ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଲାଗି ହେଉଛି ରସଗୋଲା। ନିଳାଦ୍ରି ବିଜେର ଏହି ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲି ଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଚିତ୍ର ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ହେଉଛି ଓଡ଼ିଶା। ଏପଟେ ରସଗୋଲାକୁ ନେଇ କଟକ ନିକଟ ପାହାଳରେ ପାଳନ ହୋଇଛି ରସଗୋଲା ଦିବସ। ଏଥିରେ ଯୋଗଦେଇଛନ୍ତି ମନ୍ତ୍ରୀ, ବିଧାୟକ ଓ ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ। ହେଲେ କାହା ମନରେ ଅନୁଶୋଚନା ନାହିଁ ଯେ, ଓଡ଼ିଶା ରସଗୋଲାକୁ ଏ ପର୍ଯ୍ୟନ୍ତ ଜୋଗ୍ରାଫିକାଲ ଇଣ୍ଡିକେସନ୍ ବା ଜି.ଆଇ. ମାନ୍ୟତା ମିଳି ପାରିଲା ନାହିଁ।
ରସଗୋଲାକୁ ନେଇ ବାଦ ବିବାଦ ଓ ସମାଲୋଚନା ପରେ ରାଜ୍ୟ ସରକାର ଗଠନ କରିଥିଲେ ତ୍ରିସ୍ତରୀୟ କମିଟି। ତଥ୍ୟ ପ୍ରମାଣ ଯୋଗାଡ଼ ବି ହେଲା। ଆଉ ସରକାର ଜି.ଆଇ. ମାନ୍ୟତା ପାଇଁ ଫେବ୍ରୁଆରୀ ୨୩ ତାରିଖରେ ଆବେଦନ କଲେ। ହେଲେ ଦୁର୍ବଳ ଯୁକ୍ତି ପାଇଁ ଜି.ଆଇ. କର୍ତ୍ତୃପକ୍ଷ ପୁଣି ୧୪ଟି ପ୍ରଶ୍ନକୁ ନେଇ ସରକାରଙ୍କ ପାଖରୁ ସ୍ପଷ୍ଟୀକରଣ ମାଗିଲେ। ଡେଡ୍ଲାଇନ୍ ଥିଲା ଜୁଲାଇ ୨୨ ତାରିଖ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ସରକାରଙ୍କ ତଥ୍ୟ ପ୍ରମାଣ ଯୋଗାଡ଼ ସରିଲା ନାହିଁ। ତେଣୁ ଆଉ ଗୋଟିଏ ମାସ ସମୟ ଦେବାକୁ ଏବେ ସରକାର ଅନୁରୋଧ କରିଛନ୍ତି ବୋଲି ଅଣୁ ଓ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।
ପଶ୍ଚିମବଙ୍ଗର ‘ନବୀନ ଚନ୍ଦ୍ର ଦାସ’ ରସଗୋଲାର ଉଦ୍ଭାବକ ବୋଲି ଦାବି କରି ଗତବର୍ଷ ନଭେମ୍ବର ୧୪ ତାରିଖରେ ‘ବାଂଲା ରସଗୋଲା’ର ଜି.ଆଇ. ମାନ୍ୟତା ପାଇ ସାରିଛି। ଓଡ଼ିଶା ଦାବି କରୁଛି, ଦ୍ୱାଦଶ ଶତାବ୍ଦୀରୁ ନିଳାଦ୍ରି ବିଜେରେ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲାଗୁଛି। ସଂସ୍କୃତି ଗବେଷକ ଅସିତ ମହାନ୍ତି ପଞ୍ଚଦଶ ଶତାବ୍ଦୀରେ ଦାଣ୍ଡି ରାମାୟଣରେ ରସଗୋଲାର ବ୍ୟବହାର ନେଇ ପ୍ରମାଣ ଯୋଗାଡ଼ ସହ ୧୦୦ ପୃଷ୍ଠାର ତଥ୍ୟ ସମ୍ବଳିତ ପୁସ୍ତକ ୨୦୧୬ ମସିହାରେ ସରକାରଙ୍କୁ ଦେଇଥିଲେ। ତଥାପି ରସଗୋଲା ଯେ ଓଡ଼ିଶାର, ସେ ନେଇ ସରକାରଙ୍କ ତଥ୍ୟ ଯୋଗାଡ଼ ସରୁନି ବୋଲି ସଂସ୍କୃତି ଗବେଷକ ଅସିତ ମହାନ୍ତି କହିଛନ୍ତି।