ଏବେ ତଣ୍ଡ ଗଣିବେ ଓଡ଼ିଶାବାସୀ: ଏଲଆଣ୍ଡଟି ନେବ ୧୦୦କୋଟି, କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଭୁଲ୍ ପାଇଁ ଏବେ ସମଗ୍ର ଓଡ଼ିଶାବାସୀ ତଣ୍ଡ ଗଣିବେ । ରାଜ୍ୟ ରାଜକୋଷରୁ ୧୦୦.୦୬କୋଟି ଟଙ୍କା ତଣ୍ଡ ଆକାରରେ ଏଲଆଣ୍ଡଟି କମ୍ପାନୀକୁ ଦେବାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୦୨ ମସିହାରେ ଏଲଆଣ୍ଡଟିର ୨୦କୋଟି ଟଙ୍କା ବକେୟା ରାଶିକୁ ନଦେଇ ପକାଇ ରଖିବା ଓ ଏହି ମାମଲାକୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଲଢ଼ି ପରାଜିତ ହେବାପରେ ସରକାରଙ୍କ ଚେତା ପଶିନଥିଲା, ଯେଉଁଥିପାଇଁ ଗତ ଜୁଲାଇ ମାସରେ କର୍ମସିଆଲ […]

odisha secretariat

Ordigital Desk
  • Published: Friday, 21 October 2022
  • , Updated: 21 October 2022, 08:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଭୁଲ୍ ପାଇଁ ଏବେ ସମଗ୍ର ଓଡ଼ିଶାବାସୀ ତଣ୍ଡ ଗଣିବେ । ରାଜ୍ୟ ରାଜକୋଷରୁ ୧୦୦.୦୬କୋଟି ଟଙ୍କା ତଣ୍ଡ ଆକାରରେ ଏଲଆଣ୍ଡଟି କମ୍ପାନୀକୁ ଦେବାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୦୨ ମସିହାରେ ଏଲଆଣ୍ଡଟିର ୨୦କୋଟି ଟଙ୍କା ବକେୟା ରାଶିକୁ ନଦେଇ ପକାଇ ରଖିବା ଓ ଏହି ମାମଲାକୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଲଢ଼ି ପରାଜିତ ହେବାପରେ ସରକାରଙ୍କ ଚେତା ପଶିନଥିଲା, ଯେଉଁଥିପାଇଁ ଗତ ଜୁଲାଇ ମାସରେ କର୍ମସିଆଲ କୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଏଲଆଣ୍ଡଟି ନିଜ ଦଖଲକୁ ନେଇଥିଲା । ଆଉ ସେହି ଭୁଲ ପାଇଁ ରାଜ୍ୟବାସୀଙ୍କ କଷ୍ଟଲବ୍ଧ ଟିକସ ଅର୍ଥରୁ ୧୦୦କୋଟି ଟଙ୍କାର ତଣ୍ଡ ଏକ ଘରୋଇ କମ୍ପାନୀକୁ ଦେବା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ମାତ୍ର ଏହି ୨୦ବର୍ଷ ମଧ୍ୟରେ ଉକ୍ତ ମାମଲାର ତ୍ରୁଟି କାହାର ଥିଲା, ତା’ର ଖୋଳତାଡ଼ ହେଲାନି କିମ୍ବା କାହାରିକୁ ସରକାରୀ ଭାବେ ଦାୟୀ କରାଯାଇନଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏସିଆନ୍ ଡେଭଲପେମେଣ୍ଟ ବ୍ୟାଙ୍କ ସହାୟତାରେ ୧୯୯୭ ମସିହାରେ ୧୬୩କିମି ବିଶିଷ୍ଟ ସମ୍ବଲପୁର-ରାଉରକେଲା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିଥିଲା । ତେବେ ରାଜ୍ୟ ସରକାର ଚୁକ୍ତିମାନା ଖିଲାପ କରି ୨୦କୋଟି ଟଙ୍କା ବିଲ୍ ନଦେବାରୁ ଏଲଆଣ୍ଡଟି କମ୍ପାନୀ ସେତେବେଳେ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା ଓ ୨୦୦୨ ଜାନୁୟାରୀ ୧୭ତାରିଖରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ଜାରି କରି କମ୍ପାନୀକୁ ତା’ର ବକେୟାକୁ ୧୮ପ୍ରତିଶତ ସୁଧ ସହ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ବିଫଳ ହୋଇଥିଲେ । କୋର୍ଟରୁ ନିରାଶ ହେବା ପରେ ବି ରାଜ୍ୟ ସରକାରଙ୍କ ଚେତା ପଶିନଥିଲା ଓ ବକେୟା ଅର୍ଥ ନଦେବାରୁ ସିଭିଲ କୋର୍ଟ(କର୍ମସିଆଲ)ଙ୍କ ନିର୍ଦ୍ଦେଶରେ ଏଲଆଣ୍ଡଟି କମ୍ପାନୀ ୨୦୨୨ ଜୁଲାଇ ମାସରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ନିର୍ମାଣସୌଧ’ରେ ଥିବା ସରକାରୀ ସମ୍ପତ୍ତିକୁ ଜବତ କରିଥିଲା । ଯାହାକୁ ନେଇ ସେତେବେଳେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବା ସହ ରାଜ୍ୟ ସରକାରଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଫିସରଙ୍କ ଅଫିସରେ ଥିବା କମ୍ପ୍ୟୁଟର ସାମଗ୍ରୀଠୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ କମ୍ପାନୀ ଦଖଲକୁ ନେବା ଓଡ଼ିଶା ଇତିହାସରେ ପ୍ରଥମ ଥିଲା ।

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏଲଆଣ୍ଡଟି କମ୍ପାନୀକୁ ତା’ର ବକେୟା ମୂଳଧନ ଉପରେ ୧୮ ପ୍ରତିଶତ ସୁଧ ହାରରେ ମୋଟ ୧୦୦କୋଟି ୬ଲକ୍ଷ ୪୨ହଜାର ୪୬୬ଟଙ୍କା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କେଉଁ କାରଣ ପାଇଁ ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ଅତିରିକ୍ତ ୮୦କୋଟି ଟଙ୍କା ଗଲା ଓ ଏଥିନିମନ୍ତେ କିଏ ଦାୟୀ ତା’ର ଖୋଳତାଡ଼ ହେଲାନି କିମ୍ବା ତା’ଉପରେ ସରକାର କିଛି ପଦକ୍ଷେପ ନେଲେନି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଲଆଣ୍ଡଟି କମ୍ପାନୀକୁ ତା’ର ଏହି ବକେୟା ୧୦୦.୦୬କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ଆର୍ବିଟ୍ରେସନ ଟ୍ରିବ୍ୟୁନାଲ ୨୦୦୨ ଜାନୟୁାରୀ ୧୭ତାରିଖରେ ତାଙ୍କର ରାୟ ଏଲଆଣ୍ଡଟି କମ୍ପାନୀ ସପକ୍ଷରେ ଦେବାବେଳେ ପୂର୍ତ୍ତ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିଲେ। ଶ୍ରୀ ପଟ୍ଟନାୟକ ୨୦୦୧ ଜୁଲାଇ ୭ରୁ ୨୦୦୨ ଅଗଷ୍ଟ ୬ତାରିଖ ପର୍ଯ୍ୟନ୍ତ ଏହି ବିଭାଗ ଦାୟିତ୍ୱରେ ଥିଲେ । ସେହିପରି ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଅନଙ୍ଗଉଦୟ ସିଂହଦେଓ ରାଜ୍ୟ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୦୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏହି ବକେୟା ଅର୍ଥକୁ ଦେବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇନଥିବାର ଫଳ ଏବେ ରାଜ୍ୟବାସୀଙ୍କୁ ‘ତଣ୍ଡ’ ଆକାରରେ ଦେବାକୁ ପଡ଼ିଛି।

Related story