କୋଟିଆ ସମେତ ୧୦ଟି ନୂଆ ସ୍ଥାନରେ ହେବ ଇକୋ-ରିଟ୍ରିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ସରକାର ନିଜର ମାଲିକାନା ଜାହିର କରି ବିଭିନ୍ନ ଗତିବିଧି ଜାରି ରଖିଥିବାବେଳେ ଓଡ଼ିଶା ସରକାର ‘କୋଟିଆ ଗ୍ରାମପୁଞ୍ଜ’କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଆଉ ୧୦ଟି ନୂଆ ଇକୋ ରିଟ୍ରିଟ୍ ସ୍ଥଳୀରେ କୋଟିଆକୁ ସାମିଲ କରାଯାଇଛି । ଏହାସହିତ ଅନ୍ୟ ୩ଟି ସ୍ଥାନକୁ ନେଚର କ୍ୟାମ୍ପ ଭାବେ ମଧ୍ୟ ବିକଶିତ ପାଇଁ ନିଷ୍ପତ୍ତି ନିଆଯାଇଛି । […]

ECO

Ordigital Desk
  • Published: Friday, 26 August 2022
  • , Updated: 27 August 2022, 10:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ସରକାର ନିଜର ମାଲିକାନା ଜାହିର କରି ବିଭିନ୍ନ ଗତିବିଧି ଜାରି ରଖିଥିବାବେଳେ ଓଡ଼ିଶା ସରକାର ‘କୋଟିଆ ଗ୍ରାମପୁଞ୍ଜ’କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଆଉ ୧୦ଟି ନୂଆ ଇକୋ ରିଟ୍ରିଟ୍ ସ୍ଥଳୀରେ କୋଟିଆକୁ ସାମିଲ କରାଯାଇଛି । ଏହାସହିତ ଅନ୍ୟ ୩ଟି ସ୍ଥାନକୁ ନେଚର କ୍ୟାମ୍ପ ଭାବେ ମଧ୍ୟ ବିକଶିତ ପାଇଁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାତିରହଣୀ ସହ ଇକୋ ରିଟ୍ରିଟ୍ ସ୍ଥଳୀ ଭାବେ ବିକଶିତ କରିବାକୁ ୧୦ଟି ନୂଆ ସ୍ଥାନକୁ ଅନୁମତି ଦିଆଯାଇଛି । ଏହାସହିତ ଦିନରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ୩ଟି ନେଚର କ୍ୟାମ୍ପ ମଧ୍ୟ ବିକଶିତ କରାଯିବ । ଏହି ନୂଆ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସେସବୁ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ଆତିଥ୍ୟ ଦେବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ସେ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।  ଯାହାଫଳରେ ସେମାନଙ୍କ ଜୀବନଜୀବିକା ନିର୍ବାହ ହୋଇପାରିବ ।

ଯେଉଁ ୧୦ଟି ନୂଆ ସ୍ଥାନକୁ ଇକୋ-ରିଟ୍ରିଟ୍ ପାଇଁ ଚିହ୍ନଟ କରାଯାଇଛି , ସେଗୁଡ଼ିକ ହେଲା କୋରାପୁଟର କୋଟି÷ଆ ସମେତ କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର ଜକାମ, ଉତ୍ତର ଶିମିଳିପାଳର ନୟାଣା, ଫୁଲବାଣୀର ସିଲଭିକଲଚର ଗାର୍ଡେନ, ପୁରୀର ଅସ୍ତରଙ୍ଗ ମୁହାଣ, ରାଇରଙ୍ଗପୁରର ଖାଡ଼ଖାଇ, ଗଞ୍ଜାମର ମହେନ୍ଦ୍ରଗିରି(ବ୍ରହ୍ମପୁର ସାଇଡ୍ ), କେନ୍ଦୁଝରର କାଞ୍ଜିପାଣି ଘାଟ ଓ ଦହଗଡ଼ ଡ୍ୟାମରେ ଇକୋରିଟ୍ରଟ୍ ଓ ରାତିରହଣୀର ସୁବିଧା ହେବ । ସେହିପରି ଦିନରେ ବୁଲିବା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ କୋରାପୁଟର ରାଣୀ ଡୁଡୁମା, କଟକର ଧଳତଙ୍ଗଗଡ଼ ଓ ନୟାଗଡ଼ ଜଙ୍ଗଲ ଡିଭିଜନର ଝାଡ଼େଶ୍ୱରୀ ମନ୍ଦିର ନିକଟସ୍ଥ ଭଣ୍ଡାରପହରକୁ ନୂଆ ନେଚର କ୍ୟାମ୍ପ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ହୋଇଛି ।

ବୈଠକରେ ବନ୍ୟପ୍ରାଣୀ ପିସିସିଏଫ ଶଶୀ ପଲ୍ କହିଥିଲେ ଯେ, ରାଜ୍ୟରେ ଏବେ ୫୦ଟି ଇକୋ ରିଟ୍ରିଟ୍ ସ୍ଥଳୀ ଓ ନେଚର କ୍ୟାମ୍ପ ରହିଛି । ଏହି ୧୩ଟି ନୂଆ ପର୍ଯ୍ୟଟନ ସ୍ଥାନର ଅନୁମୋଦନ ପରେ ଏହି ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଏସବୁ ସ୍ଥାନକୁ ବୁଲିଯିବା ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ରହିଛି । ତଥା ଏପର୍ଯ୍ୟନ୍ତ ଏସବୁ ଇକୋ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରାଗଲାଣି ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଗତ ୫ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୪୨ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୭-୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୧୫୦୦ ଥିବାବେଳେ ଏହା ୨୦୨୦-୨୧ରେ ୫୭ହଜାରକୁ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏହା ୭୦୨୧୬କୁ ବଢ଼ିଛି । ସେହିପରି ଇକୋ ପର୍ଯ୍ୟଟନରୁ ୨୦୧୭-୧୮ରେ ରାଜସ୍ୱ ୩.୪୦କୋଟି ଟଙ୍କା ମିଳୁଥିବାବେଳେ ୨୦୨୧-୨୨ରେ ଏହା ୧୦.୫୨କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story