ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରାମାଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରି ସମବାୟ ନିର୍ବାଚନରେ ସଫଳ ହେବାକୁ କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳରେ ଚାଷୀଙ୍କ ସମସ୍ୟା ଓ ଅସନ୍ତୋଷକୁ ତ୍ୱରିତ୍ ସମାଧାନ ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ସୁଧାରିବା ପାଇଁ ୨୭୦୮ଟି ନୂଆ ପଦବୀ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର) ସୃଷ୍ଟି କରାଯିବ। ଏଥିପାଇଁ ବାର୍ଷିକ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ସବୁକିଛି ଠିକଠାକ୍ ରୁହେ ଓ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳେ ତା’ହେଲେ ଖୁବଶୀଘ୍ର ପ୍ରାଥମିକ କୃଷି ସମବାୟ ସମିତି,ଲ୍ୟାମ୍ପସ୍ ଓ କୃଷି ସେବା ସମବାୟ ସମିତି(ଏଫଏସସିଏସ୍)ଗୁଡ଼ିକରେ ଜଣେ ଲେଖାଏ ପ୍ରିନ୍ସିପାଲ ଚିଫ ଏକଜ୍ୟୁକିଟିଭ ଅଫିସର(ପିସିଇଓ) ନିଯୁକ୍ତି ପାଇବେ ଓ ସେମାନଙ୍କ ମାଧ୍ୟମରେ ଏସବୁ ସଂସ୍ଥା ଉପରେ ସିଧାସଳଖ ସରକାରଙ୍କ ନିୟନ୍ତ୍ରଣରେ ରହିବ।
ରାଜ୍ୟରେ ଥିବା ପ୍ୟାକ୍ସ, ଲ୍ୟାମ୍ପସ୍ ଓ ଏଫଏସସିଏସଗୁଡ଼ିକରେ ପ୍ରଶାସନିକ ସଂସ୍କାର ଆଣିବା ପାଇଁ ସମବାୟ ରେଜିଷ୍ଟ୍ରାର ଆଜି ଚିଠି ଲେଖି ସମବାୟ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏସବୁ ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ(ସିଇଓ)ମାନେ ଅପାରଗ, ଦୁର୍ନୀତିଗ୍ରସ୍ତ, ଆର୍ଥିକ ଅନିୟମିତତା, ଜାଲସାଦି ଓ ମନମୁଖୀ କାରବାରରେ ଲିପ୍ତ ରହୁଥିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ବୋଲି ସେ କହିଛନ୍ତି। ଏପରିକି ଅଧିକାଂଶ ଅଭିଯୋଗର ତଦନ୍ତବେଳେ ତାହା ପ୍ରମାଣିତ ମଧ୍ୟ ହୋଇଛି। ଯେଉଁଥିପାଇଁ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି । କିନ୍ତୁ ଏହି ସମ୍ପାଦକମାନେ ସମ୍ପୃକ୍ତ ସମବାୟ ସମିତିର ପରିଚାଳନା କମିଟି ଅଧୀନରେ ରହୁଥିବାରୁ ସେମାନଙ୍କ ବିରୁଦ୍ଧରେ ଉଚିତ୍ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସରକାରଙ୍କ ପକ୍ଷେ ସମ୍ଭବପର ହେଉନି। ଗ୍ରାମାଞ୍ଚଳରେ ସରକାରଙ୍କ ଭାବମୂର୍ତ୍ତି ମଧ୍ୟ ଅନେକାଂଶରେ ଏହି ସମବାୟ ସମିତିଗୁଡ଼ିକ ପରିଚାଳନା ଓ ସମ୍ପାଦକମାନଙ୍କ ଆଚରଣ ଉପରେ ନିର୍ଭର କରୁଛି। ତେଣୁ ଏସବୁ କାରଣରୁ ସ୍ୱଳ୍ପକାଳୀନ କୃଷି ଋଣ ଢାଞ୍ଚାରେ ପ୍ରଶାସନିକ ସୁଧାର ଆବଶ୍ୟକ ହୋଇପଡ଼ିଛି।
ରାଜ୍ୟ ସରକାର ମଧ୍ୟ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୧୨୩(କ) ଅନ୍ତର୍ଗତ ୨୦୨୦ ଖରିଫ ଋତୁରୁ ଅନଲାଇନରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫସଲ ଋଣ ଅର୍ଥ ପଠାଇବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏବେ ରାଜ୍ୟର ସମସ୍ତ ୨୭୦୮ଟି ସମବାୟ ସମିତିରେ କମ୍ପ୍ୟୁଟରୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିଧାନସଭା ଗୃହ କମିଟି ମଧ୍ୟ ଚଳିତ ଆର୍ଥିକ ବର୍ଷ ରିପୋର୍ଟରେ ଏସବୁ ସମବାୟ ସମିତିର ସମ୍ପାଦକଙ୍କ ପାଇଁ କ୍ୟାଡ଼ର ଓ ବଦଳି ନୀତି ନିମନ୍ତେ ସୁପାରିସ କରିଛନ୍ତି। ତେଣୁ ଏହି ଦୃଷ୍ଟିରୁ ପ୍ରତ୍ୟେକ ସମବାୟ ସମିତିରେ ପ୍ରମୁଖ କାର୍ଯ୍ୟନିର୍ବାହୀ ଅଫିସର ନିଯୁକ୍ତି ଦେବା ଜରୁରୀ ହୋଇପଡ଼ିଛି। ସମବାୟ ଇନ୍ସପେକ୍ଟର ର୍ୟାଙ୍କର ଏହି ୨୭୦୮ଟି ନୂଆ ପଦବୀ ନିମନ୍ତେ ପ୍ରଥମ ୬ବର୍ଷ ୫୫ରୁ ୮୯କୋଟି ଟଙ୍କା ଓ ସେମାନେ ନିୟମିତ ହେବାପରେ ବାର୍ଷିକ ୧୧୫କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ରାଜ୍ୟ ସରକାର ଏବେ ଧାନ ପ୍ରକ୍ରିୟାକରଣରେ ନେଉଥିବା ୨ପ୍ରତିଶତ ମାର୍କେଟ୍ ଫି’କୁ ୪ପ୍ରତିଶତକୁ ବୃଦ୍ଧି କଲେ କେନ୍ଦ୍ର ସରକାରଙ୍କଠୁ ବାର୍ଷିକ ଅତିରିକ୍ତ ୧୭୫କୋଟି ଟଙ୍କା ମିଳିବ। ଏହି ଅର୍ଥକୁ ରାଜ୍ୟ ଯୋଗାଣ ନିଗମ ମାଧ୍ୟମରେ ସରକାର ପ୍ୟାକ୍ସଗୁଡ଼ିକର ଭିତ୍ତିଭୂମି ସୁଧାରିବା ସହ ଏହାକୁ ମାର୍କେଟ୍ ୟାଡ୍ ଭାବେ ବିକଶିତ କରିବେ। ଅବଶ୍ୟ ଏସବୁ ପାଇଁ ଓଡ଼ିଶା କୃଷି ଉତ୍ପାଦନ ବଜାର ଆଇନ-୧୯୫୬ରେ ସଂଶୋଧନ ଆବଶ୍ୟକ ପଡ଼ିବ। ଆଉ ୨୭୦୮ଟି ନୂଆ ପଦବୀକୁ ପ୍ରମୁଖ କାର୍ଯ୍ୟନିର୍ବାହୀ ଘୋଷିତ କରିବାକୁ ହେଲେ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୨୮(୩)ରେ ମଧ୍ୟ ସଂଶୋଧନ ଜରୁରୀ।
ତେଣୁ ଏହି ନୂଆ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସହ ଅର୍ଥ ବିଭାଗର ଅନୁମୋଦନ ମିଳିଲେ ଓଡ଼ିଶା ସବଅର୍ଡିନେଟ୍ କୋଅପରେଟିଭ ସର୍ଭିସ ରୁଲ-୧୯୯୨ ଅନ୍ତର୍ଗତ ଏହି ୨୭୦୮ଟି ପଦ ସୃଷ୍ଟି କରାଯିବ। ଯେଉଁମାନଙ୍କ ମାଧ୍ୟମରେ ଗ୍ରାମାଞ୍ଚଳରେ ଚାଷୀ ଅସନ୍ତୋଷ ଓ ସମସ୍ୟାର ତ୍ୱରିତ୍ ସମାଧାନ କରି ସରକାର ନିଜର ଭାବମୂର୍ତ୍ତିରେ ସୁଧାର ଆଣିପାରିବେ ବୋଲି ସମବାୟ ରେଜିଷ୍ଟ୍ରାର ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।