ଖର୍ଚ୍ଚ ଦେବ ଏମସିଏଲ୍, ତଥାପି ମେଡିକାଲ କଲେଜ ପରିଚାଳନା ପାଇଁ ତତ୍ପର ନୁହଁନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେରରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିଥିବା ମହାନଦୀ କୋଲଡ୍ ଫିଲଡ୍ସ(ଏମସିଏଲ) ଲିଃ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଓଡ଼ିଶା ସରକାର ହାତବାନ୍ଧି ବସିଛନ୍ତି । ଏପରିକି ତାଳଚେରସ୍ଥିତ ଏହି ମେଡିକାଲ କଲେଜର ପରିଚାଳନା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ପ୍ରସ୍ତାବିତ ଖର୍ଚ୍ଚ ଅଟକଳ(ପ୍ରାୟ ୧୫୦୦କୋଟି ଟଙ୍କା)କୁ ଏମସିଏଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ ମଧ୍ୟ ଓଡ଼ିଶା ସରକାର ଏହି […]

secretariat

Ordigital Desk
  • Published: Saturday, 11 June 2022
  • , Updated: 11 June 2022, 09:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେରରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିଥିବା ମହାନଦୀ କୋଲଡ୍ ଫିଲଡ୍ସ(ଏମସିଏଲ) ଲିଃ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଓଡ଼ିଶା ସରକାର ହାତବାନ୍ଧି ବସିଛନ୍ତି । ଏପରିକି ତାଳଚେରସ୍ଥିତ ଏହି ମେଡିକାଲ କଲେଜର ପରିଚାଳନା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ପ୍ରସ୍ତାବିତ ଖର୍ଚ୍ଚ ଅଟକଳ(ପ୍ରାୟ ୧୫୦୦କୋଟି ଟଙ୍କା)କୁ ଏମସିଏଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ ମଧ୍ୟ ଓଡ଼ିଶା ସରକାର ଏହି ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ତେବେ ଏମସିଏଲ୍ କର୍ତ୍ତୃପକ୍ଷ ଉକ୍ତ କଲେଜ ପରିଚାଳନା ପାଇଁ ଅର୍ଥ ବହନ କରିବାକୁ ମେ’ ୨୫ତାରିଖରୁ ଚିଠି ଲେଖି ଅବଗତ କରିଥିଲେ ମଧ୍ୟ ଓଡ଼ିଶା ସରକାର କାହିଁକି ଚୁପ୍ ବସିଛନ୍ତି ଓ ମେଡିକାଲ କଲେଜ କେବେ ଖୋଲିବ ତାହା ଶୀଘ୍ର ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଗତମାସ ୧୨ ତାରିଖରେ ଏମସିଏଲ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଳଚେରସ୍ଥିତ ଏହି ମେଡିକାଲ କଲେଜ ଓ ହସ୍ପିଟାଲ (ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ)ର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାରଙ୍କ ନୀତିଗତ ସହମତି ଥିବା ନେଇ ଜଣାଇଥିଲେ । ଏହାସହିତ ଉକ୍ତ ମେଡିକାଲ ପରିଚାଳନା ନିମନ୍ତେ ଡିଏମଇଟିଙ୍କ ଦ୍ୱାରା ପ୍ରସ୍ତୁତ ଆଗାମୀ ୫ବର୍ଷ ପାଇଁ ବ୍ୟୟ ଅଟକଳ ସଂକ୍ରାନ୍ତ ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ । ଅବଶ୍ୟ ୨୦୨୨ ଏପ୍ରିଲ ୨୧ତାରିଖରେ ଏମସିଏଲ୍ କର୍ତ୍ତୃପକ୍ଷ ଏହି କଲେଜର ସମସ୍ତ ପ୍ରକାରର ପରିଚାଳନା ଦାୟିତ୍ୱ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହ ଆଗାମୀ କିଛିବର୍ଷ ପାଇଁ ଏବାବଦରେ ଆବଶ୍ୟକ ଖର୍ଚ୍ଚ ବହନ କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ ।

ତେବେ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ ପରିଚାଳନା(ଉଭୟ ପ୍ରଶାସନିକ ଓ ଟେକନିକାଲ) ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ପଣ୍ଡା ମେ’ ୧୨ରେ ଡିଏମଇଟିଙ୍କ ଦ୍ୱାରା ୫ବର୍ଷ ପାଇଁ ଯେଉଁ ବ୍ୟୟ ଅଟକଳ ଦେଇଥିଲେ ତାକୁ ଏମସିଏଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ମେ’ ୨୫ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିଜର ସମ୍ମତି ଜଣାଇଥିଲେ । ଏହାସହିତ ମେଡିକାଲ କଲେଜ ନିର୍ମାଣ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଯେଉଁ ଏମଓୟୁ ହୋଇଥିଲା ସେହି ସର୍ତ୍ତକୁ ଦୋହରାଇଛନ୍ତି । ଉକ୍ତ ମେଡିକାଲ କଲେଜର ୧୫ ପ୍ରତିଶତ ସିଟ୍ ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଏମସିଏଲ୍ ସ୍ଥାୟୀ କର୍ମଚାରୀଙ୍କ ସନ୍ତାନସନ୍ତତିଙ୍କ ପାଇଁ ଉଦ୍ଦିଷ୍ଟ ରଖିବାର ସର୍ତ୍ତକୁ ପାଳନ ପାଇଁ କହିଛନ୍ତି ।

ଏହାସହିତ ତାଳଚେରସ୍ଥିତ ମେଡିକାଲ କଲେଜକୁ ଦୀର୍ଘସ୍ଥାୟୀ କରିବା ନିମନ୍ତେ ନାମଲେଖା ଫି’କୁ ତଦନୁସାରେ ନିର୍ଦ୍ଧାରଣ କରିବାକୁ ଏମସିଏଲ୍ କର୍ତ୍ତୃପକ୍ଷ କହିଛନ୍ତି । ଏହି ଫି’କୁ ସରକାରୀ ମେଡିକାଲ କଲେଜରୁ ଅଧିକ ଓ ଘରୋଇ ମେଡିକାଲ କଲେଜର ଫି’ଠୁ କମ୍ ମଧ୍ୟରେ ରଖିବାକୁ ଅନୁରୋଧ କରିଛନ୍ତି । ଏସବୁ ବ୍ୟତୀତ ଉକ୍ତ ହସ୍ପିଟାଲର ୧୫ ପ୍ରତିଶତ ବେଡ୍ (ଆଇସିୟୁ, ଏଚଡିୟୁ, କ୍ୟାବିନ୍ ଲେବର ୱାର୍ଡ)କୁ ଏମସିଏଲ ସ୍ଥାୟୀ କର୍ମଚାରୀ ଓ ସେମାନଙ୍କ ପରିବାର ଏବଂ ଅସ୍ଥାୟୀ କର୍ମଚାରୀଙ୍କ ନିମନ୍ତେ ରିଜର୍ଭ ରଖିବାକୁ କହିଛନ୍ତି ।

ଏହି ମେଡିକାଲ କଲେଜର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ସର୍ତ୍ତକୁ ଏମସିଏଲ୍ ସ୍ୱୀକାର କରୁଛି ତଥା ଏଥିପାଇଁ ଏସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସାନି ଏମଓୟୁ ସ୍ୱାକ୍ଷର କରିବାର ଆବଶ୍ୟକତା ରହିଛି ବୋଲି ଏମସିଏଲ୍ ଜେନେରାଲ ମ୍ୟାନେଜର(ସିଏସଆର) ଆରକେ ପାଣିଗ୍ରାହୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।

ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି ଯେ, ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ରାଜ୍ୟ ସରକାର ଚିଠି ଲେଖିଥିଲେ । ଏମସିଏଲ କର୍ତ୍ତୃପକ୍ଷ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମେ’ ୨୫ରେ ଚିଠି ଲେଖି ଜଣାଇଛନ୍ତି । ୫ବର୍ଷରେ ୧୫୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଏମସିଏଲ୍ କର୍ତ୍ତୃପକ୍ଷ ଜଣାଇଥିଲେ ମଧ୍ୟ ମେଡିକାଲ କଲେଜ କେବେ ଖୋଲିବ ତାହା ଜଣାପଡ଼ିନି । ରାଜ୍ୟ ସରକାର ଏହି କଲେଜକୁ ତୁରନ୍ତ ଖୋଲିବାକୁ ସେ ଦାବି କରିଥିବାବେଳେ ତାଳଚେର ବିଧାୟକ ଓ ଢେଙ୍କାନାଳ ସାଂସଦ ଏ ସମ୍ପର୍କରେ କିଛି ନଜାଣିଲା ଭଳି କାହିଁକି ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Related story