କଟକ(ଓଡ଼ିଶା ରିପୋର୍ଟର): କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଅର୍ଥାତ ଯିଏ ଆସେ ସେ ଚାଲିଯାଏ। ହେଲେ ଏ ଦୁନିଆରେ ଏମିତି କିଛି ମଣିଷ ଅଛନ୍ତି, ତାଙ୍କର ମହାନ କର୍ମ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକିତ କରିଛନ୍ତି। ଆଉ ତାଙ୍କରି ପାଇଁ ଅନ୍ୟ ଜଣେ ଦୁନିଆ ଦେଖିଛି। ଏମିତି ଏକ ମହତ କାମ କରିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ହଠାତ୍ ପରିବାରର ଗୋଟିଏ ନିଷ୍ପତ୍ତି ଆଉ ଜଣଙ୍କ ଜୀବନ ବଞ୍ଚାଇ ଦେଇଛି।
ଗତକାଲି ରାତିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇ ପ୍ରାଣ ହରାଇଥିଲେ ପ୍ରିୟଙ୍କା। ଝିଅର ମୃତ୍ୟୁ ସୂଚନା ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଆଉ ପରିବାରଲୋକଙ୍କ ନିଷ୍ପତ୍ତି ବଞ୍ଚାଇ ଦେଇଥିଲା ଆଉ ଏକ ଜୀବନ। ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଘୋଷଣା କରିଥିଲେ ପରିବାର ଲୋକେ।
ଏନେଇ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲା ଏହାପରେ SCB ମେଡିକାଲରେ ହୋଇଥିଲା ଏକ ବିରଳ ଅସ୍ତ୍ରୋପ୍ରଚାର। ପ୍ରିୟଙ୍କାଙ୍କ ଅଙ୍ଗକୁ ଗ୍ରୀନ କରିଡରରେ ଭୁବନେଶ୍ୱରରୁ କଟକର ଏସ୍ସିବିକୁ ନିଆଯାଇଥିଲା। ସେଠାରେ ବିଶେଷଜ୍ଞ ଟିମ୍ କିଡନୀ ହରାଇ ଚିକିତ୍ସିତ ହେଉଥିବା ବରଗଡ଼ର ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା।
ସେହିଭଳି କିଛି ମାସ ତଳେ ସୁରତରେ ରହୁଥିବା ଓଡ଼ିଆ ପୁଅ ସୁରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ଦାନ କରାଯାଇଥିଲା। ସୂରତରେ ଏକ କପଡ଼ା କାରଖାନାରେ କାମ କରୁଥିଲେ ସେ। ଗତ ଅକ୍ଟୋବର ୨୯ରେ ଏକ ଦୁର୍ଘଟଣାର ଶିକାର ହେବା ପରେ ବ୍ରେନଡେଡ୍ ଅବସ୍ଥାକୁ ଚାଲିଯାଇ ଥିଲେ। ଯେତେଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା। ଏହାପରେ ସୁରଜଙ୍କ ସକ୍ରିୟ ଥିବା ହୃତପିଣ୍ଡ ସହ ଆଖି, କିଡ୍ନୀ ଏବଂ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗକୁ ଅନ୍ୟଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା। ସେହିଭଳି ବ୍ରହ୍ମପୁରର ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାବଲ୍ଲଭ ପଟ୍ଟନାୟକ ମୃତ୍ୟୁ ପରେ ଶରୀରକୁ ଏମ୍କେସିଜି ମେଡିକାଲ୍ କଲେଜକୁ ଦାନ କରିଥିଲେ।