ବେଦାନ୍ତ ବିଶ୍ୱବିଦ୍ୟାଳୟ ସଭାପତି ପଦରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା: କହିଲେ କମ୍ପାନୀର ଆନ୍ତରିକତା ନାହିଁ

ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ସଭାପତି ଦାୟିତ୍ୱରୁ ଇସ୍ତଫା ଦେଲେ ବିଜୟ କୁମାର ପଟ୍ଟନାୟକ।  ମୁଖ୍ୟଶାସନ ସଚିବ ପଦରୁ ଅବସରଗ୍ରହଣ କରିବା ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ।  ୨ ବର୍ଷ ଧରି କାର୍ଯ୍ୟ କରିବା ପରେ ହଠାତ୍ ସେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତର ସେତେଟା ଆନ୍ତରିକତା ନ ଥିବା ଦର୍ଶାଇ ପଦ ଛାଡ଼ିଛନ୍ତି ବିଜୟ।  ଏହି ଘଟଣାରୁ ବେଦାନ୍ତ ୟୁନିଭର୍ସିଟିର ଭାଗ୍ୟ ନେଇ ଯେତିକି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ସେତିକି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ବିଜୟ କହିଛନ୍ତି ଯେ, ଓଡିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସେତେଟା ଆନ୍ତରିକତା ଦେଖାଉନାହିଁ କମ୍ପାନୀ।  କମ୍ପାନୀର ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଛି।  ତେବେ ଭଡ଼ା ଘରେ ବା ଅନ୍ୟତ୍ର ବିଶ୍ୱବିଦ୍ୟାଳୟର ପାଠପଢ଼ା ଆରମ୍ଭ କରାଯାଇ ପାରିଥାଆନ୍ତା । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସେଭଳି ପଦକ୍ଷେପ ନେଉ ନାହାନ୍ତି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନ ହେବା ଦ୍ୱାରା କେବଳ ବେଦାନ୍ତ କମ୍ପାନୀ ନୁହେଁ, ବରଂ ଓଡ଼ିଶା ଓ ଭାରତ ଅନ୍ତର୍ଜାତୀୟ ସ୍ତରରେ ବଦନାମ୍ ହେବ ବୋଲି ବିଜୟ ଆଶଙ୍କା କରିଛନ୍ତି।

୧୯୭୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଭାବେ ଜଣାଶୁଣା ଥିଲେ।  ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସପାଲ୍ ସେକ୍ରେଟାରୀ ଏବଂ ୨୦୧୦ରୁ ୧୩ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଥିଲେ। ଚାକିରିରୁ ଅବସର ନେବା ପରେ ତାଙ୍କୁ ଓଡିଶା ଷ୍ଟାଫ୍ ସିଲେକସନ୍ କମିଶନ୍ ଏବଂ ଓଡିଶା ମାନବାଧିକାର କମିଶନରେ ମଧ୍ୟ ନିଯୁକ୍ତି ଦେଇଥିଲେ ସରକାର।  ତେବେ ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇ ୨୦୧୫ ଏପ୍ରିଲ ୨୯ରେ ସେ ବେଦାନ୍ତର ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ଭାଦେ ଦାୟିତ୍ୱ ନେଇଥିଲେ। ବିଜୟଙ୍କ ଇସ୍ତଫା ପରେ ଓଡିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ସେପଟେ ବିଜୟଙ୍କୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ।

ବେଦାନ୍ତରୁ ଇସ୍ତଫା ପରେ ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ଆଗକୁ କୌଣସି ସଂସ୍ଥା ବା ରାଜନୀତିରେ ସାମିଲ ହେବାକୁ ଯୋଜନା ରଖିଛନ୍ତି କି? ପୂର୍ବଭଳି ସରକାର ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ କରିବେ କି? ତେବେ ରାଜନୀତିରେ ଯୋଗ ଦେବା ଚର୍ଚ୍ଚାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି ବିଜୟ ।

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ୬ ହଜାର ୮୯୨ ଏକର ଜମିରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ୨୦୦୬  ଜୁଲାଇ ମାସରେ ଓଡିଶା ସରକାରଙ୍କ ସହ MOU କରିଥିଲା ବେଦାନ୍ତ।  ଏଥିପାଇଁ ୪ ହଜାର ୫୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା ତେବେ ସ୍ଥାନୀୟ ବାସିନ୍ଦା ଜମି ଅଧିଗ୍ରହଣକୁ ବିରୋଧ କରିଥିଲା।  ୨୦୧୦ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ବୋଲି ଦର୍ଶାଇଥିଲେ ହାଇକୋର୍ଟ।   ବେଦାନ୍ତ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ପରେ ସର୍ବୋଚ୍ଚ ଅଦାଲତ ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।