ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ଏବେ ଯେଉଁ ଝଡ଼ ବହୁଛି ତାହା ରାଜନୈତିକ କମ୍ ପ୍ରଶାସନିକ ବେଶୀ। ଏକାଧିକ ନେତା ଜଣେ ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନେତାମାନେ ପୁଣି ଶାସକ ଦଳର। ମାନେ କଥାଟା ଏମିତି, ଭାଇମାନେ ମିଶି, ‘ବାପାଙ୍କ ସହଯୋଗୀ’ଙ୍କ ବିରୋଧରେ ଅଭିଯୋଗଟି ଆଣିଛନ୍ତି। ବାପା କିନ୍ତୁ ଶୁଣୁ ନାହାଁନ୍ତି। କିମ୍ବା ଶୁଣିକି ଚୁପ୍ ରହୁଛନ୍ତି। ବାସ୍ତବରେ ନବୀନ ବାବୁ ଏମିତି ଜଣେ ବ୍ୟକ୍ତି, ତାଙ୍କୁ ଦେଖିଲେ, କେହି ହଠାତ୍ କହିପାରିବ ନାହିଁ ଯେ, ସେ ଖୁସି ଅଛନ୍ତି ନା ଦୁଃଖୀ କିମ୍ବା ବିବ୍ରତ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ, ଭି.କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ବିରୋଧରେ ଯେତେବେଳେ ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ରମାରଂଜନ ବଳିଆରସିଂହ ଏବଂ ବଙ୍କେଇ ତେଢ଼େଇ ଦାମୋଦର ରାଉତ କିଛି ସମାଲୋଚନା ମୂଳକ ଅସଲ କଥା କହିଲେ, ସେତେବେଳେ କିଛି ସଚେତନ ବ୍ୟକ୍ତି ଓ ରାଜନୈତିକ ସମୀକ୍ଷକ ମତ ଦେଲେ ଯେ, ଏମାନଙ୍କର ସିଧାସଳଖ ନବୀନ ବାବୁଙ୍କ ସହ ଲଢ଼ିବାକୁ ଦମ୍ ନାହିଁ। ତେଣୁ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରୁଛନ୍ତି। ବାସ୍ତବ କଥାଟି ଆମକୁ ଜଣାନାହିଁ। କିନ୍ତୁ ଏ ନେଇ ଗୋଟେ ଅଲଗା ମତ ଅଛି।
ମହାଭାରତ ଓ ରାମାୟଣ ଯୁଗରେ ଯେଉଁ ଯୁଦ୍ଧ ହେଉଥିଲା ତାହା ସମ୍ମୁଖ ଯୁଦ୍ଧ ଥିଲା। ସେ ଯୁଦ୍ଧରେ ନିୟମ ଥିଲା। ପାକିସ୍ତାନୀ ସୈନ୍ୟଙ୍କ ପରି କେହି ଯୁଦ୍ଧର ନିୟମ ଉଲ୍ଲଂଘନ କରୁନଥିଲେ। କିନ୍ତୁ ଏବେ ଗଣତନ୍ତ୍ରରେ ଯୁଦ୍ଧର ନୂଆ ନୂଆ କୌଶଳ ଆସିଲାଣି। ଏବେ ‘ଜିତିବା’ ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ‘ଉପାୟ’ଟି ଯାହା ହେଉ ବରଂ। ଅଭିଯୋଗ ହେଲା, ବିଜେଡି ନେତାମାନେ ସିଧାସଳଖ କାହିଁକି ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା ନକରି ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ବିରୋଧରେ ବିଷୋଦ୍ଗାର କରୁଛନ୍ତି? ଆମ ପାଖରେ ଯୁଦ୍ଧର ଏକ ସହଜ କୌଶଳ ଅଛି। ସେନାପତିଙ୍କୁ ଯଦି ଅଶ୍ୱଚ୍ୟୁତ କରିବାର ଅଛି, ତେବେ ସେନାପତିଙ୍କୁ ଆକ୍ରମଣ ନକରି ଘୋଡ଼ାର ଲାଙ୍ଗୁଡ଼ ମୋଡ଼ିଦିଅ। ସେନାପତି ଆପେ ଗଳି ପଡ଼ିବେ।
ଛାଡ଼ନ୍ତୁ ସେ କଥା। ନିକଟରେ ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଶା ରିପୋର୍ଟର’ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ବାବୁଙ୍କ ସଂପର୍କରେ କେତୋଟି ରିପୋର୍ଟ ପ୍ରସାରଣ କରିଥିଲା। ସାମଗ୍ରିକ ଭାବରେ ଆମେ ଏତିକି ପଚାରିବାକୁ ଚାହିଁଥିଲୁ, ଆପଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ତାଙ୍କ ସରକାରୀ କାମକୁ କଣ୍ଟ୍ରୋଲ୍ କରିବା ସହିତ, ବିଜୁ ଜନତା ଦଳର କାମ ବି କେମିତି କରୁଛନ୍ତି? ସର୍ଭିସ୍ ରୁଲ୍ର ଆଳ ଦେଖାଇ ଆପଣ କ୍ୟାମେରା ଆଗରେ ନିଜର ପ୍ରତିକ୍ରିୟା ଦେବାକୁ ଉଚିତ ମନେକଲେ ନାହିଁ। କିନ୍ତୁ ବିଜେଡି କାମ କେମିତି କରୁଛନ୍ତି? ଏ କଥା କ’ଣ ସର୍ଭିସ୍ ରୁଲ୍ ଭିତରେ ଅଛି? କିନ୍ତୁ ଆମର ଏ ପ୍ରଶ୍ନ ପଚାରିବା ଓଡ଼ିଶାର ସାମ୍ବାଦିକ ଭାଇମାନଙ୍କ ପାଇଁ ଏମିତି ମହଙ୍ଗା ପଡ଼ିବ ବୋଲି ଆମେ ଚିନ୍ତା କରିନଥିଲୁ। ଆଜି (୧୬ ଜାନୁଆରି ୨୦୧୮ ମଙ୍ଗଳବାର) ହଠାତ୍ ସାମ୍ବାଦିକମାନଙ୍କ ସଚିବାଳୟ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର।
ସବୁଦିନ ପରି ସକାଳେ ସାମ୍ବାଦିକ ବନ୍ଧୁମାନେ ସଚିବାଳୟରେ ପ୍ରବେଶ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକା ଯାଇଥିଲା ଓ କଡ଼ା ଚେକିଂ କରାଯାଇଥିଲା। ବିଶେଷକରି ଗେଟ୍ ନମ୍ବର-୧ରେ, ସାମ୍ବାଦିକଙ୍କ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ମୁଖ୍ୟତଃ ନଜରରେ ଥିଲେ ଇଲେକ୍ଟ୍ରୋନିକ୍ସ ମିଡିଆ। କାର୍ଡ ଯାଂଚ କରାଯାଇଥିଲା। କିନ୍ତୁ ଏହା ଆଦୌ ଧର୍ତ୍ତବ୍ୟ ନୁହେଁ। ସାମ୍ବାଦିକ ଓଗେରେ ସମସ୍ତଙ୍କୁ ଚେକ୍ କରି ପାସ୍ ଦେଖି ଭିତରକୁ ଛାଡ଼ିବାର ନିୟମ ରହିଛି। କିଛି ସାମ୍ବାଦିକ ବନ୍ଧୁ ପଚାରିଲେ, ଭାଇ ହଠାତ୍ ଏତେ କଟକଣା କାହିଁକି? ତ କୁନ୍ଥେଇ କୁନ୍ଥେଇ କିଏ ଜଣେ କାଳେ ଉତ୍ତର ଦେଇଥିଲେ- ଅର୍ଡର ଅଛି। ଘରୋଇ ବିଭାଗକୁ ପଚାରିବାରୁ ସେମାନେ କହିଲେ, ଆମେ ତ କିଛି କହିନୁ। ତେବେ ଅର୍ଡର ଦେଲା କିଏ? ଏପରି ସ୍ଥିତି ଦେଖି ଆଲୋଚନା ହେଲା ଯେ, ପାଣ୍ଡିଆନ୍ ସାର୍ଙ୍କୁ ସାମ୍ବାଦିକ ଭାଇମାନେ ପ୍ରଶ୍ନ ପଚାରିବାକୁ ଜଗିବା ଘଟଣାଟା, କାଳେ ତାଙ୍କୁ ଭାରି ବାଧିଛି। ତାଙ୍କୁ ପ୍ରଶ୍ନ ପଚାରିବାର ଅଧିକାର କାହାର ନାହିଁ। ସେ କେବଳ ନିର୍ଦ୍ଦେଶ ଦେବେ, ଓଡ଼ିଶାବାସୀ ତାହା ପାଳନ କରିବେ। ପ୍ରଶ୍ନ କଲେ ଦୁଆର ବନ୍ଦ।
ଏହି ଅବସରରେ ସଂଯୋଗକ୍ରମେ ଆଜି ସାମ୍ବାଦିକ ମାନଙ୍କୁ ନେଇ ଘଟିଥିବା ଛୋଟ ଜାତୀୟ ଘଟଣା ବିଷୟରେ ଶୁଣନ୍ତୁ। ଗୁଜୁରାଟରେ ଜିଗ୍ନେଶ ମେୱାନୀ ନାମକ ଜଣେ ଯୁବ ରାନଜୈତିକ ନେତା ଅଛନ୍ତି। ସେ ମଧ୍ୟ ଜଣେ ସାମାଜିକ କର୍ମୀ। ସ୍ୱାଧୀନ ଭାବରେ ନିର୍ବାଚିତ ହୋଇ ଗୁଜୁରାଟ ବିଧାନସଭାରେ ବିଧାୟକ ଅଛନ୍ତି। ଆଜି ଚେନ୍ନାଇରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। କିନ୍ତୁ ସମ୍ମିଳନୀ ଆରମ୍ଭ ପୂର୍ବରୁ ସେ ପ୍ରଥମେ କହିଲେ ‘ରିପବ୍ଲିକ୍’ ଟିଭି ଚ୍ୟାନେଲ୍ର ମାଇକ୍ ଆଗ ହଟେଇ ଦିଅ, ତା ପରେ ମୁଁ କିଛି କହିବି। ଏଥିରେ ସାମ୍ବାଦିକମାନେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଜମେ ବିଧାୟକଙ୍କର ଇଏ କି ଅଭଦ୍ର ବ୍ୟବହାର? କଥାଟା ଡାକିହାକି ଗୋଇଠା ମାରିବା ପରି କଥା ହେଲା। ତେଣୁ ସାମ୍ବାଦିକ ଭାଇ ଭଉଣୀମାନେ ଏକାଠି ହୋଇ ଗୋଟିଏ ନିଷ୍ପତ୍ତି ନେଲେ। ସମସ୍ତେ ନିଜ ନିଜ ମାଇକ୍ ଫେରେଇ ନେଲେ ଓ ଜିଗ୍ନେଶଙ୍କ ସାମ୍ବାଦିକ ସମ୍ମିଳନୀକୁ ମିଳିତ ଭାବରେ ବର୍ଜନ କଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।