ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ: ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାଚୀନ ଶକ୍ତିପୀଠ ମା’ ତାରାତାରିଣୀ ଓ ମା’ କଟକ ଚଣ୍ଡୀଙ୍କ ପରେ ଝଙ୍କଡ଼ସ୍ଥିତ ଶାରଳା ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଟଙ୍କା ଖର୍ଚ୍ଚ ହେବ ଓ ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ […]

Sarala Temple

Ordigital Desk
  • Published: Thursday, 02 June 2022
  • , Updated: 02 June 2022, 07:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାଚୀନ ଶକ୍ତିପୀଠ ମା’ ତାରାତାରିଣୀ ଓ ମା’ କଟକ ଚଣ୍ଡୀଙ୍କ ପରେ ଝଙ୍କଡ଼ସ୍ଥିତ ଶାରଳା ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଟଙ୍କା ଖର୍ଚ୍ଚ ହେବ ଓ ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ୱାରା ନିର୍ମିତ ଶାରଳା ମନ୍ଦିର ରାଜ୍ୟର ପୁରାତନ ଶକ୍ତି ଓ ମାତୃ ଉପାସନା ପୀଠ । ମା’ଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥାଏ ।

ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ତ୍ତ ବିଭାଗ ଦ୍ୱାରା ଶାରଳା ମନ୍ଦିର ଉନ୍ନତିକରଣ ସଂକ୍ରାନ୍ତ ମାଷ୍ଟରପ୍ଲାନ୍ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଇଥିଲା । ଏହି ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ ଓ ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଉନ୍ନତିକରଣ ମଧ୍ୟରେ ମା’ ଶାରଳା ମନ୍ଦିର ପରିସରରେ ଥିବା ମନ୍ଦିରଗୁଡ଼ିକ, ପୁଷ୍କରଣୀର ଉନ୍ନତିକରଣ ସହ ପୂର୍ବ ,ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ ଏବଂ ଐତିହ୍ୟ ପାଚେରୀ ନିର୍ମାଣ କରାଯିବ । ଏହାବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର,ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ ।

ସେହିପରି ଯାତ୍ରୀ ଓ ସେବାୟତମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୁଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ । ଯାତ୍ରୀ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ । ଏବେ ରହିଥିବା ଶପିଂ କମ୍ପେ୍ଲକ୍ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ସେଠାରେ ଗାଡ଼ି ମୋଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ ।

ଝଙ୍କଡ଼ ପୀଠ ସହିତ ଓଡ଼ିଆ ସାହିତ୍ୟର ଉନ୍ମେଷ ଜଡ଼ିତ । ମା’ଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡ଼ିଆ ଭାଷାରେ ମହାଭାରତ ରଚନା କରି ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ । ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ଚଉଡ଼ା କରାଯିବ ବୋଲି ଜଣାପଡ଼ିଛି । ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏବେ ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।

ଆଜିର କାର୍ଯ୍ୟକ୍ରମରେ ଶାରଳା ମନ୍ଦିରର ସେବାୟତମାନଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ ଆଦି ଉପସ୍ଥିତ ଥିଲେ । ବିଭିନ୍ନ ଶକ୍ତି ପୀଠର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପକୁ ସେବାୟତମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସଂଯୋଜନା କରିଥିଲେ । ଗତ ମାସରେ ରାଜ୍ୟ ସରକାର କଟକସ୍ଥିତ ଚଣ୍ଡୀମନ୍ଦିର ମାଷ୍ଟରପ୍ଲାନକୁ ଅନୁମୋଦନ କରିଥିଲେ ।

Related story