ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଫେରାଇବାକୁ ଦାବି, ରାଜ୍ୟପାଳଙ୍କୁ ଫେରାଦ ହେଲେ ଶିକ୍ଷାବିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବାକୁ ନେଇ ରାଜ୍ୟର ବରିଷ୍ଠ ଶିକ୍ଷାବିତମାନେ ଉଦବେଗ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ କାର୍ଯ୍ୟକାରୀ ନ କରନ୍ତୁ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତ୍ତତା ପୂର୍ବଭଳି ବଜାୟ ରହୁ ବୋଲି ଦାବି କରି ସେମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ […]

University

Ordigital Desk
  • Published: Friday, 27 May 2022
  • , Updated: 28 May 2022, 08:00 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବାକୁ ନେଇ ରାଜ୍ୟର ବରିଷ୍ଠ ଶିକ୍ଷାବିତମାନେ ଉଦବେଗ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ କାର୍ଯ୍ୟକାରୀ ନ କରନ୍ତୁ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତ୍ତତା ପୂର୍ବଭଳି ବଜାୟ ରହୁ ବୋଲି ଦାବି କରି ସେମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଫେରାଦ ହୋଇଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ୟୁୟୁଟିଏ)ର କର୍ମକର୍ତ୍ତା ତଥା ରାଜ୍ୟର ବରିଷ୍ଠ ଶିକ୍ଷାବିତମାନେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲାଗୁ କରିଥିବାବେଳେ ରାଜ୍ୟ ସରକାର ଏହି ନିୟମ ଆଧାରରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ଅନୁଚିତ୍ । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧୀନତା ତଥା ସାୟତ୍ତତା ଶିକ୍ଷାନୁଷ୍ଠାନକୁ ଅଧିକ ସୁଦୃଢ଼ କରେ । ରାଜ୍ୟ ସରକାର ସମ୍ମାନର ସହ ଉଚ୍ଚ ଶିକ୍ଷା ଏବଂ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତ୍ତତା ବଜାୟ ରଖିବା ଦିଗରେ କାମ କରିବା ଦରକାର । ଭାରତ ସରକାରଙ୍କ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ରେ ମଧ୍ୟ ବିଶ୍ୱବିଦ୍ୟାଳୟ ମାମଲାରେ ସରକାର ହସ୍ତକ୍ଷେପ କରିବା ଅନୁଚିତ ବୋଲି ଉଲ୍ଲେଖ ରହିଛି । କିନ୍ତୁ ରାଜ୍ୟ ସରକାର ଏନଇପିର ନିର୍ଦ୍ଦେଶର ବିପରିତ ଦିଗରେ ଯାଇ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ସଂଶୋଧନ କରି ୟୁଜିସିର ନିୟମର ଉଲ୍ଲଂଘନ କରିଛନ୍ତି । ସେହିପରି ସୁପ୍ରିମକୋର୍ଟ ଏହି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ କ୍ରିୟାନ୍ୱିତ କରିବା ଉପରେ ରହିତାଦେଶ ଜାରି କରିଛନ୍ତି । ତେଣୁ କୁଳାଧିପତି ଭାବରେ ରାଜ୍ୟପାଳ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧିନିୟମ ଉପରେ ପୁନର୍ବିଚାର କରି ଏହାକୁ ହଟାଇ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ରକ୍ଷା ଦିଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ସଂଘ ଦାବି କରିଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ କହିଛନ୍ତି ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ୟୁଜିସିର ଗାଇଡ଼ଲାଇନକୁ ରାଜ୍ୟ ସରକାର ପାଳନ କରିନାହାନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ମଧ୍ୟ ରଖିନାହାନ୍ତି । ତେଣୁ ଏନେଇ ଆମେ ଆଜି କୁଳାଧିପତିଙ୍କୁ ସାକ୍ଷାତ୍ କରିଛୁ । ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନକୁ ପ୍ରତ୍ୟାହାର କରିବା ନିମନ୍ତେ ପରାମର୍ଶ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ଗୁଜୁରାଟରେ ୟୁଜିସିର ରେଗୁଲେସନକୁ ପାଳନ ନ କରି କୁଳପତିଙ୍କ ନିଯୁକ୍ତି କରାଯାଇଥିଲା ଏବଂ ଏହାକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ ବୋଲି ପ୍ରଫେସର ରଥ କହିଛନ୍ତି ।
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ସଭାପତି ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ପୂର୍ବତନ ପ୍ରଫେସର ପ୍ରଫୁଲ ମହାପାତ୍ର, ଅମରେଶ୍ୱର ମିଶ୍ର, ଜିବିଏନ ଚଇନି, ମହେଶ୍ୱର ସାହୁ ଓ ପ୍ରଫେସର କବୀରମୋହନ ସେଠୀ ରାଜ୍ୟପାଳଙ୍କୁ ସାକ୍ଷାତ୍ କରି ଦାବି ଉପସ୍ଥାପନ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Related story