ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗୁଡ଼ିଆକାଟେଣୀରେ ହାତୀ ଆତଙ୍କ। ଏକ ଦନ୍ତା ହାତୀ ଆକ୍ରମଣରେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବତୀ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାଁ ଦୟାନିଧି ସାହୁ (୬୫)। ସେ ଘର ବାହାରକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସେହିଭଳି ହାତୀ ଆକ୍ରମଣରେ ଆହତ ଯୁବତୀଙ୍କ ନାଁ ରଶ୍ମୀତା ସାହୁ (୨୦)। ସେ ଘର ବାହାରକୁ ଆସିଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଆହତ ରଶ୍ମୀତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଥୁବା ପ୍ରତିବାଦରେ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ହାତୀପଲ ସ୍ଥାନୀୟ ଅଞ୍ଚଳ ଦେଇ ୫୫ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ଏହି ଦନ୍ତା ହାତୀ ମଧ୍ୟ ସେହି ପଲରେ ଥିଲା। ତେବେ ସେ କୌଣସି ମତେ ପଛରେ ରହି ଯାଇଥିଲା ଓ ପରେ ଗାଁରେ ପଶି ଆକ୍ରମଣ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।