ହାରିବା ଜିତିବା ନୁହେଁ ଲଢ଼େଇ କରିବାର ପ୍ରବୃତ୍ତି ଓ ପ୍ରସ୍ତୁତି ବିନା ସୌଜନ୍ୟମୂଳକ, ପ୍ରତୀକାତ୍ମକ ବା ବନ୍ଧୁତାପୂର୍ଣ୍ଣ ଲଢ଼େଇ ଗଣତନ୍ତ୍ରର ଅସଲ କ୍ଷମତା ଯୁଦ୍ଧରେ କୌଣସି ମାନେ ରଖେନା । ବରଂ ବ୍ୟବସ୍ଥାବିରୋଧୀ ଆଭିମୁଖ୍ୟ ଓ ଗଣତନ୍ତ୍ର ପ୍ରତି ଆସ୍ଥା ଓ ବିଶ୍ୱାସ ରଖୁଥିବା ନିର୍ବୋଧ ଅବା ସରଳବିଶ୍ୱାସୀ ସାଧାରଣ ଜନତାଙ୍କ ଲୋକତାନ୍ତ୍ରିକ ହକ୍ ପ୍ରତି ଏହା ଏକ ପ୍ରତାରଣା ଓ ଚରମ ବିଶ୍ୱାସଘାତକତା। ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସର୍ବକାଳୀନ ରେକର୍ଡ ବିଜୟ ଓଡ଼ିଶା ରାଜନୀତିରେ ବିରୋଧୀ ପକ୍ଷଙ୍କ ରାଜନୀତିକ ବିଶ୍ୱସନୀୟତା ଉପରେ ଗୋଟିଏ ନୁହେଁ, ଅନେକ ସମ୍ୱେଦନଶୀଳ ପ୍ରଶ୍ନଚିହ୍ନ ଲଗାଇଛି।
ବିଜେପିର ଭୋଟ୍, ବିଜେଡି-ବିରୋଧୀ ଭୋଟ୍ ଓ ପ୍ରାର୍ଥୀଙ୍କ ପକେଟ୍ ଭୋଟ୍ ସବୁ କୁଆଡ଼େ ଗଲା? ବିଜେଡି ଯଦି ଟଙ୍କା ବାଣ୍ଟି ମୁଖ୍ୟମନ୍ତ୍ରୀ ପାଇଥିବା ଭୋଟ୍ ତୁଳନାରେ ଦୁଇ ଗୁଣା ଭୋଟ୍ ଭିଡ଼ି ପାରିଲା, ତେବେ ବିଜେପିବାଲା କେଉଁଠି ଓ କାହିଁକି ଶୋଇଥିଲେ? ବିନା ଟଙ୍କାରେ କଅଣ ବିଜେପି ନିର୍ବାଚନ ଲଢୁଛି କି? ନା ନବୀନ ବାବୁଙ୍କ ସହ ‘ମୋଦି-ଶାହ’ଙ୍କ ଗୋପନ ଡିଲ୍ ଯୋଗୁ ରାଜ୍ୟ ପଦ୍ମ ଗାଡ଼ିଆ ପକେଟ୍ ଖୋଲା ଖର୍ଚ୍ଚ କରୁନାହିଁ? ଯଦି ନିଜ ହାରିବାର କୌଶଳ ବତାଇ ଦେଇ ୱାକ୍ଓଭର ଦେବାର ଥିଲା ତେବେ ଟିଭିରେ ଲୋକଦେଖାଣିଆ ଗର୍ଜ୍ଜନ କରି ଲଢ଼ିବାର ତୁଚ୍ଛା ତମାସା କାହିଁକି? ଏହା କଅଣ ଲୋକଙ୍କୁ ଭୁଆଁ ବୁଲାଇବା ନୁହେଁ କି ? ଭୁବନେଶ୍ୱରର ଅପରାଜିତା, ବାଲେଶ୍ୱରର ଷଡ଼ଙ୍ଗୀ ଅବା କଟକର ପ୍ରକାଶଙ୍କ ଜରିଆରେ ଓଡ଼ିଶା ରାଜନୀତିରେ ନିଆରା ଛାପ ଛାଡ଼ିବାକୁ ଉଦ୍ୟମ କରୁଥିବା ‘ବ୍ୟକ୍ତି ତିଆରି ସଂସ୍ଥା’ ସଂଘ ପରିବାର ନିଜ ରାଜନୀତିକ ଗଡ଼ ପଶ୍ଚିମ ଓଡ଼ିଶାରେ କ୍ଷମତା ଯୁଦ୍ଧ ପ୍ରତି ହଠାତ୍ ନିରାସକ୍ତ ହେବା ଶାସକ ଦଳ ପ୍ରତି ଲୁଚାଛପା ପ୍ରେମ ନୁହେଁ କି? ସେହିପରି ନୂଆ ପ୍ରାର୍ଥୀ ଦେବା ଆଳରେ ଦୁର୍ବଳ ପ୍ରାର୍ଥିତ୍ୱ ଜରିଆରେ ଗତ ଥରର ୧୦ ହଜାରରୁ ଖସି ପ୍ରାୟ ୫ ହଜାର ଭୋଟ୍ ପାଇବା କଂଗ୍ରେସର ବେଲଜ୍ଜା ଆଚରଣକୁ ପଦାରେ ପକାଇ ନାହିଁ କି?
ଏତେ ସବୁ ପ୍ରଶ୍ନର ଉତ୍ତର ଖୋଜିଲେ ଏହା ମନକୁ ଆସୁଛି ଯେ ଉପନିର୍ବାଚନରେ ନିଜ ଭୋଟ୍ ବ୍ୟାଙ୍କକୁ ରଖି ନପାରି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ କେବଳ ବିଜେପୁରବାସୀ ନୁହନ୍ତି ବରଂ ସାରା ଓଡ଼ିଶାର ରାଜନୀତିକ ଇତିହାସ ଓ ଚରିତ୍ର ପ୍ରତି ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି। ଉପନିର୍ବାଚନ ପୂର୍ବରୁ ବିଜେଡି ଏଠାରେ ଜିତିବ ବୋଲି ସାଧାରଣରେ ଏକ ବିଶ୍ୱାସ ଥିଲା । ତେବେ ଏଠାରେ ଭୋଟ୍ ବ୍ୟବଧାନର ମାତ୍ରା ବଢ଼ାଇ ଶାସକ ଦଳ ନିଜର କିଛି କୃତକର୍ମ ବା ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଏକ ଗୋପନ ଅଭିଯାନ ଆରମ୍ଭ କରିଥିଲା। ଗତ କିଛି ମାସର କେତେକ ପ୍ରମୁଖ ଘଟଣା ରାଜ୍ୟ ସରକାର ଓ ଶାସକ ଦଳର ‘ଟିମ୍ ମ୍ୟାନେଜ୍ମେଣ୍ଟ’କୁ ଶକ୍ତ ଝଟ୍କା ଦେଇଥିଲା। ସଂସ୍କାର ନାଁରେ ଶ୍ରୀମନ୍ଦିର ଚାରିପଟୁ ମନମୁଖି ଉଚ୍ଛେଦ ଅଭିଯାନକୁ ସୁପ୍ରିମ୍ କୋର୍ଟ ନାପସନ୍ଦ କରି ପ୍ରଥମେ ରାଜ୍ୟ ସରକାରଙ୍କୁ ବ୍ୟାକ୍ଫୁଟ୍ରେ ରହିବାକୁ ବାଧ୍ୟ କରିଥିଲେ। ସେହିଭଳି ପରିଣାମକୁ ଆଖିରେ ନରଖି ଟ୍ରାଫିକ୍ ନିୟମ କଡ଼ାକଡ଼ି ନାଁରେ ସାଧାରଣ ଲୋକଙ୍କଠାରୁ ମାଡ଼ ଖାଇ ଚେତିବା କେବଳ ଦୂରଦୃଷ୍ଟିହୀନ ପ୍ରଶାସନର ବିଫଳତାକୁ ପଦାର ପକାଇଲା ନାହିଁ ବରଂ ଏକ ଖାମଖିଆଲ ସରକାରକୁ ଶକ୍ତ ଚାପୁଡ଼ା ହୋଇଥିଲା । ସେହିପରି ଆଶୀର୍ବାଦଙ୍କୁ ଜେଲ୍ ଠୁଙ୍କି ଓସିଏକୁ ନିୟନ୍ତ୍ରଣ କରିବାର ଚାଲ୍ ଫେଲ୍ ମାରିବା କେବଳ ଶାସକ ଦଳକୁ ବଡ଼ ଝଟ୍କା ନଥିଲା ବରଂ ଓଡ଼ିଶା କ୍ରିକେଟ୍କୁ ଆଶୀର୍ବାଦମୁକ୍ତ କରିବା ପାଇଁ ଗତ ଦୁଇ ଦଶନ୍ଧି ଧରି ପଣ ଖାଇଥିବା ‘ଅଦୃଶ୍ୟ ଶକ୍ତି’ ସହ ଅସାଧୁ ମେଣ୍ଟ କରିଥିବା ବିଜେଡି ନେତାଙ୍କୁ କ୍ରୀଡ଼ା ପ୍ରଶାସନରୁ ଏକଦମ୍ ଟ୍ରାକ୍ ଆଉଟ୍ କରିଦେଲା। ଗତ କେଇ ମାସ ଧରି ଏଭଳି ଅପରିମାଣଦର୍ଶୀ ନିଷ୍ପତ୍ତି ପାଇଁ ଏକପ୍ରକାର ଅପଦସ୍ଥ ହୋଇଥିବା ଶାସକ ଦଳର ରକ୍ଷାତ୍ମକ ମୁଦ୍ରାରୁ ଫାଇଦା ଉଠାଇବା ପାଇଁ ବିଜେପୁରରେ କଂଗ୍ରେସ ନହେଲେ ନାହିଁ ବିଜେପି ଠାରୁ ଏକ ବଡ଼ ଧରଣର ଆଶା ରହିଥିଲା । ବିଶ୍ୱସ୍ତ ସୂତ୍ରର ଖବର ଅନୁଯାଯୀ, ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ବେଳେ ବିଜେଡିର ଯୁବନେତାଙ୍କ ମଧ୍ୟରେ ଗୋଷ୍ଠୀବିବାଦ ଓ ଗୋହି ଖୋଳାଖୋଳି ବେଶ୍ ଉଗ୍ର ଥିଲା ଏବଂ ବିଜେପୁରଲୋକଙ୍କର ମଧ୍ୟ ନିର୍ବାଚନ ପ୍ରତି ଆଦୌ ଉତ୍ସାହ ନଥିଲା। ଏପରି ସ୍ଥଳେ ଶାସକ ଦଳ ନିଜ ଶିବିର ସଜାଡ଼ିବା ପାଇଁ ‘ଦାମ’ ଓ ‘ଅଶୋକ’ ଫର୍ମୁଲା ସହ ସଂଘବଦ୍ଧ ଉଦ୍ୟମ କରିଥିବାବେଳେ ବିରୋଧୀ ପକ୍ଷ ଜାଣିଶୁଣି ନିଜକୁ ନିରସ୍ତ୍ର କରି ଦେଇଥିଲେ। ଉପନିର୍ବାଚନରେ ସର୍ବକାଳୀନ ରେକର୍ଡ ରାଜ୍ୟରେ ବିଜେଡିକୁ ଏବର ପ୍ରଚାରପ୍ରବଣ ରାଜନୀତିରେ ବେଶ୍ ଆଗରେ ରଖିଥିବାବେଳେ ବିରୋଧୀଙ୍କ ବେଲଜ୍ଜା ଚରିତ୍ରକୁ ପଦାରେ ପକାଇଛି ଏବଂ ବିରୋଧୀ ସାଧାରଣ ଲୋକଙ୍କ ଆସ୍ଥା ଅଧିକରୁ ଅଧିକ ହରାଇଛନ୍ତି। ଯଦି ନବୀନଙ୍କ ସ୍ତାବକ ସାଜି କେହି ବିରୋଧୀ ଭବିଷ୍ୟତରେ ରାଜ୍ୟ ଶାସନର ସ୍ୱପ୍ନ ଦେଖୁଥାନ୍ତି, ଆମ ମତରେ ତାହା ଦିବାସ୍ୱପ୍ନ ହେବ ଅବଶ୍ୟ।
ତେବେ ଓଡ଼ିଶାରେ ଏପରି ଗଣତାନ୍ତ୍ରିକ ହତାଶାବୋଧର ଖବର ସତ୍ତ୍ୱେ ଭାରତୀୟ ରାଜନୀତିକ ଇତିହାସ ପାଇଁ ଭିନ୍ନ କିଛି ସମ୍ଭାବନାର ସଙ୍କେତ ଆଣିଛି ହରିଆଣା। ହରିଆଣାରେ ଖଟ୍ଟରଙ୍କ ସଂଖ୍ୟାହ୍ରାସ କଂଗ୍ରେସ ପାଇଁ ଯେତିକି ଉତ୍ସାହଜନକ ‘ମୋଦି-ଶାହ’ଙ୍କ ବିଜେପି ପାଇଁ ତା’ଠାରୁ ଢେର ଅଧିକ ଚେତାବନୀ ଭଳି ହୋଇଛି । ମହାରାଷ୍ଟ୍ରରେ ମଧ୍ୟ ବିଜେପି ନିଜ ଯୋଜନାରେ ସଫଳ ହୋଇନାହିଁ। ଦେଶର ଦୁର୍ବଳ ଅର୍ଥନୀତିକ ଅବସ୍ଥା ଏବଂ ଆଗକୁ ଅଯୋଧ୍ୟା ମାମଲାର ରାୟ ଆସିବାକୁ ଥିବାବେଳେ ଏହା ‘ମୋଦି-ଶାହ’ଙ୍କ ବିଜେପି ଓ ସେମାନଙ୍କ ଅସଲ ଶକ୍ତି ସଂଘ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇଛି।