ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆହୁରି ୪୮ ଘଣ୍ଟା ଧରି ରାଜ୍ୟରେ ହିଟ୍ ୱେଭ କଣ୍ଡିସନ୍ ଜାରି ରହିବ। ଫଳରେ ପାରଦ ବଢ଼ିବା ସହ ଗରମ ବି ବଢ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ। ତେବେ ଉପକୂଳ ଓଡ଼ିଶା ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆହୁରି ୪ରୁ ୫ ଦିନ ଲାଗି ରହିବ। ସେହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କନ୍ଧମାଳ ଓ କୋରାପୁଟ।”
ସେ ଆହୁରି କହିଛନ୍ତି,“ଆରବସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ର ପ୍ରଭାବ ମୌସୁମୀ ଉପରେ ପଡ଼ିବ। ଫଳରେ ଓଡ଼ିଶାକୁ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇପାରେ।”
ଗତକାଲି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଖରା ହୋଇଥିବା ବେଳେ ରାତିରେ କିଛି ସ୍ଥାନରେ ବର୍ଷା ହୋଇଥିଲା। କେନ୍ଦୁଝରରେ ସର୍ବାଧିକ ୪୨.୮ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୨ ମିମି ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।