାଇଁ ମାନବ ସମ୍ବଳ ଅଛି ତ? ଡିଏମ୍ଇଟି ସିବିକେ ମହାନ୍ତିଙ୍କ ମତରେ ଇକ୍ମୋ ମେସିନ୍ ଚଳାଇବା ଏସ୍ସିବିର କାର୍ଡିଓଥୋରାସିକ୍ ବିଭାଗର ଗୋଟିଏ କୋଠରୀରେ ୬ଟି ୟୁନିଟ୍ ସ୍ଥାପନ ହେଲେ କମ୍ ମାନବ ସମ୍ୱଳରେ ସବୁ ରୋଗୀଙ୍କ ଉପରେ ନଜର ରଖିହେବ। ତେବେ ସୂଚନା ଅନୁଯାୟୀ ଏସ୍ସିବିରେ କାର୍ଡିଓଥୋରାସିକ୍ ବିଭାଗରେ ଜଣେ ପ୍ରଫେସରଙ୍କ ସମେତ ୩ଜଣ କାର୍ଡିଓ ସର୍ଜନ ଅଛନ୍ତି। ତେବେ ଜଣେ ମାତ୍ର ପର୍ଫ୍ୟୁଜନିଷ୍ଟ ଅଛନ୍ତି, ସେ ମଧ୍ୟ ଠିକାରେ। ଏଥିପାଇଁ ସ୍ଥାୟୀ ପଦବୀ ସୃଷ୍ଟି କରାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।