ଜୋର ଧରିଲା ଅରୁଣଙ୍କ ଇସ୍ତଫା ଦାବି, ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ଗର୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ଆଜି ଉଭୟ ବିଧାନସଭା ଭିତରେ ଓ ବାହାରେ ଗର୍ଜନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଗୃହ ଭିତରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ଦଳର କର୍ମୀ। ପରୀ ହତ୍ୟା ଘଟଣାକୁ ନେଇ ଗୃହରେ ଗତକାଲି ମନ୍ତ୍ରୀ ଅରୁଣ ସାହୁ ବିବୃତ୍ତି ଦେଇଥିଲେ। ଏହାସତ୍ତ୍ୱେ ବିରୋଧୀ […]

assembly-2

Niharika Rout
  • Published: Friday, 27 November 2020
  • , Updated: 27 November 2020, 12:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ଆଜି ଉଭୟ ବିଧାନସଭା ଭିତରେ ଓ ବାହାରେ ଗର୍ଜନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଗୃହ ଭିତରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ଦଳର କର୍ମୀ।

ପରୀ ହତ୍ୟା ଘଟଣାକୁ ନେଇ ଗୃହରେ ଗତକାଲି ମନ୍ତ୍ରୀ ଅରୁଣ ସାହୁ ବିବୃତ୍ତି ଦେଇଥିଲେ। ଏହାସତ୍ତ୍ୱେ ବିରୋଧୀ ନରମି ନାହାନ୍ତି। ସେମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ଆଉ ଏହାର ପ୍ରଭାବ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ  ବିରୋଧୀ ଦଳ ବିଧାୟକମାନେ ଏହାର ମଧ୍ୟଭାଗକୁ ଆସି ପୋଷ୍ଟର ଓ ବ୍ୟାନର ଦେଖାଇବା ସହ  ନାରାବାଜି କରିଥିଲେ। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲି ପାରି ନ ଥିଲା।  ତେଣୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ପରେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ  ଘଟଣାର SIT ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହି ଘୋଷଣା କରିଥିଲେ। ତେବେ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା ଏବଂ ସେମାନେ ହୋହଲ୍ଲା କରିଥିଲେ।  

ସୂଚନାଯୋଗ୍ୟ,  ପରୀ ହତ୍ୟା ମାମଲାରେ ମନ୍ତ୍ରୀ ସାହୁଙ୍କ ଇସ୍ତଫା ଦାବି ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ଦାବି କରିଥିଲେ ବିରୋଧୀ।  

ଅନ୍ୟପକ୍ଷରେ ପରୀକୁ ନ୍ୟାୟ ଓ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଥିଲେ। ସେମାନଙ୍କୁ ବାଟରେ ପୁଲିସ୍ ଅଟକାଇଥିଲା।

ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ରାଲି କରାଯାଇଛି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଲୋୟର ପିଏମଜିରେ ଯୁବ କଂଗ୍ରେସ କର୍ମୀ ରାଲି କରି ବ୍ୟାରିକେଡ୍ ଭାଙ୍ଗି ଅାଗକୁ ବଢ଼ିଲା ବେଳେ ଗିରଫ ହୋଇଥିଲେ। ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଗିରଫ କରିଛି।

 

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ତଦନ୍ତରେ ଶିଥିଳତା ଅଭିଯୋଗ ଆଣି ତାଙ୍କ ବାପା-ମା’ ଗତ ମଙ୍ଗଳବାର ବିଧାନସଭାର ସୁରକ୍ଷା ବଳୟ ଡେଇଁ ଦେହରେ ଡିଜେଲ୍‌ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଥିବା ନେଇ ତାଙ୍କ ବାପାମା’ ସଙ୍ଗିନ ଅଭିଯୋଗ ଆଣିଥିଲେ।

ଏହାପରେ ବିରୋଧୀଙ୍କ ଚାପ ପରେ ଗତ ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତି ରଖି  ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ । କିନ୍ତୁ ଏଥିରେ ସନ୍ତୁଷ୍ଟ ନ ଥିବା ବିରୋଧୀ ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତି ଦାବି କରିଥିଲେ।

ଏହାପରେ ଗତକାଲି ଗୃହରେ ମନ୍ତ୍ରୀ ଅରୁଣ ସାହୁ ବିବୃତି ରଖି ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି ବୋଲି କହିଥିଲେ । ସେ କହିଥିଲେ, ''ମୁଁ ଗଭୀର ମର୍ମାହତ, ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ। କ୍ରାଇମବ୍ରାଞ୍ଚ ତଦନ୍ତରେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି। ଏଥିରେ ଯିଏ ବି ଜଡ଼ିତ ଥାଆନ୍ତୁ, ଦଣ୍ଡିତ ହେବା ଦରକାର। ଘଟଣାକୁ ରାଜନୀତିକରଣ ନକରାଯାଉ। ପରୀ ନ୍ୟାୟ ପାଉ। ସତ୍ୟ ଉନ୍ମୋଚନ ହେଉ।''

Related story