ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସମେତ ୪ଟି ଜିଲ୍ଲାର ଏସପିଙ୍କ ବଦଳି ହୋଇଛି । ଟୁଇନ୍ ସିଟି ପୁଲିସ୍ କମିଶନର ଭାବେ ଏଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ବଦଳି କରାଯାଇଛି । ପୁଲିସ୍ କମିଶନର ୱାଇ.ବି.ଖୁରାନିଆଙ୍କୁ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି । ସେହିପରି ଆଇଜି ସଞ୍ଜିବ ପଣ୍ଡାଙ୍କୁ ରାଜ୍ୟ ପରିବହନ କମିଶନର ଭାବେ ବଦଳି କରାଯାଇଥିବାବେଳେ ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଓଏସ୍ଏପି ଆଇଜି ଭାବେ ନିଯୁକ୍ତି ମିଳିଛି । ସେହିପରି କ୍ରାଇମବ୍ରାଞ୍ଚ ଏସପି ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଭଦ୍ରକ ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି । ଭଦ୍ରକ ଏସପି ଆଇପିଏସ୍ ବାଟ୍ଟୁଲା ଗଙ୍ଗାଧରଙ୍କୁ କଳାହାଣ୍ଡି ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି । ସେହିପରି କଳାହାଣ୍ଡି ଏସପି ଆଇପିଏସ୍ ମଧୁକର ସନ୍ଦୀପ ସମ୍ପଦଙ୍କୁ କ୍ରାଇମବ୍ରାଞ୍ଚ ଏସଁପି ଭାବେ ବଦଳି କରାଯାଇଛି । ସେହିପରି ଓଡ଼ିଶା ପୁଲିସ୍ ସେବାର ୨ଜଣ ଅଫିସରଙ୍କୁ ପଦୋନ୍ନତି ସହ ଏସପି ଭାବେ ନିଯୁକ୍ତି ମିଳିଛି । ଓପିଏସ୍ ଦେବପ୍ରସାଦ ଦାଶଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଓପିଏସ୍ ଶଶୀଭୂଷଣ ଶତପଥୀଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ମିଳିଛି ।