ପାରାଦୀପ (ରମାକାନ୍ତ ନାୟକ): ଠକେଇର ନୂଆ ଫଣ୍ଡା। ଏବେ ସାଇବର ଠକଙ୍କ ଟାର୍ଗେଟରେ ସାଧାରଣ ଲୋକ। ଋଣ ଦେବା ବାହାନାରେ ଠିକି ନେଲେ ୫୦ ହଜାର ଟଙ୍କା। କେବଳ ସେତିକି ନୁହେଁ ବେଆଇନ ରୂପେ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରଞ୍ଜେକସନ ମଧ୍ୟ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଅରପି ଉଠାଇ ନେଇ ପଚରାଉଚରା କରୁଛିା ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାଞ୍ଜେକସନ୍ ହୋଇଥିବା ଅଭିଯୋଗରେ ତଦନ୍ତ ଚାଲିଛି ।
ସୂଚନା ମୁତାବକ, ବିଶ୍ୱଜିତ ଅନଲାଇନରେ କୌଣସି ସଂସ୍ଥାଠୁ ୨ ଲକ୍ଷ ଟଙ୍କା ଋଣ ନେବାକୁ ଆବେଦନ କରିଥିଲେ। କମ୍ପାନୀ ପକ୍ଷରୁ ଏନେଇ ବିଶ୍ୱଜିତଙ୍କୁ ଆକ୍ସିସ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଥିଲା। ଏଥିସହ ୫୦ ହଜାର ଟଙ୍କା ଓ ବ୍ୟାଙ୍କ କାଗଜପତ୍ର, ଆଧାରକାର୍ଡ, ଏଟିଏମ୍ ଓ ପିନ୍ ପଠାଇବାକୁ କୁହାଯାଇଥିଲା। ଏସବୁ ପଠାଇ ସାରିବା ପରେ କିନ୍ତୁ ବିଶ୍ୱଜିତଙ୍କୁ ଆଉ ଋଣ ଟଙ୍କା ମିଳିନଥିଲା। କିଛି ଦିନ ପରେ ବିଶ୍ୱଜିତଙ୍କୁ ତାଙ୍କ ଆଧାର କାର୍ଡ ଓ ବ୍ୟାଙ୍କ କାଗଜପତ୍ର ମଧ୍ୟ କମ୍ପାନୀ ଫେରାଇ ଦେଇଥିଲେ। ହେଲେ ଋଣ ଟଙ୍କା ଆଜି ଆସିବ କାଲି ଆସିବ କହି ସାଇବର ଠକମାନେ ଦୁଇ ମାସ ଗଢ଼ାଇ ଦେଇଥିଲେ। ଅନ୍ୟପକ୍ଷରେ ବିଶ୍ୱଜିତଙ୍କୁ କମ୍ପାନୀ ଫେରାଇଥିବା ଆଧାର କାର୍ଡ ଏବଂ ବ୍ୟାଙ୍କ କାଗଜପତ୍ରଗୁଡିକ ନକଲି ବୋଲି ଜଣାପଡିଛି।
ସେପଟେ ଏହି ଆକାଉଣ୍ଟରେ ରେଳବାଇରେ ଚାକିରି କରାଇବା ନାଁରେ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ୧୩ ଲକ୍ଷ ଟଙ୍କା ଟ୍ରାଞ୍ଜେକସନ୍ ହୋଇଥିବା ଅଭିଯୋଗରେ ବିଶ୍ୱଜିତଙ୍କୁ କୋଲକାତାର ଏକ ପୁଲିସ ଟିମ ଉଠାଇ ନେଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚାଲାଇଛି। ସେପଟେ ମାମଲାକୁ ନେଇ ପୋଲିସ୍ କିମ୍ବା କୋଲକାତା ଜିଆରପିର କୌଣସି ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ବିଶ୍ୱଜିତଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ନ୍ୟାୟ ଦେବା ପାଇଁ ସେ ଗୁହାରି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।