ହରଡ଼ଘଣାରେ ବିଜେଡି: କଣ୍ଟା ହୋଇଛନ୍ତି ସୁଶାନ୍ତ, 'ଉପକୂଳ ବୋହୂ'ଙ୍କୁ ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାର  ୩୬ ଘଣ୍ଟା ପରେ ବି ବିଜେଡି ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନି । ଚାଷୀଙ୍କ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଚାଲିଥିବା ଜନ ଆନ୍ଦୋଳନ ଏବଂ ସ୍ଥାନୀୟ ସାମାଜିକ କାରଣକୁ ନେଇ ଦଳର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରକୁ ବିରୋଧ ମଧ୍ୟରେ ବିଜେଡି ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂ ଏବେ କଣ୍ଟା ପାଲଟିଛନ୍ତି […]

jhia

Ordigital Desk
  • Published: Sunday, 13 November 2022
  • , Updated: 13 November 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାର  ୩୬ ଘଣ୍ଟା ପରେ ବି ବିଜେଡି ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନି । ଚାଷୀଙ୍କ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଚାଲିଥିବା ଜନ ଆନ୍ଦୋଳନ ଏବଂ ସ୍ଥାନୀୟ ସାମାଜିକ କାରଣକୁ ନେଇ ଦଳର ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରକୁ ବିରୋଧ ମଧ୍ୟରେ ବିଜେଡି ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂ ଏବେ କଣ୍ଟା ପାଲଟିଛନ୍ତି । ଜାତିଗତ କାରଣରୁ ସ୍ୱର୍ଗତ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କ ପ୍ରାର୍ଥୀତ୍ୱକୁ ନେଇ ଜୋରଦାର ବିରୋଧ ପରେ ସୁଶାନ୍ତଙ୍କ ଚାପରେ ବିଜେଡି ଏବେ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଯୋଜନା କରିଛି ।  ଗତ ଜୁନ୍ ମାସରେ ବର୍ଷା ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁଅଙ୍କୁ ବିବାହ କରିଥିବାରୁ ପୂର୍ବରୁ ଏହି ବିବାହକୁ ବିରୋଧ କରିଥିବା ‘ବିଂଝାର’ ସମାଜ ସମେତ ସମଗ୍ର ପଦ୍ମପୁରରେ ‘ଉପକୂଳିଆ ବୋହୂ’ଙ୍କୁ ଭୋଟ୍ ନାହିଁ କହି ପ୍ରତ୍ୟାଖ୍ୟାନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଯାହାକି ବିଜେଡିକୁ ଏବେ ହରଡ଼ଘଣାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡି ଏବେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ହରଡ଼ଘଣାରେ ପଡ଼ିଛି । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ପୂର୍ବରୁ ବରଗଡ଼ ସମେତ ପଶ୍ଚିମଓଡ଼ିଶା ବିଜେଡି ରାଜନୀତିରେ ମାତ୍ରାଧିକ ଗୁରୁତ୍ୱ ଦେବାର ପରିଣାମ ଏବେ ଦଳକୁ ଭୋଗିବାକୁ ପଡ଼ୁଥିବା ଜଣାପଡ଼ିଛି । ବିଶେଷକରି ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୫୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ସହ ଅଢ଼େଇ ହଜାର ଶ୍ରମିକ କାର୍ଡ ବଂଟନ କରି ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ପ୍ରୟାସ କରିଥିବାବେଳେ ସ୍ଥାନୀୟ ଚାଷୀ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବି ପ୍ରସଙ୍ଗ ଉପନିର୍ବାଚନ ପ୍ରକ୍ରିୟାବେଳେ ଶାନ୍ତ ହୋଇଯିବ ବୋଲି ବିଜେଡି ନେତୃତ୍ୱ ଆଶାବାଦୀ ଥିଲେ । ସୁଶାନ୍ତଙ୍କ ନେତୃତ୍ୱରେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନକୁ ପ୍ରଶମିତ କରିବାକୁ ସବୁପ୍ରକାରର ବିକଳ୍ପ ଖୋଲା ରଖିଥିଲେ । କିନ୍ତୁ ଜିଲ୍ଲାର ନେତାମାନଙ୍କ ସହ ଯୋଗସୂତ୍ର ନରଖି ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ ଭାବେ ମନମୁଖୀ ନିଷ୍ପତ୍ତି ନେଉଥିବା ସୁଶାନ୍ତଙ୍କ ଯୋଗୁ ଶାସକ ବିଜେଡି ଏବେ ପଦ୍ମପୁରରେ ବ୍ୟାକଫୁଟରେ ।

ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିକୁ ବିଜେଡିର ନୈତିକ ସମର୍ଥନ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ବିଜେଡି ସୁପ୍ରିମୋଙ୍କୁ ଭେଟିବା ସତ୍ତ୍ୱେ ଏହି ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିପାରିନି । ଆଜି ବି ଏହି ଆନ୍ଦୋଳନ ଜାରି ରହିଛି। ସେହିପରି ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବାକୁ ୩୦ରୁ ଅଧିକ ଚାଷୀ ନେତାଙ୍କୁ ଆଣି ବିଜେଡି ସୁପ୍ରିମୋଙ୍କୁ ଭେଟାଇବା ମଧ୍ୟ ଫଳପ୍ରଦ ହୋଇପାରିନି । ଏପରିକି ଆଗୁଆ ଧାନକିଣା ପାଇଁ ସରକାରୀ ଘୋଷଣାର ପ୍ରଭାବ ମଧ୍ୟ ଚାଷୀଙ୍କୁ ମନାଇବାରେ ସକ୍ଷମ ହୋଇନି । ଚାଷୀମାନେ ବୀମା ରାଶି ଓ ଇନପୁଟ ସବସିଡି ଦାବିରେ ଅଟଳ ରହି ଏଥିପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି । ଆଉ ଏହି ଦୁଇଟି ଜ୍ୱଳନ୍ତ ପ୍ରସଙ୍ଗର ସମାଧାନ ସୁଶାନ୍ତଙ୍କ ମାଧ୍ୟମରେ ହୋଇଯିବ ବୋଲି ବିଜେଡି ନେତୃତ୍ୱ ଆଶା ରଖିଥିଲେ । ମାତ୍ର ଏହି ଦୁଇ ପ୍ରସଙ୍ଗ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ଯାହାକି ସୁଶାନ୍ତଙ୍କ ପାରିବାପଣିଆକୁ ପଦାରେ ପକାଇ ଦେଇଛି।

ସେହିପରି ବିଂଝାର ସମାଜର କିଛି ପ୍ରତିନିଧିଙ୍କୁ ଆଣି ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରାଇ ବରିହା ପରିବାରରୁ ଜଣଙ୍କୁ ଦଳୀୟ ପ୍ରାର୍ଥୀ କରିବା ନିମନ୍ତେ ପ୍ରାୟୋଜିତ କାର୍ଯ୍ୟକ୍ରମର ପ୍ରଭାବ ତୃଣମୂଳସ୍ତରରେ ଅନୁଭୂତ ହୋଇନି । ଓଲଟା ଦିଂବଗତ ବିଧାୟକ ବରିହା ନିଜର ଝିଅ ବର୍ଷାଙ୍କୁ ଗତ ଜୁନ୍ ମାସରେ ନିଜ ଜାତି ‘ବିଂଝାର’ ସମାଜ ବାହାରେ ବିବାହ କରାଇଥିବାରୁ  ସେତେବେଳେ ବିଂଝାର ସମାଜର ନେତାମାନେ ଏହି ବିବାହକୁ ବିରୋଧ କରିଥିଲେ । ଏପରିକି ଦିବଂଗତ ବରିହାଙ୍କ ଦଶାହ ଆଦି କାର୍ଯ୍ୟରେ ମଧ୍ୟ କେତେକ ବିଂଝାର ନେତାଙ୍କୁ ଦେଖିବାକୁ ମିଳିନଥିଲା । ଆଉ ବରିହାଙ୍କ ପତ୍ନୀ ‘ଶବର’ ସମାଜର ତିଳୋତ୍ତମାଙ୍କୁ ନେଇ ଦୀର୍ଘବର୍ଷ ଧରି ବିଂଝାର ସମାଜ ଅସନ୍ତୁଷ୍ଟ ଥିଲା । ତିଳୋତ୍ତମାଙ୍କୁ ବିରୋଧ ପରେ ସୁଶାନ୍ତ ସିଂଙ୍କ ଚାପରେ ବିଜେଡି ନେତୃତ୍ୱ ସ୍ୱର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା ଦଳୀୟ ମହଲରୁ ଜଣାପଡ଼ିଛି।

ମାତ୍ର ସୁଶାନ୍ତଙ୍କ ଏଭଳି ଏକପାଖିଆ ଜିଦ୍ ଆଗରେ ବିଜେଡି ନେତୃତ୍ୱ ମୁଣ୍ଡ ନୁଆଁଇବାକୁ ପଦ୍ମପୁରର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାଂଶ ନେତା ଏବଂ ବିଶେଷକରି ବରଗଡ଼ ଜିଲ୍ଲାର ନେତାମାନେ ସହଜରେ ହଜମ କରିପାରିନାହାନ୍ତି । ଗ୍ରାଉଣ୍ଡରେ ବରିହା ପରିବାର ପ୍ରତି ରହିଥିବା ରୋଷ ସମ୍ପର୍କରେ ସେମାନେ ମୁହଁ ଖୋଲିଥିଲେ ମଧ୍ୟ ଦଳ ଏବେ ସୁଶାନ୍ତଙ୍କ କଥାରେ ଟିକେଟ୍ ଚୂଡ଼ାନ୍ତ କରୁଥିବାରୁ ଏଠାରେ ବି ଆଉ ଏକ ଧାମନଗର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କଲେଣି । ଯଦିଓ କାର୍ଯ୍ୟାନୁଷ୍ଠାନ ଭୟରେ ବିଜେଡି ନେତାମାନେ ଚୁପ୍ ରହୁଛନ୍ତି ତଥାପି ଦଳୀୟ ନେତୃତ୍ୱଙ୍କ ଏଭଳି ନିଷ୍ପତ୍ତି ବିଜେଡିକୁ ନିର୍ବାଚନ ଲଢ଼ିବା ପୂର୍ବରୁ ପରାଜୟ ଆଡ଼କୁ ନେଇଯାଉଥିବା ମତ ପ୍ରକାଶ ପାଇଛି । ସେମାନଙ୍କ ମତରେ-

୧- ପଶ୍ଚିମଓଡ଼ିଶାର ସାଧାରଣ ଲୋକମାନେ ସହଜରେ ‘ଉପକୂଳ’ର ବୋହୂ ବର୍ଷା(ଦିବଂଗତ ବରିହାଙ୍କ ଝିଅ)ଙ୍କୁ ଗ୍ରହଣ କରିବେ ନାହିଁ।

୨- ଅନ୍ୟ ଜାତିରେ ବିବାହ ଯୋଗୁ ବିରୋଧ କରିଥିବା ତାଙ୍କ ନିଜ ସମାଜ ‘ବିଂଝାର’ ବି ନିଜର ବିରୋଧ ଜାରି ରଖିବାର ଆଶଙ୍କା ବେଶୀ । ଯଦିଓ ବିଜେଡି ତାଳିପକା ଉଦ୍ୟମ କରିଛି।

୩- ଚାଷୀ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଜନ ଆନ୍ଦୋଳନକୁ ଏପର୍ଯ୍ୟନ୍ତ ପ୍ରଶମିତ ନକରି କାହିଁକି ଏହାକୁ ଦୀର୍ଘଦିନ ଧରି ବଳବତ୍ତର ରଖିବାକୁ ବିଜେଡି ଦେଲା, ତା’ର ପ୍ରଭାବ ବି ତୃଣମୂଳସ୍ତରରେ ଅନୁଭୂତ ହେଲାଣି।

୪- ଜିଲ୍ଲାର ଏହି ଦୁଇ ପ୍ରମୁଖ ସମସ୍ୟାକୁ ସମାଧାନ ପାଇଁ ନିର୍ବାଚନ ଘୋଷଣା ପୂର୍ବରୁ ଉଦ୍ୟମ କରିନଥିବା ତଥା ବିଜେଡି ସଂଗଠନରେ ବିଶୃଙ୍ଖଳାର ମୁଖ୍ୟ କାରଣ ସୁଶାନ୍ତ ସିଂ ହୋଇଥିଲେ ମଧ୍ୟ ବିଜେଡି ନେତୃତ୍ୱ ତାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳକୁ ନେଇ ଆକ୍ରୋଶ ବଢ଼ିବାରେ ଲାଗିଛି।

୫- ଜାତିଆଣ ସମସ୍ୟା ଯୋଗୁ ତିଳୋତ୍ତମା କିମ୍ବା ବର୍ଷାଙ୍କୁ ପ୍ରାର୍ଥୀ କଲେ ଦଳ ପାଇଁ ତାହା ବୁମେରାଂ ହେବ । ଏପରିକି ବରିହାଙ୍କ ପୁତୁରା ବୋହୂଙ୍କୁ ବି ପ୍ରାର୍ଥୀ କଲେ ସୁପ୍ତ ଥିବା ପାଇକମାଳ ମହିଳା ଦୁଷ୍କର୍ମ ମାମଲା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ।

୬- ବିଜେଡି ନିଜର ଭୋଟବ୍ୟାଙ୍କ ଭାବୁଥିବା ମହିଳା ଏସଏଚଜି ବି ଦଳ ସପକ୍ଷରେ ରହିବାର ଆଶଙ୍କା କମ୍ । କାରଣ ପଦ୍ମପୁରର ୯୦ ପ୍ରତିଶତ ପରିବାର ଚାଷୀ ହୋଇଥିବାବେଳେ ୨୦୨୧ ମସିହାର ମରୁଡ଼ିଜନିତ ଇନପୁଟ୍ ସବସିଡି ଓ ବୀମା ଟଙ୍କା ଦେବାରେ ରାଜ୍ୟ ସରକାରଙ୍କ ଉଦାସୀନତା ଏବେ ପ୍ରଚାର ଦାୟିତ୍ୱରେ ଥିବା ବିଜେଡି ନେତାମାନଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇଛି।

୭- ଜିଲ୍ଲା ବିଜେଡିର ନେତା ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାଂଶ ନେତା -ମନ୍ତ୍ରୀ ଏବେ ପଦ୍ମପୁରରେ ଦଳ ବିରୁଦ୍ଧରେ ବଢ଼ୁଥିବା ଆକ୍ରୋଶ ପାଇଁ ସୁଶାନ୍ତ ସିଂଙ୍କୁ ଦାୟୀ କରୁଛନ୍ତି।

୮- ନିଜର ଦୁଇଜଣ ଖାସ୍ ଅନୁଗତ ଠିକାଦାର(ଦୁଇଭାଇ)ଙ୍କ ମାଧ୍ୟମରେ ପଦ୍ମପୁରରେ ବିଭିନ୍ନ ଠିକାଦାରୀ କାର୍ଯ୍ୟରେ ରୁଚି ରଖିଥିବା ସୁଶାନ୍ତ ୨୦୨୪ ସାଧାରଣ ନିର୍ବାଚନରେ ଭଟଲି ପରିବର୍ତ୍ତେ ପଦ୍ମପୁରରୁ ଲଢ଼ିବାକୁ ଚାହୁଁଥିବାରୁ ଏବେ ଜଣେ ଦୁର୍ବଳ ପ୍ରାର୍ଥୀଙ୍କୁ ଆସନ୍ତା ୧୭ ପାଇଁ ଦେବାକୁ ଚାପ ପଡ଼ୁଥିବା ବିଜେଡି ମହଲରେ ଚର୍ଚ୍ଚା।

୯- ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁଶାନ୍ତଙ୍କର ଏଭଳି ବିଶୃଙ୍ଖଳା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଗୁଇନ୍ଦା ରିପୋର୍ଟ ଦେଇଥିଲେ ମଧ୍ୟ ବିଜେଡି ନେତୃତ୍ୱ ତାଙ୍କୁ କୋଳରେ ବସାଇ ରଖିଛନ୍ତି । ଯାହାର ପରିଣାମ ଦଳକୁ ପଦ୍ମପୁର ଉପନିର୍ବାଚନରେ ଭୋଗିବାକୁ ପଡ଼ିବାର ଆଶଙ୍କା ବେଶୀ ରହିଛି।

ତେଣୁ ଏସବୁ କାରଣରୁ ବିଜେଡି ସେଠାରେ ସୁଶାନ୍ତଙ୍କୁ ମାତ୍ରାଧିକ କ୍ଷମତାଶାଳୀ କରାଇ ଏବେ ନିଜ ପାଇଁ ମୁଣ୍ଡବ୍ୟଥା ବଢ଼ାଇଛି । ସୁଶାନ୍ତ ରୂପକ କଂଟାକୁ ଢ଼ୋକିବାକୁ କି କାଢ଼ିବାକୁ ସାହାସ କରିପାରୁନଥିବା ବିଜେଡି ନେତୃତ୍ୱ ତାଙ୍କ ଚାପରେ ପଦ୍ମପୁରରେ ଏତେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବରିହା ପରିବାରର ସଦସ୍ୟଙ୍କୁ ଟିକେଟ୍ ଦେଉଛନ୍ତି ନା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରି ସମ୍ମାନ ରକ୍ଷା କରିବେ, ତାହା ଉପରେ ସମସ୍ତଙ୍କ ନଜର।

ସୂଚନାଯୋଗ୍ୟ, ଡିସେମ୍ବର ୫ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ଓ ନଭେମ୍ବର ୧୭ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି।

Related story